ରବୀନ୍ଦ୍ର ନାରାୟଣ ମିଶ୍ର

ହାତଗଣ୍ଠି ପଡ଼ିବା ପରେ ଜଣକର ଦୁଃଖକଷ୍ଟ ଆଉ ଜଣକୁ ଭୋଗିବାକୁ ଆରମ୍ଭ କଲା। ଯେଉଁ ମୁହୂର୍ତ୍ତରୁ ହାତଗଣ୍ଠି ପଡ଼ିଲା, ବନ୍ଧନ ହୋଇଗଲା, ମାୟା ଆରମ୍ଭ ହେଲା। ଏହାକୁ କହନ୍ତି ମାୟାବନ୍ଧନ।

ଦୁଇଜଣ ଥିଲେ ବାଲ୍ୟବନ୍ଧୁ। ଘଟଣାକ୍ରମେ ଜଣେ ସନ୍ନ୍ୟାସୀ ହୋଇଗଲେ ଓ ଆଉ ଜଣେ ସଂସାରୀ ହୋଇଗଲେ। ଦିନେ ସଂସାରୀ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସନ୍ନ୍ୟାସୀ ବନ୍ଧୁ ତାଙ୍କ ସରକାରୀ ବଙ୍ଗଳାରେ ହାଜର ହୋଇ ତାଙ୍କ ଆତିଥ୍ୟ ଗ୍ରହଣ କଲେ। ବଙ୍ଗଳାର ବିଳାସପୂର୍ଣ୍ଣ ପରିବେଶରେ ସନ୍ନ୍ୟାସୀଙ୍କ ଗେରୁଆ ଲୁଗା ଓ ଚଦର ବେଶ୍‌ ବାରିହୋଇ ପଡ଼ୁଥାଏ।

ସ୍ତ୍ରୀ ପିଲାମାନଙ୍କୁ ନେଇ ସଂସାରୀ ବନ୍ଧୁ ସେଦିନ ସନ୍ଧ୍ୟାରେ ବସିପଡ଼ିଲେ ସନ୍ନ୍ୟାସୀ ବନ୍ଧୁଙ୍କ ପାଦ ତଳେ। ଛୋଟିଆ ସତ୍‌ସଙ୍ଗର ଆସର ସୃଷ୍ଟି ହେଲା। ସଂସାରୀ ବନ୍ଧୁ ପଚାରିଲେ, ‘‘ମାୟା କ’ଣ ଓ ମାୟା ବନ୍ଧନ କ’ଣ?’’

ହସିହସି ସନ୍ନ୍ୟାସୀ ବନ୍ଧୁ କହିଲେ, ‘‘ଦେଖ, ତୁମ ନିଜ ଉଦାହରଣ ଦେଇ ମୁଁ ତୁମକୁ ତୁମ ପ୍ରଶ୍ନର ଉତ୍ତର ଦେବି।’’ ସଂସାରୀ ଓ ତାଙ୍କ ପତ୍ନୀ ଓ ଛୋଟ ଝିଅଟି ସଜାଡ଼ିହୋଇ ବସିଲେ ସନ୍ନ୍ୟାସୀଙ୍କ ଅମୃତବାଣୀ ଶୁଣିବାକୁ।

ସନ୍ନ୍ୟାସୀ ସଂସାରୀଙ୍କୁ ଲକ୍ଷ୍ୟ କରି କହିଲେ, ‘‘ବିବାହ ପୂର୍ବରୁ ମୁଁ ତୁମ ପତ୍ନୀ ମାଧବୀକୁ ଜାଣିଥିଲି। ଯେତେବେଳେ ବିବାହ ପୂର୍ବରୁ ଆମେ ଦୁହେଁ ଛାତ୍ର ଥିଲେ, ଛାତ୍ରାବାସରେ ଥିଲାବେଳେ ତୁମ ଦେହ ଖରାପ ହେଲେ ମାଧବୀ ଟିକିଏ ବି ମନଦୁଃଖ କରୁନଥିଲା, ଯଦିଓ ସେ ତୁମକୁ ବି ଜାଣିଥିଲା। ସେମିତି ମାଧବୀ ଗୁରୁତର ହୋଇ ହସ୍ପିଟାଲରେ ପଡ଼ିବା ପରେ, ତୁମଠାରେ ମଧ୍ୟ କିଛି ପ୍ରତିକ୍ରିୟା ସୃଷ୍ଟି ହେଉ ନଥିଲା। ଏହା କ’ଣ ସତ ନୁହେଁ?’’

ମାଧବୀ ଓ ତାଙ୍କ ବନ୍ଧୁ ସନ୍ନ୍ୟାସୀଙ୍କ କଥାକୁ ସମର୍ଥନ କଲେ। ଏଥର ସନ୍ନ୍ୟାସୀ କହି ଚାଲିଲେ, ‘‘ହଁ, ତା’ପରେ ପରବର୍ତ୍ତୀ ସମୟରେ ତୁମ ଦୁହିଁଙ୍କ ବିବାହ ହେଲା। ଯେମିତି ପୁରୋହିତ ହାତଗଣ୍ଠି ପକେଇଦେଲେ, ମାଧବୀର ଓଢ଼ଣୀକୁ ତୁମ ଚଦର ସାଙ୍ଗରେ ଗଣ୍ଠି ପକେଇଦେଲେ, ସେଇ ମୁହୂର୍ତ୍ତ ପରେ ତୁମକୁ ଜ୍ୱର ହେଲେ ମାଧବୀକୁ ଜ୍ୱର ହେଲାଭଳି କଷ୍ଟ ହେଲା ଓ ମାଧବୀର ପେଟ କାମୁଡ଼ିଲେ ତୁମକୁ ପେଟ କାମୁଡ଼ିବା ଭଳି କଷ୍ଟ ହେଲା। କ’ଣ ସତ କି ନୁହେଁ?’’

ବନ୍ଧୁ ଓ ବନ୍ଧୁପତ୍ନୀ ହସିହସି ସନ୍ନ୍ୟାସୀଙ୍କ କଥାରେ ହଁ ଭରିଲେ। ଏଥର ସନ୍ନ୍ୟାସୀ ପୁଣି କହିଚାଲିଲେ, ‘‘ବାସ୍, ଦେଖିଲ ତ? ଦୁହେଁ ବିବାହ ପୂର୍ବରୁ ଅନ୍ୟର ଦେହ କଷ୍ଟ ବେଳେ ନିରାଲମ୍ବରେ ଥିଲ। ମାତ୍ର ହାତଗଣ୍ଠି ପଡ଼ିବା ପରେ ଜଣକର ଦୁଃଖକଷ୍ଟ ଆଉ ଜଣକୁ ଭୋଗିବାକୁ ଆରମ୍ଭ କଲା। ଯେଉଁ ମୁହୂର୍ତ୍ତରୁ ହାତଗଣ୍ଠି ପଡ଼ିଲା, ବନ୍ଧନ ହୋଇଗଲା, ମାୟା ଆରମ୍ଭ ହେଲା। ଏହାକୁ କହନ୍ତି ମାୟାବନ୍ଧନ।’’

ବନ୍ଧୁ ଓ ବନ୍ଧୁପତ୍ନୀ ସନ୍ନ୍ୟାସୀଙ୍କ କଥାକୁ ହସିହସି ବେଶ୍‌ ଉପଭୋଗ କଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। ପୁଣି ପ୍ରତି ଶହେଟି ଲେଖାକୁ ନେଇ ଲେଖକ ପ୍ରକାଶ କରିଛନ୍ତି ଗୋଟିଏ ଗୋଟିଏ ସଂକଳନ।)

Comment