ରବୀନ୍ଦ୍ର ନାରାୟଣ ମିଶ୍ର

ଯେକୌଣସି କାର୍ଯ୍ୟରେ ସଫଳତା ନିମନ୍ତେ ଆତ୍ମବିଶ୍ୱାସର ଆବଶ୍ୟକତା ବହୁତ ବେଶିଥାଏ। ଏହି ଆତ୍ମବିଶ୍ୱାସ ଅନ୍ୟ ସବୁ ପ୍ରତିକୂଳ ପରିସ୍ଥିତିକୁ ଦୂର କରି ଦେଇଥାଏ।

ଯେକୌଣସି କାର୍ଯ୍ୟରେ ସଫଳତା ନିମନ୍ତେ ଆତ୍ମବିଶ୍ୱାସର ଆବଶ୍ୟକତା ବହୁତ ବେଶିଥାଏ। ଏହି ଆତ୍ମବିଶ୍ୱାସ ଅନ୍ୟ ସବୁ ପ୍ରତିକୂଳ ପରିସ୍ଥିତିକୁ ଦୂର କରି ଦେଇଥାଏ। ଏକଥା ବୁଝାଇବାକୁ ଯାଇ ସେ ଗୋଟିଏ ସତ୍ୟ ଘଟଣା ଅବତାରଣା କଲେ।

ଥରେ ଏକ ଯୁଦ୍ଧ ଯାତ୍ରା ସମୟରେ ସେନାପତି ଦେଖିଲେ ଯେ ତାଙ୍କର ସୈନ୍ୟବଳ ଶତ୍ରୁର ସୈନ୍ୟବଳ ତୁଳନାରେ ଅତି ନଗଣ୍ୟ। ଏ ବିଷୟ ତାଙ୍କର ପ୍ରତ୍ୟେକ ସୈନ୍ୟଙ୍କୁ ଜଣାଥିଲା। ଏଣୁ ବିଜୟର ଆଶା ସେମାନଙ୍କ ପାଇଁ ଥିଲା ସୁଦୂର ପରାହତ। ସେମାନଙ୍କ ମନରୁ ଏ ପ୍ରକାର ଧାରଣାକୁ ବିଲୋପ କରିବା ପାଇଁ ସେନାପତି ଗୋଟିଏ ଉପାୟ ସ୍ଥିର କଲେ।

ଯୁଦ୍ଧଯାତ୍ରା ସମୟରେ ବାଟରେ ଗୋଟିଏ ମନ୍ଦିର ପଡ଼ିଲା। ସେ ତାଙ୍କର ସୈନ୍ୟବଳଙ୍କୁ ସେଠାରେ ଅଟକିବାକୁ ଆଦେଶ ଦେଇ ଦେବତାଙ୍କର ପୂଜାର୍ଚ୍ଚନା କଲେ।

ପୂଜାର୍ଚ୍ଚନା ସମାପ୍ତ ହେବା ପରେ ସେ କହିଲେ – ଦେବତାଙ୍କୁ ଆମେ ପଚାରି ବୁଝିବା ଏ ଯୁଦ୍ଧରେ ଆମର ଜୟ ହେବ କି ନାହିଁ। ଏତିକି କହି ସେ ନିଜ ପକେଟ୍‌ରୁ ଗୋଟିଏ ମୁଦ୍ରା ବାହାର କରି କହିଲେ, ‘‘ଏ ମୁଦ୍ରାଟିକୁ ଆମେ ଉପରକୁ ଫୋପାଡ଼ିଦେବା। ଦେଖିବା ଭୂଇଁ ଉପରେ ପଡ଼ିଥିବା ମୁଦ୍ରାର ଯଦି ମୁଣ୍ଡ ଆମକୁ ଦେଖାଗଲା, ତେବେ ଜାଣିବା ଆମ ପ୍ରତି ଦେବତାଙ୍କର ଆଶିର୍ବାଦ ଅଛି ଓ ଆମେ ନିଶ୍ଚୟ ଯୁଦ୍ଧରେ ଜୟଲାଭ କରିବା, ଯଦି ମୁଦ୍ରାର ଆରପଟ ପଡ଼େ, ତେବେ ଆମେ ହାରିଯିବା।’’

ଏତିକି କହି ସେ ସମସ୍ତଙ୍କ ଆଗରେ ମୁଦ୍ରାଟିକୁ ଉପରକୁ ଫିଙ୍ଗିଲେ। ମୁଦ୍ରାଟି ଭୂଇଁ ଉପରେ ପଡ଼ିବା ମାତ୍ରେ ସମସ୍ତେ ଦଉଡ଼ିଗଲେ ଦେଖିବାକୁ। ଦେଖିଲେ ମୁଦ୍ରାର ମୁଣ୍ଡଟି ଉପରକୁ ଅଛି। ଏହା ଦେଖୁ ଦେଖୁ ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରିଗଲା।

ଦ୍ୱିଗୁଣ ଉତ୍ସାହରେ ସମସ୍ତେ ଆଗେଇଯାଇ ଶତ୍ରୁସୈନ୍ୟ ଉପରେ ଆକ୍ରମଣ କଲେ। ଶତ୍ରୁସୈନ୍ୟ ସଂଖ୍ୟାରେ ବହୁତ ବେଶି ହେଲେ ହେଁ ଏମାନେ ବିଜୟ ଲାଭ କଲେ। ବିଜୟ ରାତ୍ରିରେ ସେନାପତିଙ୍କ ଅଧସ୍ତନ ସାମରିକ ଅଫିସର ଯେତେବେଳେ କହିଲେ ଯେ ଭାଗ୍ୟ ହିଁ ସବୁର ନିର୍ଣ୍ଣାୟକ ହୋଇଥାଏ, ସେନାପତି ସେ ମୁଦ୍ରାଟିକୁ ତାଙ୍କୁ ଦେଖାଇଲେ। ଅଧସ୍ତନ ଆଶ୍ଚର୍ଯ୍ୟ ହୋଇଗଲେ। ମୁଦ୍ରାର ଦୁଇପଟେ ମୁଣ୍ଡ ଥିଲା।

ଏଥର ସେନାପତି କହିଲେ ଯେ ସେ ଏ ମୁଦ୍ରାଟି ନିଜେ ବରାଦ ଦେଇ ତିଆରି କରିଥିଲେ। ଏହା ସୈନ୍ୟମାନଙ୍କ ମନରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କଲା ଏବଂ ଭାଗ୍ୟ ନୁହେଁ, ଏହି ଆତ୍ମବିଶ୍ୱାସ ହିଁ ବିଜୟର କାରଣ ହେଲା।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ। ଏହି ଲେଖା ମାଧ୍ୟମରେ ଲେଖକ ତତ୍କାଳୀନ ସାମାଜିକ ବ୍ୟବସ୍ଥାରୁ ଛୋଟ ଛୋଟ ଚିତ୍ର ଆଣି ତାଙ୍କ ଅନୁସ୍ମୃତିର କାନ୍‌ଭାସ୍‌ରେ ସୁନ୍ଦର ଭାବେ ଆଙ୍କିପାରିଛନ୍ତି ଯାହାକି ପାଠକଙ୍କୁ ଆକୃଷ୍ଟ କରିବ।– ସଂପାଦକ, ଓଡ଼ିଶାଲାଇଭ)

Comment