ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆମ୍ବରସରିଆ’ ଗୀତରେ ଉପରକୁ ଉଠିଥିବା ସୋନା ମହାପାତ୍ର ଯେତେବେଳେ ବି କିଛି ନୂଆ ଆଲବମ କରିଥାନ୍ତି କିମ୍ବା ଷ୍ଟେଜରେ ଗୀତ ପରିବେଷଣ କରିଥାନ୍ତି ତାହା ବିବାଦରେ ପରିଣତ ହୋଇଥାଏ। ଏବେ ଏକ ସୁଫି ଗୀତକୁ ନେଇ ସୋନା ବିବାଦରେ ଫସିଛନ୍ତି।

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରି ନୂଆ ନୂଆ ରାସ୍ତା ଆବିଷ୍କାର କରିଥିବା ସୋନା ମହାପାତ୍ର ସବୁବେଳେ ନ ହେଲେ ବି ଅଧିକାଂଶ ସମୟରେ ବିବାଦରେ ଛନ୍ଦି ହୋଇଥାନ୍ତି। ନିଜ ଷ୍ଟାଇଲରେ ଓ ମର୍ଜିରେ ଯେମିତି ସେ ଗୀତ ଗାଆନ୍ତି ସେହିଭଳି ନିଜ ମନକୁ ଆସିଲା ପରି ବିବୃତି ମଧ୍ୟ ସେ ଦେଇଥାନ୍ତି। ସୋନା ମହାପାତ୍ରଙ୍କୁ କେହି କେହି ଭାରତର ‘ଲେଡ଼ି ଗାଗା’ କହିବାକୁ ପସନ୍ଦ କରିଥାନ୍ତି। ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଆସିଥିବା ସୋନା ଏବେ ଏକ ନୂଆ ବିବାଦରେ ଫସିଛନ୍ତି।

‘ଆମ୍ବରସରିଆ’ ଗୀତରେ ଉପରକୁ ଉଠିଥିବା ସୋନା ଯେତେବେଳେ ବି କିଛି ନୂଆ ଆଲବମ କାଟିଥାନ୍ତି କିମ୍ବା ଷ୍ଟେଜରେ ଗୀତ ପରିବେଷଣ କରିଥାନ୍ତି ତାହା ବିବାଦରେ ପରିଣତ ହୋଇଥାଏ।

କଟକରେ ଜନ୍ମିତ ସୋନା ତାଙ୍କର ଆଲଫା-ଫିମେଲ ମନୋଭାବକୁ ନେଇ ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ଦେଇଆସିଛନ୍ତି ଓ ଏହା ଅନେକଙ୍କୁ ଚୂନ ମାରିବା ଭଳି ହୋଇଆସିଛି।ସୋସିଆଲ ମେଡିଆରେ ସକ୍ରିୟ ଥିବା ସୋନା କେଉଁ ପ୍ରସଙ୍ଗରେ କି ପ୍ରକାର ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି ତାହା ଉପରେ ଆସନ୍ତୁ ନଜର ପକାଇବା।

ସୁଫି ଗୀତକୁ ନେଇ ବିବାଦ

ଏବେ ଏବେ ସୋନା ଏକ ସୁଫି ଗୀତକୁ ନେଇ ବିବାଦରେ ଫସିଛନ୍ତି। ‘ମଦରିୟା ସୁଫି ଫାଉଣ୍ଡେସନ’ ପକ୍ଷରୁ ତାଙ୍କୁ ଧମକ ମିଳୁଛି ବୋଲି ସେ ଏକାଧିକ ଟୁଇଟରେ ମୁମ୍ବାଇ ପୁଲିସକୁ ଜଣାଇବା ସହିତ ଏ ନେଇ ସେ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଉକ୍ତ ଫାଉଣ୍ଡେସନର ଦାବି ହେଉଛି ଯେ ସୋନାଙ୍କ ନୂଆ ଭିଡିଓ ‘ତୋରି ସୁରତ’ରେ ଅଶାଳୀନତା ଭରି ରହିଛି। ଯଦି ଏହି ଭିଡ଼ିଓକୁ ଫେରେଇ ନିଆ ନ ଯାଏଦେଶରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି ହୋଇପାରେ ବୋଲି ଫାଉଣ୍ଡେସନ ପକ୍ଷରୁ ଚେତାବନୀ ଦିଆଯାଇଛି।ଖାଲି ସେତିକି ନୁହେଁ,ସେମାନେ ସୋନାଙ୍କୁ ଜଣେ ନିୟମିତ ଅପରାଧୀ ବୋଲି ବିବେଚନା କରିଛନ୍ତି।ପାଞ୍ଚ ବର୍ଷ ତଳର ଏକ କୋକ ଷ୍ଟୁଡିଓ ଭିଡ଼ିଓକୁ ସେ ଜାଣି ଶୁଣି ଖୋଳି ବାହାର କରିଛନ୍ତି ବୋଲି ଫାଉଣ୍ଡେସନ ଅଭିଯୋଗ କରିଛି।ସୈଫୁଆନା-କଲାମ ଦ୍ୱାରା ଅନୁପ୍ରେରିତ ଏହି ଭିଡ଼ିଓରେ ପାଶ୍ଚାତ୍ୟ ସଂଗୀତକୁ ଜବରଦସ୍ତ ଭର୍ତ୍ତି କରାଯାଇଛି ଓ ଗୀତ ପରିବେଷଣ ବେଳେ ସୋନା ଅଙ୍ଗ ପ୍ରଦର୍ଶନ ଭଳି ପୋଷାକ ପରିଧାନ କରିଛନ୍ତି ବୋଲି ଫାଉଣ୍ଡେସନର କର୍ମକର୍ତ୍ତା ଅଭିଯୋଗ ଆଣିଛନ୍ତି।

