ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହା ହେବା ପରେ ବି ମହିଳାମାନେ ନିଜ ସ୍ୱପ୍ନକୁ ସାକାର କରିପାରନ୍ତି। ସମାଜର ସବୁ ପ୍ରତିବନ୍ଧକକୁ ଏଡ଼ାଇ ଜଣେ ମହିଳା ସଫଳତାର ପାହାଚ ଚଢ଼ି ପାରନ୍ତି। ୨୦୧୭ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ହରିୟାନାର ଅନୁ କୁମାରୀ ଦ୍ୱିତୀୟ ସ୍ଥାନ ଅଧିକାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

୨୦୧୭ ବର୍ଷ ପାଇଁ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭାରତର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା କୁହାଯାଉଥିବା ସିଭିଲ ସର୍ଭିସରେ ଏ ବର୍ଷ ଯିଏ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ତାଙ୍କ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ସିଏ ହେଉଛନ୍ତି ଅନୁ କୁମାରୀ ଓ ତାଙ୍କ ଘର ହରିୟାନାର ସୋନିପତରେ। ଆମ ସମାଜରେ ଗୋଟିଏ ଧାରଣା ରହିଛି ଯେ ବାହା ହେବା ପରେ ଝିଅର ଜୀବନ ଘରଣୀ ହେବା ଭିତରେ ହିଁ ସୀମିତ ରହିବାକୁ ବାଧ୍ୟ। ଏହି ଧାରଣା ମଧ୍ୟ ରହିଛି ଯେ ବିବାହିତ ଝିଅମାନଙ୍କ କ୍ୟାରିଅର କେବଳ ନାମକୁ ମାତ୍ର। ଅନୁ କୁମାରୀ କିନ୍ତୁ ଏହି ଦୃଷ୍ଟିରୁ ସମସ୍ତଙ୍କଠାରୁ ନିଆରା ଓ ଅନ୍ୟମାନଙ୍କ ପାଇଁ ସେ ବର୍ତ୍ତମାନ ଏକ ଆଦର୍ଶ ପାଲଟି ଯାଇଛନ୍ତି।

ଚାରି ବର୍ଷର ଶିଶୁପୁତ୍ରର ମା’ ହୋଇ ମଧ୍ୟ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର କମାଲ ଦେଖାଇଛନ୍ତି। ୩୧ ବର୍ଷୀୟା ଅନୁ ଜଣେ ବିଜନେସମ୍ୟାନଙ୍କୁ ବିବାହ କରିଛନ୍ତି। ତାଙ୍କର ପ୍ରଥମ ସନ୍ତାନର ବୟସ ୪ ବର୍ଷ। ଅନୁ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ହିନ୍ଦୁ କଲେଜରୁ ଫିଜିକ୍ସରେ ଗ୍ରାଜୁଏସନ କରିଛନ୍ତି। ତା ପରେ ସେ ନାଗପୁର ଆଇଏମଟିରୁ ଏମବିଏ ଶେଷ କଲେ। ଏହାପରେ ଗୁରଗାଓଁ ରେ ଏକ କମ୍ପାନିରେ କିଛି ମାସ ଚାକିରୀ କରୁଥିଲେ। କିନ୍ତୁ ତାଙ୍କର ଲକ୍ଷ୍ୟ ଥିଲା ସିଭିଲ ସର୍ଭିସରେ ଯୋଗ ଦେବା। ଏଣୁ ଚାକିରୀ ଛାଡ଼ି ସେ ସିଭିଲସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏଥିପାଇଁ ସେ ନିଜ ଦେଢ ବର୍ଷର ପୁଅକୁ ନିଜ ମା’ ବାପାଙ୍କ ପାଖରେ ଛାଡ଼ି ଦେଇଥିଲେ।

ସମାଜ ପାଇଁ କିଛି କରିବାର ଦୁର୍ବାର ଲାଳସା ଯେତେବେଳେ ଜଣଙ୍କ ମନରେ ସୃଷ୍ଟି ହୁଏ କୌଣସି ବାଧାବିଘ୍ନକୁ ସେ ଖାତିର କରେନା। ଅନୁ ତାହାର ଜ୍ୱଳନ୍ତ ଉଦାହରଣ। ଆଇଏଏସ ହୋଇ କିଛି କରିବାର ସ୍ୱପ୍ନ ମୋର ରହିଛି ବୋଲି ଅନୁ କହିଛନ୍ତି।

ଯେଉଁ ମହିଳାମାନେ ଭାବିନିଅନ୍ତି ଯେ ବାହା ହେବା ପରେ ସବୁକିଛି ଶେଷ ହୋଇଛି ସେମାନଙ୍କ ପାଇଁ ଏବର୍ଷର ସିଭିଲ ସର୍ଭିସ ସେକଣ୍ଡ ଟପ୍ପର ହୋଇଥିବା ଅନୁ କୁମାରୀ ଏକ ଜବରଦସ୍ତ ପ୍ରେରଣା।

Comment