ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟମୟ କାହାଣୀ ଖୁବଶୀଘ୍ର ବଡ଼ ପରଦାରେ ଦେଖିବାକୁ ମିଳିବ। ଏହି ବହୁଚର୍ଚ୍ଚିତ କାହାଣୀର ପୃଷ୍ଠଭୂମିରେ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ବୁଲେଟ ରାଜା’।

ସାରା ଓଡ଼ିଶାରେ ଚହଳ ପକାଇଥିବା ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର। ରେଞ୍ଜ ରୟାଲ ସିନେ ଲ୍ୟାବ୍‌ ବ୍ୟାନରରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ର ନାଁ ରଖାଯାଇଛି ‘ବୁଲେଟ ରାଜା’। ଫିଲ୍ମର ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ଶ୍ରୀଧର ମାର୍ଥା।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଆସାମୀ ପୁଞ୍ଜିଲାଲ ମେହେର ଧରାପଡ଼ିବା ପରେ ଘଟଣାକୁ ସହଜରେ ବିଶ୍ୱାସ କରିନଥିଲେ ସାଧାରଣ ଜନତା। ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେର ଏଭଳି ମାଷ୍ଟରମାଇଣ୍ଡରେ ଘଟଣା ଘଟାଇଥିଲା ଯେ ସାଧାରଣ ପୋଲିସ ଫେଲ ମାରିବା ପରେ କ୍ରାଇମବ୍ରାଞ୍ଚକୁ ଲାଗିଯାଇଥିଲା ଦୁଇମାସ।

କଲେଜ ଅଧ୍ୟକ୍ଷ ପଦ ପାଇଁ ପୁଞ୍ଜିଲାଲ ସୌମ୍ୟଙ୍କ ମା’ ଉପରେ ରାଗ ରଖି ତାଙ୍କ ପରିବାର ଧ୍ଵସଂ କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ସୌମ୍ୟ-ରିମାଙ୍କ ବାହାଘର ପାଇଁ ପଠାଇଥିବା ଗିଫ୍ଟ ପାର୍ସଲରେ ରଖିଥିଲା ବୋମା। ଏହାକୁ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ଘଟିଥିଲା। ପାଖରେ ଥିବା ସୌମ୍ୟ ଓ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ଘଟିବା ସହ ସୌମ୍ୟଙ୍କ ପତ୍ନୀ ରିମା ଗୁରୁତର ଆହତ ହୋଇଥିଲେ।

ଗୋଟିଏ ଫିଲ୍ମ ନିର୍ମାଣ ପାଇଁ ଆବଶ୍ୟକ ଲଭ୍‌, ରୋମାନ୍ସ, ସସପେନ୍ସ ଓ ଥ୍ରିଲର ଭଳି ସମସ୍ତ ଉପାଦାନ ଏହି ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଭରି ରହିଛି। ସୌମ୍ୟଶେଖର ଓ ରୀମାଙ୍କ ପ୍ରେମ କାହାଣୀଠାରୁ ଆରମ୍ଭ କରି ପାର୍ସଲ ଆସିବା ଓ ତାଙ୍କୁ ୩ଜଣ ଖୋଲିବା ଏବଂ ଏହାସହ ବିସ୍ଫୋରଣରେ ସୌମ୍ୟଶେଖର ଓ ଜେଜେ ମା’ଙ୍କ ମୃତ୍ୟୁ ଘଟିବା ଆଦି ବିଷୟବସ୍ତୁ ରଖାଯିବ।

ଏହି ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେର ଭୂମିକାରେ ଅଭିନୟ କରିବେ ହର ରଥ। ସେହିପରି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ମନୋଜ ମିଶ୍ର। ବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖର ଓ ତାଙ୍କ ପତ୍ନୀ ରିମାଙ୍କ ଭୂମିକାରେ କିଏ ଅଭିନୟ କରିବ ସେ ବିଷୟରେ ଜଣାପଡ଼ିନାହିଁ।

କାହାଣୀକୁ ଅଧିକ ଜୀବନ୍ତ କରିବା ପାଇଁ ସୌମ୍ୟଶେଖରଙ୍କ ପରିବାରକୁ ଭେଟି ଆଲୋଚନା କରାଯିବ। ଆବଶ୍ୟକ ପଡ଼ିଲେ ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲଙ୍କ ଭେଟି ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ କରାଯିବ ବୋଲି ଫିଲ୍ମର ପ୍ରଡକ୍ସନ୍‌ ଟିମ୍ ପକ୍ଷରୁ କୁହାଯାଇଛି।

କିଭଳି ଜଣେ ପଦବୀ ପାଇଁ ରାତି ରାତି ଅନିଦ୍ରା ରହି ରିସର୍ଚ୍ଚ କରି ପାର୍ସଲ ବୋମା ତିଆରି କରି ଏଭଳି ଜଘନ୍ୟ କାଣ୍ଡ ଘଟାଇପାରେ ତାହା ସିନେମାରେ ନିଖୁଣଭାବେ ଦର୍ଶାଯିବ। ଫିଲ୍ମର ଅଧିକାଂଶ ଭାଗ ପାଟଣାଗଡରେ ସୁଟିଂ କରାଯିବ। ଏନେଇ ପ୍ରଯୋଜକ ଶ୍ରୀଧର ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଥିବା ଜଣାପଡିଛି।

“ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ୮୨ବର୍ଷ ପୂରଣ ହେବାକୁ ଯାଉଛି। ସେହି ଉପଲକ୍ଷେ ମୁଁ ଏକ ନିଚ୍ଛକ କାହାଣୀକୁ ନେଇ ଏକ ଓଡ଼ିଆ ଦର୍ଶକଙ୍କୁ ଭେଟିଦେବାକୁ ଯାଉଛି। ଭଦ୍ରମୁଖା ସଇତାନଙ୍କ ଗୁମର ଖୋଲୁଥିବା ପାର୍ସଲ ବୋମା ଘଟଣା ଭଳି ଏକ ବଳିଷ୍ଟ କାହାଣୀକୁ ଖବରକାଗଜ ପୃଷ୍ଠାରେ ବହୁତ ଦେଖିଥିବେ କିନ୍ତୁ ପରଦାରେ ଭଲ ଚରିତ୍ର ନେଇ ଏହାକୁ ଉପସ୍ଥାପନା କରାଯିବାର ଯୋଜନା କରାଯାଇଛି”,କହିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା।

 

Comment