ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାରାମ ବାପୁ ପାଲଟି ଯାଇଥିଲେ ଭଗବାନ। ଲକ୍ଷାଧିକ ଭକ୍ତ ତାଙ୍କୁ ପୂଜା କରୁଥିଲେ। ହେଲେ ସେହି ଭଗବାନ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍‌ ଯାଇଛନ୍ତି।

ଦିନଥିଲା ବାବା ଅସାରାମଙ୍କୁ ଦୁନିଆ ଯାକର ଲୋକେ ପୂଜା କରୁଥିଲେ। କିଛି ଭକ୍ତ ତ ତାଙ୍କୁ ସାକ୍ଷାତ ଈଶ୍ୱରଙ୍କ ପ୍ରତିରୂପ ଭଳି ମାନୁଥିଲେ। ତାଙ୍କର ପ୍ରତିପତ୍ତି ଏତେ ଦୂର ମାଡ଼ି ଯାଇଥିଲା ଯେ ତାହାକୁ ଲିଭାଇବା କଷ୍ଟକର ବ୍ୟାପାର ଥିଲା। ବିଶ୍ୱତମାମ ତାଙ୍କର କୋଟି କୋଟି ଭକ୍ତ ଥିବା କଥା କୁହାଯାଉଛି। ଲୋକମାନଙ୍କର ଏହି ସରଳ ବିଶ୍ୱାସ ଓ ମୋହର ଫାଇଦା ଉଠାଇବାକୁ ଯାଇ ଅସାରାମଙ୍କ ପୁଅ ଏଭଳି ଏକ ଭକ୍ତି ସାମ୍ରାଜ୍ୟ ବିସ୍ତାର କରିଥିଲେ ଯାହାର କଳନା କରିବା କଷ୍ଟ। କୁହାଯାଉଛି

ଆସାରାମ ବାପୁଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୦ ହଜାର କୋଟି ଟଙ୍କା। ଜଣେ ନାବାଳିକା ସହିତ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ହେବା ପରେ ତାଙ୍କର ସାମ୍ରାଜ୍ୟ ମାଟିରେ ମିଶିଯାଇଛି। ଯୋଧପୁର କୋର୍ଟ ଆଜି ତାଙ୍କ ରାୟ ଶୁଣାଇବା ପରେ ଆସାରାମ କୁଆଡ଼େ ମୁଣ୍ଡରେ ହାତ ଦେଇ କାନ୍ଦୁଥିଲେ।

କେମିତି ଆରମ୍ଭ ହେଲା ବାବାଙ୍କ ଆସ୍ଥାନ

୧୯୭୦ ମସିହାରେ ସାବରମତୀ ନଦୀ କୂଳରେ ଗୋଟିଏ ଝୁମ୍ପୁଡିରେ ସେ ତାଙ୍କ ଆଶ୍ରମ ଆରମ୍ଭ କରିଥିଲେ। ପରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଲା ଓ ଚାରିଆଡ଼େ ତାଙ୍କ ନାମ ବ୍ୟାପିବାରେ ଲାଗିଲା। କ୍ରମଶଃ ଦେଶର କୋଣ ଅନୁକୋଣରେ ଲୋକଙ୍କ ପାଖରେ ସେ ପହଞ୍ଚିଲେ। ଗିରଫ ହୋଇ ଜେଲ ଯିବା ବେଳକୁ ଆସାରାମଙ୍କ ଭାରତ ଓ ଭାରତ ବାହାରେ ୪ କୋଟି ଭକ୍ତ ଥିବା କୁହାଯାଉଛି।

୨୦୧୩ ମସିହାରେ ବଳାତ୍କାର ମାମଲାରେ ଗିରଫ ହେବା ପରେ ମୋଟେରାରେ ଥିବା ତାଙ୍କ ଆଶ୍ରମର ଛାନଭିନ କରିବା ସହିତ ସେଠୁ ମିଳିଥିବା ଦଲିଲରୁ ଜଣାପଡ଼ିଲା ଯେ ବିଭିନ୍ନ ସ୍ଥାନରେ ଥିବା ତାଙ୍କର ସମ୍ପତ୍ତି ଓ ଆଶ୍ରମ ପରିସରରେ ଥିବା ମୂଲ୍ୟବାନ ଜିନିଷର ମୂଲ୍ୟ ୧୦ ହଜାର କୋଟି ଟପିବ। ତେବେ ୭୭ ବର୍ଷୀୟ ଆସାରାମଙ୍କ ବ୍ୟକ୍ତିଗତ ଭାବେ ଯେତିକି ଜମି ରହିଛି ତାର ବଜାର ମୂଲ୍ୟ ଯଦି ନିର୍ଦ୍ଧାରଣ କରାଯାଏ ଏହି ସମ୍ପତ୍ତିର ପରିମାଣ ଆହୁରି ବଢିବ। ଏବେବି ଆସାରାମଙ୍କ କିଛି ଭକ୍ତମାନେ ତାଙ୍କ ସହିତ ଥାଇପାରନ୍ତି। କିନ୍ତୁ କେବଳ ବଳାତ୍କାର ନୁହେଁ ଜମି ହଡ଼ପର ସାଙ୍ଘାତିକ ଅଭିଯୋଗ ମଧ୍ୟ ତାଙ୍କ ନାମରେ ଅଛି।

