ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ଭାରତରେ ଝଡ଼ ତୋଫାନର ତାଣ୍ଡବ। ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ୮୫ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।

ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଭୟଙ୍କର ପ୍ରବଳ ବର୍ଷା ସାଙ୍ଗକୁ ଝଡ଼। ଭୀଷଣ ବତାସ ବହିବା ଯୋଗୁଁ ଗଛ ଉପୁଡ଼ି ପଡ଼ିବା ଓ କାନ୍ଥ ଭାଙ୍ଗିଯିବା ଫଳରେ ୮୫ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି।

ବୁଧବାର ଦିନ ପଶ୍ଚିମ ଉତ୍ତର ପ୍ରଦେଶର ୪ଟି ଜିଲ୍ଲାରେ ଝଡ଼ବର୍ଷା ଯୋଗୁଁ ୪୨ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଆଗ୍ରାରେ ୩୬ ଜଣ, ବିଜ୍‌ନୋର୍‌ରେ ୩ ଜଣ, ସାହାନରପୁରରେ ୨ ଜଣ ଏବଂ ବରେଲିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ତୁରନ୍ତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାରିଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରାଜସ୍ଥାନରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନରେ ୨୨ ଜଣ ପ୍ରାଣ ହରାଇଛନ୍ତି ଓ ୨୫ ଜଣ ଆହତ ହୋଇଛନ୍ତି। କେତେକ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି। ବର୍ଷା ଓ ଝଡ଼ ତୋଫାନରୁ ବହୁ ପରିମାଣର ଫସଲ ନଷ୍ଟ ହୋଇଛି।

ଦିଲ୍ଲୀ-ଏନ୍‌ସିଆର, ଉତ୍ତର ପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହରିୟାଣାରେ ଝଡ଼ ସହ ପ୍ରବଳ ବର୍ଷା ହୋଇଛି। ଉତ୍ତରାଖଣ୍ଡ ଚମୋଲିଠାରେ ବାଦଲ ଫଟା ବର୍ଷାରୁ ପ୍ରବଳ ମାତ୍ରାରେ କ୍ଷତି ଘଟିଛି। ଏଥିରେ କାହାର ମୃତାହତ ହେବାର ସୂଚନା ମିଳିନାହିଁ।

ଭୀଷଣ ବତାସ ବହିବା ଯୋଗୁଁ ଗଛ ଉପୁଡ଼ି ପଡ଼ିବା ଓ କାନ୍ଥ ଭାଙ୍ଗିଯିବା ଫଳରେ ବିଜୁଳି ସରବରାହ ଏବଂ ଟ୍ରେନ୍‌ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି।

Comment