ଛନ୍ଦା ମିଶ୍ର

ଅନ୍ଧ କିମ୍ବା ଛୋଟା ଲୋକଟିଏକୁ ସାହାରାର ଆବଶ୍ୟକତା ହୋଇଥାଏ। ଭଗବାନ ଆମକୁ ସ୍ଵୟଂସମ୍ପୂର୍ଣ୍ଣ କରି ଗଢି ତୋଳିଛନ୍ତି। ତେବେ କୋଟାରେ ଚାକିରି ବା ପାଠପଢାରେ ସ୍ଥାନ ସଂରକ୍ଷଣ କରି ଆମେ ଖୁସି ହେଉଛେ କିପରି। ଏହାଦ୍ଵାରା ଆମ ସ୍ଵାଭିମାନରେ ଆଞ୍ଚ ଆସୁନି କି?

ଲୋକଟି ନେହୁରାହୋଇ ମତେ କହିଲା ଆଜ୍ଞା ବାବୁଙ୍କୁ ଟିକେ କହି ଏଇ ଛୋଟିଆ କାମଟି ମୋର କରେଇ ଦିଅନ୍ତୁ। ଆପଣଙ୍କର ପୂଣ୍ୟ ହେବ। ସେ ବିପିଏଲ ବାବୁ, ଏଇ ବାବୁଙ୍କ ସାଙ୍ଗ। ବାବୁଙ୍କୁ ଟିକେ ଖାଲି କହିଦେଲେ ସେ ମୋର ବିପିଏଲ କାର୍ଡଟା କରିଦେବେ। ମୁଁ ଭାରି ହଇରାଣ ହେଉଛି। ମୁଁ ଅତ୍ୟନ୍ତ ନିରୀହ କଣ୍ଠରେ ପଚାରିଲି – ଆଚ୍ଛା କୈଳାସ ବିପିଏଲ୍ ମାନେ କ’ଣ?

ମୋ ସହଜିଆ ପ୍ରଶ୍ନରେ ସେ ଭାରି ଖୁସି ହୋଇଗଲା। କହିଲା, ଆଜ୍ଞା ଏତିକି ଜାଣିନାହାନ୍ତି। ବିପିଏଲ୍ ହେଲା ଗୋଟେ କାର୍ଡ ଯୋଉଥିରେ ମତେ ମାଗଣାରେ ବା ଅତି କମ୍ ମୂଲ୍ୟରେ ଗହମ, ଚାଉଳ, ଚିନି ଓ ଘର ପ୍ରଭୃତି ମିଳିବ। ଆଜ୍ଞା ଏଇ ଚାଷବାସରେ ଭାରି ହଇରାଣ ହେଉଛି। କେତେ ଆଉ ଖଟିବି ?

ମୁଁ ପଚାରିଲି – ତୁମର ତ ବଡ଼ ବଡ଼ ପୁଅ ଦିଓଟି ଅଛନ୍ତି। ସେମାନେ କ’ଣ ତୁମକୁ କିଛି ସାହାଯ୍ୟ କରୁନାହାନ୍ତି। ସେ କହିଲା – ଛାଡନ୍ତୁ ଆଜ୍ଞା, ତାଙ୍କ କଥା ସବୁ କଣ କହିବି। ସକାଳେ ସନ୍ଧ୍ୟାରେ ଗେଫା ମାରିବା ଛଡା ଆଉ ସେମାନଙ୍କର କାମ କ’ଣ। ଗାଁ ସ୍କୁଲ ବାରଣ୍ଡାରେ ବସି ତାସ ଖେଳି, ଖଇନି ଖାଇ ସମୟ ଯାଉଛି।

ଉଣାଅଧିକେ ଏହିଭଳି ପରିସ୍ଥିତିର ସମ୍ମୁଖୀନ ସମସ୍ତେ ହେଉଛନ୍ତି। ବିପିଏଲ୍ କାର୍ଡଧାରୀମାନଙ୍କୁ ପଚାରନ୍ତୁ ଏହାର ଫୁଲଫର୍ମ, ଅଧିକାଂଶ କହିପାରିବେ ନାହିଁ। ମାତ୍ର ଥିଲାବାଲା, ନଥିଲାବାଲା ସମସ୍ତଙ୍କର ବିପିଏଲ୍ କାର୍ଡ ଖଣ୍ଡିଏ ଦରକାର। କାରଣ ଏହାଦ୍ଵାରା ଅନେକ ସୁବିଧା ମିଳିପାରୁଛି। ଏଠାରେ ଗୋଟିଏ କଥା ଦେଖନ୍ତୁ। ଆଜି କ୍ଷେତରେ ଚାଷ କରିବା ପାଇଁ ମୂଲିଆର ଅଭାବ। କାରଣ ଦୁଇଟଙ୍କିଆ ଚାଉଳ ପାଇ ଲୋକେ ଆରାମରେ ହେଣ୍ଡିମାରି ରହିଲେ। କିନ୍ତୁ ଏହିପରି କେତେଦିନ ଚାଲିବ। ଦୁଇଟଙ୍କିଆ ଚାଉଳର କଣ ଅସରନ୍ତି ଭଣ୍ଡାର ଅଛି।

