ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଛି। ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏଣିକି ମୋବାଇଲରେ କଥା ହେବା ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଟେଲିକମ୍ ବିଭାଗ ଏହି ପ୍ରସ୍ତାବ ଉପରେ ମୋହର ମାରିଛି।

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିମାନରେ ଯାତ୍ରା କରିବା ବେଳେ ଏଣିକି ଯାତ୍ରୀମାନେ ଫୋନ୍‌ ବ୍ୟବହାର କରିବା ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଟେଲିକମ୍ ବିଭାଗ ପକ୍ଷରୁ ଏହି ସବୁଜ ସଙ୍କେତ ମିଳିଛି। ୩ରୁ ୪ ମାସ ଭିତରେ ଏହି ସୁବିଧା ବିମାନରେ ମିଳିବ। ଏହି ସେବା ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଲାଗୁ ହେବ।

ବିମାନ ୩ ହଜାର ମିଟର ଉପରେ ଉଡାଣ ଆରମ୍ଭ କଲେ ଯାତ୍ରୀ ଏହି ସୁବିଧା ପାଇବେ।

ଟେଲିକମ୍ ସଚିବ ଅରୁଣ ସୁନ୍ଦରାଜନ କହିଛନ୍ତି, “ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଦୂର ସଞ୍ଚାର ଆୟୋଗ ମଞ୍ଜୁରୀ ଦେଇଛନ୍ତି। ବିମାନ ସେବା ପ୍ରଦାନ କରୁଥିବା ସଂସ୍ଥା ଏବଂ ଟେଲିକମ୍ କମ୍ପାନି ସହ ଆଲୋଚନା କରିବା ପରେ ଏହି ସୁବିଧା ୩ରୁ ୪ ମାସ ଭିତରେ ଉପଲବ୍ଧ ହେବ।”

ବିମାନରେ ଯାତ୍ରା କରିବା ବେଳେ ଯାତ୍ରୀଙ୍କୁ ମୋବାଇଲ୍ ଫ୍ଲାଇଟ୍ ମୋଡରେ ରଖିବାକୁ ପଡ଼ୁଥିଲା। ଯାତ୍ରୀମାନେ ବିମାନରେ କଥା ହୋଇପାରୁ ନଥିଲେ। କିନ୍ତୁ ଟେଲିକମ୍ ବିଭାଗ ଗ୍ରୀନ୍ ସିଗ୍‌ନାଲ ଦେବା ପରେ ଯାତ୍ରୀମାନେ ବିମାନରେ ମୋବାଇଲ ବ୍ୟବହାର କରିପାରିବେ।

ଟେଲିକମ୍ ରେଗୁଲେଟୋରୀ ଅଫ୍ ଇଣ୍ଡିଆର ଅଧିନିୟମ ଅନୁଯାୟୀ ଏସବୁ ପ୍ରକ୍ରିୟା କରାଯିବ।

Comment