ଜନ୍ମ ଜାତକ

ଆସାରାମ ବାପୁଙ୍କ ଆଶ୍ରମରୁ ମିଳିଥିବା ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଓ ତାଙ୍କ ଅଫିସିଆଲ ୱେବସାଇଟରୁ ଜଣାପଡ଼େ ଯେ ଅସାରାମଙ୍କ ଜନ୍ମ ୧୯୪୧ ମସିହାରେ। ପାକିସ୍ତାନର ସିନ୍ଧ ପ୍ରଦେଶ ଅନ୍ତର୍ଗତ ବେରାଣୀ ଗାଁରେ ଜନ୍ମ ହୋଇଥିଲେ ତଥାକଥିତ ଧର୍ମଗୁରୁ। ତାଙ୍କର ପ୍ରକୃତ ନାମ ଅସମୁଲ ସିରୁମଲାନି। ୧୯୪୭ରେ ଭାରତ ବିଭାଜନ ପରେ ସେ ତାଙ୍କ ପରିବାର ସହ ଆସି ଅହମ୍ମଦାବାଦରେ ରହିବାକୁ ଆରମ୍ଭ କଲେ। ଅସାରାମ ସେହି ଅଞ୍ଚଳର ମଣିନଗର ସ୍କୁଲରେ ମାତ୍ର ୪ର୍ଥ ଶ୍ରେଣୀ ଯାଏଁ ପଢ଼ିଛନ୍ତି। ବାପାଙ୍କ ମୃତ୍ୟୁ ପରେ ଦଶ ବର୍ଷ ବୟସରେ ସେ ପାଠ ପଢା ଛାଡ଼ି ଦେଇଥିଲେ।

ସିରୁମଲାନିରୁ ଆସାରାମ ବାପୁ

ଡକୁମେଣ୍ଟାରୀ ଫିଲ୍ମରୁ ମିଳିଥିବା ତଥ୍ୟ ଅନୁସାରେ ସେ ୧୯୬୪ରେ ଆଧ୍ୟାତ୍ମିକ ଅନୁସନ୍ଧାନରେ ବାହାରିଲେ ଓ ହିମାଳୟର ପାଦ ଦେଶରେ ଜଣେ ବାବାଙ୍କ ସହିତ ତାଙ୍କର ସାକ୍ଷାତ ହେଲା। ତାଙ୍କ ନାମ ଲୀଳାସାହା ବାପୁ ଯିଏ କି ଆସାରାମଙ୍କ ଗୁରୁ ବନିଥିଲେ। ଏହି ଗୁରୁ ହିଁ ଅସାରାମ ନାମ ଦେଇଥିଲେ। କିଛି ମାସ ସେଠି କଟାଇବା ପରେ ସେ ଅହମ୍ମଦାବାଦ ଆସି ମୋଟେରା ଅଞ୍ଚଳରେ ଏକ କୁଡ଼ିଆରେ ପ୍ରବଚନ ଦେବା ଆରମ୍ଭ କଲେ। ଏହାର ନାମ ରଖାଗଲା ମୋକ୍ଷ କୁଟୀର। ପରେ ଏହା ଏକ ବିଧିବଦ୍ଧ ଆଶ୍ରମରେ ପରିଣତ ହେଲା। ଏ ସବୁ ୧୯୭୨ର କଥା। ଫଳରେ ଆସାରାମଙ୍କ ଲୋକପ୍ରିୟତା ବଢ଼ିଲା। ଚାରିଆଡ଼େ ତାଙ୍କ ଭକ୍ତମାନେ ବଢିଲେ।

ଖୁବ୍ କମ ସମୟ ଭିତରେ ସମଗ୍ର ଦେଶରେ ତାଙ୍କର ୪୦୦ଟି ଶାଖା ଖୋଲିଲା। ଅସାରାମ ବାପୁ ବିବାହିତ ଓ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପୁଅ ନାରାୟଣ ଦେଶାଇ ମଧ୍ୟ ଜେଲରେ। ତାଙ୍କ ଝିଅର ନାଁ ଭାରତୀ।

 

Comment