ରଂଗବତୀ ବିବାଦ

‘ମୁଝେ କ୍ୟା ବେଚେଗା ରୁପୟା’ ଗୀତ ପାଇଁ ଲୋକପ୍ରିୟ ସୋନା ମହାପାତ୍ରଙ୍କ ଆମ ଏଠାକାର ରଙ୍ଗବତୀ ଗୀତକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ରଙ୍ଗବତୀ ଗୀତର ରିମିକ୍ସ ଜରିଆରେ ସେ ଏହି ଲୋକପ୍ରିୟ ଗୀତର ପାରମ୍ପରିକତାକୁ ଏବଂ ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରିଦେଇଛନ୍ତି ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା।

୨୦୧୫ ନଭେମ୍ବର ମାସରେ ଏହି ଗୀତ ପରିବେଷଣ ବିରୁଦ୍ଧରେ ଏତଲା, ମାନହାନି ମକଦ୍ଦମା ଓ ଘନଘନ ଓକିଲ ନୋଟିସ ଆସିଥିଲା। ରଙ୍ଗବତୀ ଗୀତକୁ ରିମିକ୍ସ କରିବା ପାଇଁ ସେ ମୂଳ ସ୍ଵତ୍ବାଧିକାରୀଙ୍କ ଠାରୁ ଅନୁମତି ନେଇ ନଥିଲେ ଓ ଏହାର କିଛି ଅଂଶକୁ ଏପଟ ସେପଟ କରିଥିଲେ ବୋଲି ଅଭିଯୋଗ କରାଯାଇଥିଲା।

ଆଥଲେଟିକ୍ ଚମ୍ପିଆନସିପ

୨୦୧୭ରେ ଭୁବନେଶ୍ୱରରେ ଅନୁଷ୍ଠିତ ୨୨ତମ ଏସୀୟ ଆଥଲେଟିକ୍ ଚମ୍ପିଆନସିପରେ ଶଙ୍କର ମହାଦେବନ ଯେତେବେଳେ ରଙ୍ଗବତୀ ଗୀତ ପରିବେଷଣ କଲେ ସୋନା ମହାପାତ୍ର ଏହାକୁ ଓଡ଼ିଆଙ୍କ ‘ଦୋ ମୁହାଁ ‘ନୀତି ବୋଲି ସମାଲୋଚନା କରିଥିଲେ।

ଭାଇଯାନଙ୍କୁ ନେଇ ଟୁଇଟର

ନିଜ ତୁଣ୍ଡକୁ କେବେବି ନିୟନ୍ତ୍ରଣରେ ରଖୁ ନଥିବା ଓ ବିବାଦୀୟ ମନ୍ତବ୍ୟ ଦେଇ ମଧ୍ୟ କେବେବି ଦୋଷ ସ୍ୱୀକାର କରୁନଥିବା ସୋନା ଅତୀତରେ ସଲମାନ ଖାଁଙ୍କ ବିରୁଦ୍ଧରେ ମଧ୍ୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ।

୨୦୧୬ରେ ସଲମାନ ଦୁଷ୍କର୍ମକୁ ନେଇ ଏକ ପ୍ରତିକୂଳ ମନ୍ତବ୍ୟ ଦେବା ପରେ ସୋନା ସଲମାନଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରିବାକୁ ପଛାଇନଥିଲେ। ଉତ୍ତରରେ ସୋନା ସଲମାନଙ୍କ ସହ ସମସ୍ତଙ୍କୁ ତାଗିଦ କରିଥିଲେ ଯେ ରେପ୍ ଏକ ମଜା କଥା ନୁହେଁ। ଏହି ଘଟଣା ପରେ ସଲମାନଙ୍କ ଫ୍ୟାନମାନେ ସୋନାଙ୍କୁ ଗାଳି ଫଚିତ କରିଥିଲେ ଓ ଏପରିକି ତାଙ୍କୁ ରେପ୍ କରିବାର ଧମକ ବି ଦେଇଥିଲେ। କିନ୍ତୁ ସୋନା ଏଥିରେ ଆଦୌ ବିଚଳିତ ହୋଇ ନଥିଲେ। ନିକଟରେ କୃଷ୍ଣସାର ମୃଗ ମାମଲାରେ ସଲମାନ ଦୋଷୀ ସାବ୍ୟସ୍ତ ହେବା ପରେ ଟୁଇଟରରେ ସୋନା ଭାଇଯାନଙ୍କୁ ଥଟ୍ଟା କରି କହିଥିଲେ ଏବେ ‘ଡାଡି ତାଙ୍କ ପାଇଁ ଦୁଃଖିତ କହିବେ କି?’

କଂଗନା-ହ୍ରିତିକ ବିବାଦ

ହ୍ରିତିକ ରୋସନ-କଙ୍ଗନା ବିବାଦରେ ସୋନା କଂଗନାଙ୍କୁ ନେଇ ବଲିଉଡରେ ଯେଉଁ ଉଠାପକା ଚାଲିଲା ଓ ବିଭିନ୍ନ ଷ୍ଟାର ଯେଉଁଭଳି ଉଭୟଙ୍କ ପକ୍ଷ ରଖିଥିଲେ, ସୋନା କିନ୍ତୁ କଙ୍ଗନାଙ୍କୁ ଦି ପଦ ଶୁଣାଇଥିଲେ। କଙ୍ଗନା ଯେଉଁ ବିବାଦ ସୃଷ୍ଟି କରିଥିଲେ ତାହାକୁ ଏକ ଡ୍ରାମା ବୋଲି କହିବା ସହିତ ନାରୀବାଦ ପ୍ରତି ଏହା ଏକ ଉପହାସ ବୋଲି ସୋନା କଙ୍ଗନଙ୍କୁ ଝାଡ଼ିଥିଲେ। କଂଗନା ବ୍ୟକ୍ତିଗତ ମାମଲାକୁ ବ୍ୟବହାର କରି ନିଜର ଆଗାମୀ ଫିଲ୍ମର ପ୍ରମୋସନ କରୁଛନ୍ତି ବୋଲି ସୋନା ସମାଲୋଚନା କରିଥିଲେ।

ସୋନାକ୍ଷୀଙ୍କ ସହ ଝଗଡ଼ା

ଗତ ବର୍ଷ ଜଷ୍ଟିନ୍ ବେବେର ମୁମ୍ବାଇରେ ଏକ କଂସର୍ଟ ପାଇଁ ଆସିଥିଲେ। ଦବଙ୍ଗ ଆକଟ୍ରେସ ସୋନାକ୍ଷୀ ଏଥିରେ ଗୀତ ଗାଇବାର କାର୍ଯ୍ୟକ୍ରମ ରଖା ଯାଇଥିଲା। କୈଳାସ ଖେର, ଅରମାନ ମାଲିକଙ୍କ ଭଳି ନାମୀ ଦାମୀ କଳାକାରଙ୍କ ସହ ସୋନାକ୍ଷୀ କେଉଁ ଖାତିରିରେ ଗୀତ ଗାଉଛନ୍ତି ବୋଲି ସୋନା ପ୍ରଶ୍ନ କରିଥିଲେ। ସୋସିଆଲ ମିଡିଆରେ ସୋନା କହିଥିଲେ ଏହା ଦ୍ୱାରା ସୋନାକ୍ଷୀ ଅସଲି ଗାୟକ ଓ ସଙ୍ଗୀତକାର ମାନଙ୍କୁ ଅପମାନିତ କରୁଛନ୍ତି। ଏହି ମନ୍ତବ୍ୟ ପରେ ସୋନାକ୍ଷୀ ସୋନା ମହାପାତ୍ରଙ୍କ ଟୁଇଟର ଆକାଉଣ୍ଟକୁ ବ୍ଲକ କରିଦେଇଥିଲେ ହେଁ ମଧ୍ୟ ସୋନା ତାଙ୍କୁ ଛାଡ଼ିନଥିଲେ।

 

 

Comment