ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଶ୍ କେତୋଟି ଯାତ୍ରାନାଟକରେ ସଫଳ ଅଭିନୟ କରି ଯଲିଉଡ଼ର ଜଣେ ନାମୀ କଳାକାର ଭାବେ ପରିଚିତ ହୋଇଛନ୍ତି ପୀୟୁଷ । ଯାତ୍ରାରେ ମିଳିଛି କେତେବେଳେ ନାୟକ ତ ପୁଣି କେତେବେଳେ ଖଳନାୟକ ଚରିତ୍ର। ପ୍ରତିଟି ଭୂମିକା ପ୍ରତି ନ୍ୟାୟ ଦେବାରେ ସେ ମାହିର୍।

ରୂପେଲି ପରଦାର ମୋହ ଛାଡ଼ି କେତେକ ଅଭିନେତା ଯାତ୍ରାଜଗତରେ ପାଦ ଥାପିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ବେଶ୍ ସଫଳତା ମଧ୍ୟ ହାସଲ କରିଛନ୍ତି। ଏଭଳି ଜଣେ ଯାତ୍ରାଜଗତର ଜଣାଶୁଣା ଅଭିନେତା ହେଲେ ପୀୟୁଷ। ସେ ଯଲିଉଡ଼ର ଜଣେ ନାମୀଦାମୀ ନାୟକ ଓ ଖଳନାୟକ। ତେବେ ପ୍ରଥମେ ପୀୟୁଷ ଉଭୟ ବଡ଼ପରଦା ଓ ଛୋଟ ପରଦାରେ କାମ କରିଛନ୍ତି।

ପୀୟୁଷ କଟକର ଅନ୍ନପୂର୍ଣ୍ଣା ଥିଏଟରରେ ନିୟମିତ ଭାବେ କଳାକାର ଭାବେ ଅଭିନୟ କରୁଥିଲେ। ବେଶ୍ କେତୋଟି ମଞ୍ଚ ନାଟକରେ ଅଭିନୟ କରିବା ପରେ ପୀୟୁଷଙ୍କ ଫିଲ୍ମରେ ସୁଯୋଗ ମିଳେ। ହଁ ପ୍ରଥମେ ଜଣେ ଲୋକପ୍ରିୟ ନିର୍ମାତା ତାଙ୍କୁ ସିନେମାରେ ନାୟକ ଭୂମିକା ଲାଗି ସୁଯୋଗ ଦେଇଥିଲେ। ଏହି ନିର୍ମାତା ଜଣକ ହେଲେ ସ୍ଵର୍ଗତଃ ବାସୁଦେବ ତ୍ରିପାଠୀ। ସେ ‘ଅଣ୍ଟିଛୁରୀ ତଣ୍ଟି କାଟେ’, ‘ସୁଭଦ୍ରା’, ‘ବସୁଧା’, ‘ସାବିତ୍ରୀ’ ଓ ‘କାଶିଆ କପିଳା’ ଆଦି ଓଡ଼ିଆ ଛବିରେ ପ୍ରଯୋଜନା କରିଥିଲେ।

ବାସୁଦେବ ତ୍ରିପାଠୀ ‘ଘାଇଲା ବାଘ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଥିଲେ। ସେତେବେଳେ ସେ ଜଣେ ନୂଆ ନାୟକଙ୍କୁ ନେବା ପାଇଁ ସ୍ଥିର କରିଥିଲେ। ସେହି ସମୟରେ ଓଲିଉଡ଼ର ଜଣାଶୁଣା କଷ୍ଟ୍ୟୁମ୍ ମ୍ୟାନ୍ ବାବୁଲି ଭାଇ ଓ ମେକଅପ୍ ମ୍ୟାନ୍‌ ଶାନ୍ତନୁ ଭାଇ ପୀୟୁଷଙ୍କୁ ନେଇ ଭେଟ କରାଇଥିଲେ ବାସୁଦେବଙ୍କ ପାଖରେ। ପ୍ରଥମ ଦେଖାରେ ହିଁ ପ୍ରଯୋଜକ ବାସୁଦେବ ତ୍ରିପାଠୀ ‘ଘାଇଲା ବାଘ’ ଚଳଚ୍ଚିତ୍ରରେ ନାୟକ ଭୂମିକା ଲାଗି ଚୁକ୍ତିବଦ୍ଧ କରିଥିଲେ ପୀୟୁଷ। ଏହି ଫିଲ୍ମରେ ପୀୟୁଷଙ୍କ ଅଭିନୀତ ଚରିତ୍ରର ନାଁ ଥିଲା ଚନ୍ଦନ। ହେଲେ ଦୁଃଖର କଥା ଯେ ‘ଘାଇଲା ବାଘ’ ଏଯାବତ୍ ରିଲିଜ୍ ହୋଇପାରିନାହିଁ। ଏପରିକି ଏହାର ପ୍ରଯୋଜକ ମଧ୍ୟ ଆରପାରିକୁ ଚାଲିଗଲେ। ରଣଜିତ୍ ବାରିକ ଏହି ସିନେମାର ନିର୍ଦ୍ଦେଶକ।

