ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ। ଯାତ୍ରା ଚାଲିଥିଲା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିବା ସହ ତାଙ୍କ ଗାଡ଼ି ମଧ୍ୟ ଭାଙ୍ଗିବା ନେଇ ହୋଇଛି ଅଭିଯୋଗ।

ଅନୁଗୁଳ କଣିହାଁ ନିକଟ ଡେରଙ୍ଗରେ ହେଉଥିବା ଏକ ଯାତ୍ରାରେ ଅଭିନୟ କରିବାକୁ ଯାଇଥିବାବେଳେ   ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ସହ ଅସଦାଚରଣ ହୋଇଛି। ରବିବାର ରାତି ପ୍ରାୟ ୧୧ଟାରୁ ୧୧.୩୦ରାତି ମଧ୍ୟରେ ଉଷସୀ ମିଶ୍ରଙ୍କ ସହ ଜଣେ ବ୍ୟକ୍ତି ଅଭଦ୍ର ଆଚରଣ କରିଥିଲେ। ଏପରିକି ତାଙ୍କୁ ଗାଳିଗୁଲଜ ସହ ତାଙ୍କ ଗାଡ଼ି ମଧ୍ୟ ଭାଙ୍ଗିବା ନେଇ ହୋଇଛି ଅଭିଯୋଗ ।

ତାଙ୍କ ସହ ଅସଦାଚରଣ ହୋଇଥିବା ନେଇ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି ଉଷସୀ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ଏନେଇ ଏକ ପୋଷ୍ଟ  ଅପଲୋଡ କରିଛନ୍ତି ଉଷସୀ।

ରବିବାର ଦିନ ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ। ସେଠାରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିଥିବା ଓ ଗାଡ଼ି ଭଙ୍ଗାରୁଜା କରିଥିବା ନେଇ କଣିହା ଥାନାରେ ଏତଲା ଦେଇଛନ୍ତି ଉଷସୀ।

“ମୋ ଭଳି ଷ୍ଟ୍ରଙ୍ଗ୍ ଝିଅ ସହ ଏମିତି ଘଟିଗଲା। ମୁଁ ନିଜେ ବିଶ୍ୱାସ କରିପାରୁନି କି, ଖାଲି ତାଏକୋଣ୍ଡୋ ଜାଣିଥିଲି ବୋଲି ଆଜି ବର୍ତ୍ତିଗଲି ନ ହେଲେ ସେମାନେ ମତେ ସର୍ବସମ୍ମୁଖରେ ରେପ୍‌ କରିଦେଇଥାନ୍ତେ। ମୁଁ ଜଣେ ସେଲିବ୍ରିଟି ବୋଲି ମିଡିଆ ଏନେଇ ତତ୍ପର ହୋଇଉଠିଛି କିନ୍ତୁ ଯଦି ଜଣେ ସାଧାରଣ ଝିଅ ସହ ଘଟିଥାନ୍ତା ତେବେ କ’ଣ ହୋଇଥାନ୍ତା ଭାବନ୍ତୁ ତ?”, କହିଛନ୍ତି ଉଷସୀ ମିଶ୍ର।

କଣିହାଁ ଭାରପ୍ରାପ୍ତ ଥାନା ଅଧିକାର ସୁକାନ୍ତି କେରକେଟା ଏତଲା ପାଇଥିବା କଥା ସ୍ୱୀକାର କରିଥିବାବେଳେ ଉତ୍ତରାଞ୍ଚଳ ଡିଆଇଜି ନରସିଂହ ଭୋଳ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି।

Comment