ଓଡ଼ିଶାର ଦାବି, ତାକୁ ପଛୁଆ ମାନ୍ୟତା ମିଳୁ। କାହିଁକି? କଣ ପାଇଁ? କାହିଁକି ଏଭଳି ହୀନ ମାନସିକତା? କଣ ନାହିଁ ଓଡ଼ିଶାରେ? ଖଣି, ଜଙ୍ଗଲ, ଜମି, କେଉଁ ସମ୍ପଦରେ ଓଡ଼ିଶା ଧନ୍ୟ ନୁହେଁ? ଏସବୁର ଉତ୍ତର ଆମ ପାଖରେ ଅଛି, ମାତ୍ର ଆମେ ସବୁ ଜିନିଷରେ ପଛୁଆ ହୋଇ ଅନଗ୍ରସର ହୋଇରହିବାକୁ ଚାହୁଁଛେ। କାରଣ ଆମେ ଭାବୁଛେ, ଏପରି ହେବାଦ୍ଵାରା ବହୁତ ଅର୍ଥ ମିଳିଯିବାର ସମ୍ଭାବନା ଅଛି।

ଜାତି ଓ ଧର୍ମ ନାମରେ ଯେଉଁ ନେତାମାନେ ଆମକୁ ବିଭାଜିତ କରୁଛନ୍ତି, ସେମାନେ କେବଳ ନିଜ ପକେଟ ଗରମ କରୁଛନ୍ତି। ଲୋକେ ଏବେ ଉଚ୍ଚକୁଳରେ ଜାତ ହେବା ଏକ ଅଭିଶାପ ବୋଲି ଚିନ୍ତା କଲେଣି।

ଏସ୍‌ସି, ଏସଟି ଓ ମହିଳାପ୍ରାର୍ଥୀମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କରାଯାଉଛି। କାହିଁକି ? ଏସ୍‌ସି, ଏସ୍‌ଟି ବା ମହିଳାମାନେ ଏହାକୁ ଗ୍ରହଣ କରିବାକୁ ଆଗ୍ରହୀ ହେଉଛନ୍ତି ବା କିପରି? ଏମାନେ ଚାକିରି ପାଇଯିବା ଦ୍ଵାରା ଅନେକ ସୁଯୋଗ୍ୟ ପ୍ରାର୍ଥୀ ନିଜର ଯୋଗ୍ୟତା ଥାଇ ମଧ୍ୟ ବେକାର ହୋଇ ବୁଲୁଛନ୍ତି। ମୁଣ୍ଡବିହୀନ ବ୍ୟକ୍ତିମାନଙ୍କ ଦ୍ଵାରା ପରିଚାଳିତ ହେଉଥିବାରୁ ଆଜି ଦେଶର ଏହି ଦୁରବସ୍ଥା।

ଅନ୍ଧ କିମ୍ବା ଛୋଟା ଲୋକଟିଏକୁ ସାହାରାର ଆବଶ୍ୟକତା ହୋଇଥାଏ। ଭଗବାନ ଆମକୁ ସ୍ଵୟଂସମ୍ପୂର୍ଣ୍ଣ କରି ଗଢି ତୋଳିଛନ୍ତି। ତେବେ କୋଟାରେ ଚାକିରି ବା ପାଠପଢାରେ ସ୍ଥାନ ସଂରକ୍ଷଣ କରି ଆମେ ଖୁସି ହେଉଛେ କିପରି। ଏହାଦ୍ଵାରା ଆମ ସ୍ଵାଭିମାନରେ ଆଞ୍ଚ ଆସୁନି କି?

ଗୋଟିଏ ସମୟରେ ଚାକିରିରେ ଭର୍ତ୍ତିହୋଇ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଟିଏ ଯେତେବେଳେ ଯୋଗ୍ୟତା ନଥାଇ ଯୋଗ୍ୟ ବ୍ୟକ୍ତିଟିଏକୁ ପଛରେ ପକାଇ ପ୍ରମୋସନ ଉପରେ ପ୍ରମୋସନ ପାଇ ଚାଲିଥାଏ, ଅନୁମାନ କରନ୍ତୁ ଯୋଗ୍ୟତା ଥାଇ ପ୍ରମୋସନ ପାଉନଥିବା ଲୋକଟିର ମନ କିପରି ବିଦ୍ରୋହ କରି ଉଠୁଥିବ।