ପୀୟୁଷ ତିନିଟି ଫିଲ୍ମରେ ବି ଅଭିନୟ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ‘ଲଭ ୟୁ ହମେଶା’ ପ୍ରଥମ ସିନେମାରେ ନାୟକ ଭୂମିକା ନିଭାଇଥିବା ପୀୟୁଷଙ୍କୁ ଦ୍ଵିତୀୟ ସିନେମାରେ ମିଳିଲା ଖଳନାୟକ ଭୂମିକା। ଏଥିରେ ଜଣେ ବଳାତ୍କାରୀ ଯୁବକ ଭୂମିକା ନିଭାଇଥିଲେ ପୀୟୁଷ।

ଅନ୍ୟ ଦୁଇଟି ଛବି ମଧ୍ୟରୁ ତାଙ୍କର ଅଭିନୀତ ସିନେମା ‘ଆସିଲୁ ଯେବେ ତୁ ଯାଆନା ଫେରି’ରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏହା ରିଲିଜ୍ ମଧ୍ୟ ହୋଇଛି। ଅପରପକ୍ଷରେ ଅନ୍ୟ ସିନେମା ‘ବେଷ୍ଟ୍ ଅଫ୍ ଲକ୍’ ରିଲିଜ୍ ଅପେକ୍ଷାରେ ରହିଛି। ମନୋରଞ୍ଜନ ପାଲଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସେ ଆସୁଛନ୍ତି ନେଗେଟିଭ୍ ରୋଲ୍‌ରେ।

ତେବେ ପୀୟୁଷ ଛୋଟ ପରଦାରେ ବି ନାୟକ ଭୂମିକା ନିଭାଇଛନ୍ତି। ସେ ମେଗାଧାରାବାହିକ ‘ରାଜକନ୍ୟା’ରେ ନାୟକ ଅର୍ଦ୍ଧେନ୍ଦୁ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିଲେ।

ହେଲେ ତା’ ପରେ ଅକସ୍ମାତ୍ ପୀୟୁଷ ଯାତ୍ରା ଜଗତରେ ଯୋଗ ଦେଇଥିଲେ। ସେ କିପରି ଯାତ୍ରାଜଗତରେ ପ୍ରବେଶ କରିଥିଲେ, ଏ ସମ୍ପର୍କରେ ପୀୟୁଷ କହନ୍ତି “ଯଲିଉଡ଼ର ଲୋକପ୍ରିୟ ଅଭିନେତା ଦୈତାରୀ ପଣ୍ଡାଙ୍କ ପୁଅ ଜଗନ୍ନାଥ ମୋତେ ଯାତ୍ରାରେ ପ୍ରବେଶ କରିବା ଲାଗି ପରାମର୍ଶ ଦେଲେ। ତାଙ୍କରି ପରାମର୍ଶ ଓ ସହଯୋଗରେ ମୁଁ କୋଣାର୍କ ଗଣନାଟ୍ୟରେ ପ୍ରବେଶ କରିଲି।

ପୀୟୁଷଙ୍କ ଅଭିନୀତ ଲୋକପ୍ରିୟ ନାଟକ ମଧ୍ୟରେ ରହିଛି ଦୈତ୍ୟାରୀ ପଣ୍ଡା ବାହା ହେଉଛି, ମୁଁ କେନ୍ଦ୍ରାପଡ଼ାର ବାବା, କଉଡ଼ି ଖେଳ, ଛୁଇଁ ଦେଲେ ମେଘ ବରଷି ଯାଏ, ମାଇଚିଆ ଗୋଖେଇ ସାହୁ।

ପୀୟୁଷ କୁହନ୍ତି, “ତାଙ୍କୁ ନାୟକ ଭୂମିକା ଅପେକ୍ଷା ଖଳ ଚରିତ୍ରରେ ଅଭିନୟ କରିବାକୁ ବେଶୀ ଭଲ ଲାଗେ। ଆଉ ସିନେମା ବା ସିରିଏଲ ଅପେକ୍ଷା ଯାତ୍ରା ମଞ୍ଚରେ ଅଭିନୟ କରିଲେ ଅଧିକ ଆତ୍ମସନ୍ତୋଷ ମିଳୁଛି। ଏଥିପାଇଁ ଯାତ୍ରାରେ ଅଭିନୟ ଜାରି ରଖିଛି।“

Comment