ରବୀନ୍ଦ୍ର ନାରାୟଣ ମିଶ୍ର

ପିତାମାତା ସନ୍ତୁଷ୍ଟ ହେଲେ ସବୁ ଦେବତା ସନ୍ତୁଷ୍ଟ ହୋଇଯାଆନ୍ତି। ତେଣୁ ଦେବତାମାନଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ପିତାମାତାଙ୍କୁ ସନ୍ତୁଷ୍ଟ କରିବା  ସନ୍ତାନର କର୍ତ୍ତବ୍ୟ।

ସଂସ୍କୃତରେ ଗୋଟିଏ ସୁନ୍ଦର ବାକ୍ୟ ଅଛି- ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ। ଏହାର ଅର୍ଥ ହେଲା- ପିତାମାତା ସନ୍ତୁଷ୍ଟ ହେଲେ ସବୁ ଦେବତା ସନ୍ତୁଷ୍ଟ ହୋଇଯାଆନ୍ତି। ତେଣୁ ଦେବତାମାନଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ପିତାମାତାଙ୍କୁ ସନ୍ତୁଷ୍ଟ କରିବା  ସନ୍ତାନର କର୍ତ୍ତବ୍ୟ। ଏ ବିଷୟରେ ସୁନ୍ଦର ସତ୍ୟ କଥାଟିଏ ଏଠାରେ କହୁଛି।

ଆଜିକୁ ଶହେ ଚଉରାଳିଶ ବର୍ଷ ତଳେ ୧୮୬୧ ମସିହା ଡିସେମ୍ବର ୨୫ ତାରିଖ ଦିନ ଆହ୍ଲାବାଦର ମାଲବ୍ୟନଗର (ସେତେବେଳର ଲାଲ୍‌ ଡିଗ୍‌ଗି ଅଞ୍ଚଳର କଚା ସାଓଲଦାସ ଅଞ୍ଚଳ)ଠାରେ ପଣ୍ଡିତ ବ୍ରଜନାଥ ଓ ଶ୍ରୀମତୀ ମୁନ୍ନା ଦେବୀଙ୍କ ଔରସରେ ଗୋଟିଏ ପୁତ୍ରସନ୍ତାନ ଜନ୍ମ ହେବା ସାଙ୍ଗେ ସାଙ୍ଗେ ଧାଇ ଦଉଡ଼ି ଦଉଡ଼ି ଯାଇ ପଣ୍ଡିତ ବ୍ରଜନାଥଙ୍କୁ ଜଣାଇଲା – ଗୋଟିଏ କାଣୀ ଝିଅ ଜନ୍ମ ହୋଇଛି। ସେତେବେଳେ ଏଭଳି ଭାବେ ପୁଅ ଜନ୍ମ କଥା ବାପା ମା’ଙ୍କୁ ଜଣାଯାଉଥିଲା। ଏପରି କଲେ ଦୁଷ୍ଟ ଗ୍ରହ, ଡାହାଣୀ ଚିରିଗୁଣୀଙ୍କ ଆଖିରୁ ପୁଅକୁ କାଳେ ରକ୍ଷା କରାଯାଇପାରୁଥିଲା।

ଏ ପ୍ରକାର ଖବର ଶୁଣି ପଣ୍ଡିତ ବ୍ରଜନାଥଙ୍କ ଆନନ୍ଦର ସୀମା ରହିଲାନି। ପଣ୍ଡିତ ବ୍ରଜନାଥଙ୍କର ସେଦିନ ମନେ ପଡ଼ିଗଲା ବର୍ଷକ ତଳେ ଗୟା ଯାଇ ତାଙ୍କର ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା କଥା। ଗୟାରେ ପଣ୍ଡିତ ବ୍ରଜନାଥ ଓ ଶ୍ରୀମତୀ ମୁନ୍ନାଦେବୀ ପିତୃପୁରୁଷଙ୍କୁ ପିଣ୍ଡ ଦେଉଥିଲେ। ପିଣ୍ଡଦେବା ଅବସରରେ ପୁରୋହିତ ବ୍ରଜନାଥଙ୍କୁ ପଚାରିଲେ ପିତୃପୁରୁଷଙ୍କଠାରୁ ସେ କିଛି ଆଶୀର୍ବାଦ ଭିକ୍ଷା କରୁଛନ୍ତି।

ପଣ୍ଡିତ ବ୍ରଜନାଥ ଉତ୍ତର ଦେଲେ – ମୁଁ ଏମିତିଆ ଗୋଟିଏ ପୁଅ ଚାହୁଁଛି ଯାହାଭଳି ଅତୀତରେ କିଏ ଜନ୍ମ ହୋଇ ନ ଥିବ ବା ଭବିଷ୍ୟତରେ କେହି ଜନ୍ମ ହେବେନି। ବ୍ରଜନାଥଙ୍କ କଥା ଶୁଣି ପୁରୋହିତ ସେଦିନ ତାଙ୍କର ମନୋବାଞ୍ଛାକୁ ପିତୃପୁରୁଷଙ୍କୁ ଜଣାଇ ଦେଇ ସେମାନଙ୍କ ପକ୍ଷରୁ ବ୍ରଜନାଥଙ୍କ ଉପରେ ନିଜେ ଆଶୀର୍ବଚନ ଢାଳିଦେଲେ।

ପଣ୍ଡିତ ବ୍ରଜନାଥଙ୍କର ପିତୃପୁରୁଷଙ୍କୁ ପ୍ରାର୍ଥନା ସେଦିନ ସତ୍ୟରେ ପରିଣତ ହେଲା। ସେଇ ପୁଅଟି ହୋଇଉଠିଲା ଅଦ୍ୱିତୀୟ ପଣ୍ଡିତ, ଅସାଧାରଣ ଦେଶଭକ୍ତ। ଅପ୍ରତିଦ୍ୱନ୍ଦ୍ୱୀ ଜନନେତା ଓ ଅନନ୍ୟ ସଂଗଠକ। ଭାରତମାତାର ମଥାମଣି ରୂପେ ନିଜକୁ ପ୍ରତିଷ୍ଠିତ କରି ସେ ହେଲେ କାଶୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା – ଇତିହାସ ପୁରୁଷ ପଣ୍ଡିତ ମଦନମୋହନ ମାଲବ୍ୟ। ଏ ଥିଲା ପିତୃପୁରୁଷଙ୍କ ଆଶୀର୍ବାଦର ଫଳ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ।)

Comment