ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଫଗାନିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ। କାବୁଲର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୭ଜଣ ସାମ୍ବାଦିକଙ୍କ ସମେତ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪୦ରୁ ଅଧିକ ଆହତ ହୋଇଛନ୍ତି।

ସୋମବାର ଦିନ କାବୁଲରେ ଦୁଇଟି ଆତ୍ମଘାତି ବିସ୍ଫୋରଣ ଘଟି ଏଜେନ୍‌ସି ଫ୍ରାନ୍‌ସ୍‌-ପ୍ରେସ୍‌ର ମୁଖ୍ୟ ଫଟୋଗ୍ରାଫର୍‌ ଶାହ୍‌ ମାରାଇ ଓ ଅନ୍ୟ ତିନିଜଣ ସାମ୍ବାଦିକଙ୍କ ସମେତ ୨୯ ଜଣଙ୍କ ମୃତ୍ୟୁ ହେବା ସହ ୪୦ଜଣ  ଆହତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ବିସ୍ଫୋରଣରେ ମିଡିଆ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ସୋମବାରଦିନ ସକାଳେ ମୋଟର ସାଇକେଲରେ ଆସି ଜଣେ ଦୁର୍ବୃତ୍ତ ବୋମା ମାଡ଼ କରିଥିଲା। ଏହାପରେ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକମାନଙ୍କୁ ଟାର୍ଗେଟ କରି ଆଉ ଏକ ବିସ୍ଫୋରଣ ହୋଇଥିଲା। ତେବେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଆଇଏସଆଇଏସ।

ଏଥିରେ ଆଫଗାନିସ୍ତାନରେ କାର୍ଯ୍ୟକରୁଥିବା ଏଏଫପିର ମୁଖ୍ୟ ଭିଡିଓ ଜର୍ଣ୍ଣାଲିଷ୍ଟ ସାହା ମାରାଇ ଫୈଜିଙ୍କ ସମେତ ୩ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି।  ଏଥିସହ ଅନେକ ମିଡିଆ କର୍ମୀ ଆହତ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଓ୍ଵାହିଦ୍‌ ମଜ୍‌ରୋହ୍‌ କହିଛନ୍ତି, “୪୦ ଜଣ ଆହତ ଲୋକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ”।

ଗତ ୧୫ଦିନ ଭିତରେ କାବୁଲରେ ଏହାକୁ ମିଶାଇ ୬ଥର ବିସ୍ଫୋରଣ ଘଟିଲାଣି। ଏଥିରେ ୬୦ଜଣଙ୍କ ମୃତ୍ୟୁ ହେବା ସହ ୧୨୯ଜଣ ଆହତ ହୋଇଛନ୍ତି।

Comment