ଆମେ ସମସ୍ତେ ଆଜି ସୁବିଧାବାଦୀ ହୋଇଯାଇଛେ। ନିଜର ଛୋଟିଆ ସ୍ଵାର୍ଥଟିଏ ପାଇଁ ଦେଶର ହିତକୁ ଜଳାଞ୍ଜଳି ଦେଉଛେ। ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ଏହିପରି ନାଁଗୁଡାଏ ଦେଇ ନେତାମାନେ ଆମକୁ ଭାଗଭାଗ କରିଚାଲିଛନ୍ତି। ଆମେମାନେ ସବୁ ଜାଣି ମଧ୍ୟ ଅଳ୍ପ ସମୟର ସୁଖଟିଏ ପାଇଁ ଦେଶର ପ୍ରଗତିରେ ବାଧା ସାଜୁଛେ। ଜଣେ ମହାମନିଷୀ କେଡ଼େ କଥାଟିଏ କହି ନଥିଲେ ସତେ। ଜଣେ ଯଦି ଭୋକିଲା ଅଛି ତାକୁ ମାଛଟିଏ ନ ଦେଇ ବନଶୀଟିଏ ଧରାଇ ଦଇ। ସେ ଚିରଦିନ ତୁମ ପାଖରେ ଋଣୀ ହୋଇ ରହିବ।

ନିଜେ ଖଟି ଖାଇବାର ଆନନ୍ଦ ନିଆରା। ହାତ ପତାଇ ଖାଇବାର ମାନସିକତା କେତେ ହୀନ ସତେ। ମନ୍ଦିର ପାଖରେ ବସିଥିବା ଭିକାରିମାନଙ୍କୁ ଲକ୍ଷ୍ୟ କରନ୍ତୁ।  ଅଧାରୁ ଅଧିକ ସୁସ୍ଥ ଓ ସବଳ। ସେମାନଙ୍କୁ କୁହନ୍ତୁ – ଆ ଆମ ବଗିଚା କାମ କରିଦେବୁ ମୁଁ ତତେ ପଇସା ଦେବି। ସେମାନ ଆପଣଙ୍କୁ ଗାଳିଦେଇ ସେଠାରୁ ବିତାଡିତ କରିବେ। ସେମାନେ ଜାଣିଛନ୍ତି ଯେ ସକାଳେ, ସନ୍ଧ୍ୟାରେ ମନ୍ଦିରରେ ଠାକୁରଙ୍କ ନାମରେ ସେମାନେ ଯେତିକି ରୋଜଗାର କରିବେ ସେଥିରେ ସେମାନଙ୍କୁ ତିଳେ ହେଲେ ଶାରୀରିକ କଷ୍ଟ କରିବାକୁ ପଡ଼ିବନାହିଁ।

ଆମେମାନେ ବି ନିଜକୁ ଦୟାବାନ୍ ବୋଲାଇ ଓ ଅନ୍ୟକୁ ଦୟାର ପାତ୍ର ବୋଲି ଭାବି ଧର୍ମ ନାମରେ ପାପ ଅର୍ଜୁଛେ। କାରଣ ଏହାଦ୍ଵାରା ଜଣେ ଶାରୀରିକ ସୁସ୍ଥବ୍ୟକ୍ତିକୁ ଆମେ ମାନସିକ ପଙ୍ଗୁ କରିଦେବାରେ ସହଯୋଗର ହାତ ବଢାଇ ଦେଉଛେ।

ଯାହା ନାହିଁ ଭାରତେ, ତାହା ନାହିଁ ମରତେ। ଆସନ୍ତୁ ସମସ୍ତେ ଏକାଠି ହୋଇ ଏହିପରି ବ୍ୟବସ୍ଥାକୁ ଗ୍ରହଣ ନ କରି ଏହାର ପ୍ରତିବାଦ କରିବା, ନିଜର ତଥା ରାଜ୍ୟର ସର୍ବୋପରି ଦେଶର ଉନ୍ନତିରେ ସହଭାଗୀ ହେବା। ଭଗବାନ ତାଙ୍କ ସୃଷ୍ଟିରେ କ୍ଷୁଦ୍ରାତି କ୍ଷୁଦ୍ର ଜୀବଟିଏକୁ ମଧ୍ୟ ସ୍ଵୟଂସମ୍ପୂର୍ଣ୍ଣ କରିଛନ୍ତି।

ବଣରେ ଉଠୁଥିବା ଗଛଟିଏ କାହାର ଯତନେ ଠିଆହେଉଛି? ସେହିପରି ଆମେମାନେ ମଧ୍ୟ ନିଜ ଶିଙ୍ଗରେ ମାଟିଖୋଳି ନିଜ ଯୋଗ୍ୟତା ଭିତ୍ତିରେ ସମାଜରେ ନିଜର ସ୍ଥାନ ଗ୍ରହଣ କରିବା। ନିଜକୁ ପଛୁଆ ବା ଅନଗ୍ରସର ବୋଲି ଦାବି କରିବା ଅର୍ଥ ଭଗବାନଙ୍କୁ ନିନ୍ଦା କରିବା। ନିଜକୁ ଯେତେଦିନ ଧରି ବିପିଏଲ୍ ବୋଲି ଭାବି ସ୍ଵାର୍ଥ ହାସଲ କରିବା, ଅନ୍ୟ ଦେଶର ଆଖିରେ ଡାର୍ଟି ଇଣ୍ଡିଆନ ହୋଇ ରହିଯିବା।

(ସୌଜନ୍ୟ – ଭିନ୍ନ ମଣିଷ)

Comment