ରବୀନ୍ଦ୍ର ନାରାୟଣ ମିଶ୍ର

ସବୁବେଳେ ସଠିକ୍‌ ବ୍ୟକ୍ତିଙ୍କୁ ହିଁ ଦାନ କରିବା ଉଚିତ୍‌। ଯଦି ଯୋଗ୍ୟତା ନ ଜାଣି ଭୁଲ୍‌ ବ୍ୟକ୍ତିଙ୍କୁ ଦାନ ଦିଆଯାଏ, ତେବେ ସେ ଦାନ ସବୁ ଦୃଷ୍ଟିରୁ କ୍ଷତିକାରକ ହୋଇଥାଏ।

ସବୁବେଳେ ସଠିକ୍‌ ବ୍ୟକ୍ତିଙ୍କୁ ହିଁ ଦାନ କରିବା ଉଚିତ୍‌। ଯଦି ଯୋଗ୍ୟତା ନ ଜାଣି ଭୁଲ୍‌ ବ୍ୟକ୍ତିଙ୍କୁ ଦାନ ଦିଆଯାଏ, ତେବେ ସେ ଦାନ ସବୁ ଦୃଷ୍ଟିରୁ କ୍ଷତିକାରକ ହୋଇଥାଏ। ସେ ସମ୍ପର୍କରେ ଏହି କଥା।

ମୁସଲ୍‌ମାନଙ୍କ କବଳରୁ ଦେଶକୁ ରକ୍ଷା କରି ସ୍ୱାଧୀନତା ହାସଲ କରିବା ଲକ୍ଷ୍ୟରେ ଶିବାଜୀ ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ଗୁରୁ ସମର୍ଥ ରାମଦାସ ଶିବାଜୀଙ୍କୁ ଦୁର୍ଜେୟ କରିବା ଲକ୍ଷ୍ୟରେ ମା’ ଦୁର୍ଗାଙ୍କ ଭବାନୀ ଖଣ୍ଡା ତାଙ୍କ ହାତରେ ଅର୍ପଣ କରିବାକୁ ଚାହିଁଲେ। ମାତ୍ର ଶିବାଜୀ କେତେଦୂର ଏ ଦାନର ପାତ୍ର ତାହା ପରୀକ୍ଷା କରିବାକୁ ମନସ୍ଥ କଲେ। ଏଣୁ ସମର୍ଥ ରାମଦାସ ତାଙ୍କୁ ଏକ କଠୋର ପରୀକ୍ଷାର ସମ୍ମୁଖୀନ କରାଇଲେ।

ଦିନେ ଶିବାଜୀଙ୍କୁ ପାଖକୁ ଡାକି ସେ କହିଲେ ଯେ ତାଙ୍କର ଭୟଙ୍କର ପେଟବ୍ୟଥା ହେଉଛି ଓ ଏହା ତାଙ୍କ ପ୍ରାଣନାଶର କାରଣ ହୋଇପାରେ। ଗୁରୁଙ୍କର ପ୍ରାଣରକ୍ଷା କରିବାକୁ ଶିବାଜୀ ଯେତେବେଳେ ଯେ କୌଣସି ପଦକ୍ଷେପ ନେବେ ବୋଲି କହିଲେ, ସେତେବେଳେ ସମର୍ଥ ରାମଦାସ ତାଙ୍କୁ କହିଲେ ଯଦି ସିଂହୀର ଦୁଧ ତାଙ୍କୁ ପିଇବାକୁ ଦିଆଯାଏ, ତେବେ ସେ ପେଟଯନ୍ତ୍ରଣାରୁ ମୁକ୍ତି ପାଇବେ।

ଶିବାଜୀ ତତ୍‌କ୍ଷଣାତ୍‌ ଘନ ଜଙ୍ଗଲରେ ପ୍ରବେଶ କରି ସଦ୍ୟ ମାତୃତ୍ୱ ଲାଭ କରିଥିବା ଏକ ସିଂହୀର ସନ୍ଧାନରେ ଲାଗି ଗଲେ। ଅନେକ ଖୋଜିବା ପରେ ଦେଖିଲେ ଯେ ସିଂହୀଟିଏ ଗୁହାଦ୍ୱାରରେ ବସି ତା’ର ଛୁଆଙ୍କୁ ସ୍ତନ୍ୟପାନ କରାଉଛି।

ଶିବାଜୀ ସିଂହିନୀଠାରୁ ଅଳ୍ପ ଦୂରରେ ନତଜାନୁ ହୋଇ ପ୍ରାର୍ଥନା କଲେ, ‘‘ମା’, ମୋର ଗୁରୁଙ୍କ ଶାରୀରିକ କଷ୍ଟମୋଚନ ନିମିତ୍ତ ମୁଁ ଆପଣଙ୍କ ଦ୍ୱାରସ୍ଥ ହୋଇଛି। ମୋର ଉଦ୍ଦେଶ୍ୟ ମହତ୍‌। ଦୟାକରି ମତେ ଆପଣଙ୍କ ସନ୍ତାନ ରୂପେ ଗ୍ରହଣ କରି କିଛି କ୍ଷୀର ଦାନ କରନ୍ତୁ।’’

ଗୁରୁକୃପାପ୍ରାପ୍ତ ଶିବାଜୀ ସିଂହୀର ମୁହଁକୁ ଚାହିଁ ଏ ବିକଳ ପ୍ରାର୍ଥନା କରିବା ମାତ୍ରେ ତାଙ୍କର ମନେହେଲା ଯେମିତି ସିଂହୀ ତାଙ୍କ ଅନୁରୋଧ ରକ୍ଷା କରିବାକୁ ସମ୍ମତି ପ୍ରଦାନ କରୁଛି। ଶିବାଜୀ ଆଗେଇଗଲେ। ସିଂହୀ ଶାବକମାନଙ୍କୁ ଆଡ଼େଇ ଦେଇ ଯେମିତି ଶିବାଜୀଙ୍କୁ ନିର୍ଦ୍ଦେଶ ଦେଲା ତା’ଠାରୁ କ୍ଷୀର ଦୁହିଁବା ପାଇଁ। ଆନନ୍ଦ ମନରେ ଦୁହିଁସାରି ଶିବାଜୀ କ୍ଷୀର ଧରି ପହଞ୍ଚିଲେ ସମର୍ଥ ରାମଦାସଙ୍କ ପାଖରେ। ଗୁରୁଙ୍କୁ କ୍ଷୀର ଅର୍ପଣ କରିବା ମାତ୍ରେ ରାମଦାସ ତାଙ୍କ ହାତରେ ଭବାନୀ ଖଣ୍ଡା ସମର୍ପଣ କରିଦେଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment