ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ସମିତି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ଉପରେ ଗୁରୁତ୍ୱ ଦେଇଛନ୍ତି।

“ଦାରିଦ୍ର୍ୟ ଏବଂ ସାମାଜିକ ଅନ୍ୟାୟ ହେଉଛି ସବୁଠୁ ବଡ଼ ହିଂସା। ଯେ ପର୍ଯ୍ୟନ୍ତ ଦେଶରେ ଦାରିଦ୍ର୍ୟ ରହିଛି ସେ ପର୍ଯ୍ୟନ୍ତ ସ୍ୱାଧୀନତା କିଛି ମୂଲ୍ୟ ନାହିଁ। ଦାରିଦ୍ର୍ୟ ଦୂରୀକରଣ ହେଉଛି ସରକାରଙ୍କର ମୂଳ କର୍ତ୍ତବ୍ୟ। ଅହିଂସା ବିନା ଦାରିଦ୍ର୍ୟ ଦୂରୀକରଣ ହାସଲ କରିବା ସମ୍ଭବ ନୁହେଁ। ମହାତ୍ମା ଗାନ୍ଧିଙ୍କର ସବୁଠୁ ବଡ଼ ନୀତି ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଉ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ସମିତି ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ଗାନ୍ଧିଜୀଙ୍କ ଅହିଂସା ଉପରେ ଗୁରୁତ୍ୱ ଦେଇଥିଲେ।

ନବୀନ ଆହୁରି କହିଛନ୍ତି ଯେ ସମ୍ବିଧାନରେ ଅହିଂସା ଶବ୍ଦକୁ ସ୍ଥାନିତ କରାଯାଉ। ଏହା ହିଁ ହେବ ମହାତ୍ମା ଗାନ୍ଧିଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆଗାମୀ ବଂଶଧରମାନେ ଏହାକୁ ମନେ ରଖିବେ ଏବଂ ହୃଦୟଙ୍ଗମ କରିବେ।

୨୦୧୯ ଅକ୍ଟୋବର ୨ରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀକୁ ଧୁମଧାମରେ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିଲା ପ୍ରଥମ ବୈଠକ। ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ।

Comment