ଡକ୍ଟର ହରପ୍ରସନ୍ନ ଦାସ

(ତୃତୀୟ ଭାଗ)

କିଛିଟା ବାଧା ରହିଛି ଯେଉଁଥିପାଇଁ ଆମେ ସୃଜନାତ୍ମକ ଭାବନାରେ ସଫଳତା ପାଇପାରିନଥାଉ। ସେ ସମ୍ପର୍କରେ ଆଲୋଚନା:

ଅନିଶ୍ଚିତତାର ଭୟ

ଆମେମାନେ ସାଧାରଣତଃ ଏକ ନିଶ୍ଚିତ ସ୍ତରରେ ରହିବାକୁ ଭଲପାଉ। ଅର୍ଥାତ୍ କୌଣସି ସମୟରେ ଏକ ଅନିଶ୍ଚିତ ପରିସ୍ଥିତିକୁ ଆନନ୍ଦରେ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନା। ଯଦି ବ୍ୟକ୍ତିଗତ ଜୀବନରେ ଅବା କାର୍ଯ୍ୟକ୍ଷେତ୍ରରେ ସବୁକିଛି ଏକ ପ୍ରକାରର ଭଲରେ ଚାଲିଛି ଆମେ ସେତିକିରେ ଖୁସି। ଅଧିକ ଉନ୍ନତି ପାଇଁ କୌଣସି ରିସ୍କ ନେବାକୁ ଆଗ୍ରହ ପ୍ରକାଶ କରୁନା। କାରଣ ହେଲା ଅନିଶ୍ଚିତତାର ଭୟ କାଳେ ଯଦି ଆମର ଉନ୍ନତି ପରିବର୍ତ୍ତେ  ଅବନତି ହୋଇଯିବ।

ଆମେ ଭଲଭାବରେ ଜାଣୁ ମଣିଷ ଜୀବନଟା ଅନିଶ୍ଚିତତାରେ ପରିପୂର୍ଣ୍ଣ। କେତେବେଳେ କ’ଣ ହେବ କେହି ଜାଣିନି। ତଥାପି ସବୁଥିରେ ନିଶ୍ଚିତ ହୋଇ ରହିବାକୁ ଭଲପାଉ। କିନ୍ତୁ ଅନିଶ୍ଚିତତା ଆମପାଇଁ ଏକ ଆହ୍ୱାନ ହେବା ଦରକାର।

ନିରାଶା ମନୋଭାବ

ଆମେ ମନରେ ଅନେକ ଆଶାରଖି ସଫଳତାର ସ୍ୱପ୍ନ ଦେଖୁ। କୌଣସି କାମର ବିଫଳତାରେ ଭାଙ୍ଗିପଡ଼ିଲେ ବି ନୂଆ ଆଶାନେଇ କାମଟି କରିବାକୁ ଚେଷ୍ଟାକରୁ, କିନ୍ତୁ ବାରମ୍ବାର ବିଫଳତା ଦ୍ୱାରା ମନରେ ନିରାଶା ଭାବ ଜନ୍ମନିଏ ଏବଂ ଏଭଳି ଦୃଢ଼ ହୋଇଯାଏ ଯେ ଆଉ ଏକ ନୂଆ ଆଶା ସୃଷ୍ଟି ହେବା ବଡ଼ କଷ୍ଟକର ହୋଇଯାଏ।

ସୃଜନାତ୍ମକ ଭାବନା ଦ୍ୱାରା ଆମ ମନରେ ନୂଆ ଆଶାମାନ ସୃଷ୍ଟି ହୋଇଥାଏ ଓ ସଫଳତାର ବିଭିନ୍ନ ଉପାୟମାନ ମିଳିଥାଏ କିନ୍ତୁ ନିରାଶା ମନୋଭାବ ଦ୍ୱାରା ସୃଜନାତ୍ମକ ଭାବନା ବାଧାପ୍ରାପ୍ତ ହୋଇଯାଏ ଏହା ଏପରି ଏକ ମାନସିକ ବ୍ୟାଧି ଯାହା ସଫଳତାର ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତିଙ୍କୁ ମଧ୍ୟ ପଛରୁ ଟାଣି ତଳକୁ ଖସାଇ ଦେଇଥାଏ।

ବୁଝିବା ପରିବର୍ତ୍ତେ ବୁଝାଇଦେବା

ଭାବିଲେ ବଡ଼ ଆଶ୍ଚର୍ଯ୍ୟ ଲାଗେ ଯେ, ଆମେମାନେ ଅଧିକାଂଶ ବିଷୟ ଜାଣିବି ଅଜଣା ପରି କାମ କରିଥାଉ। ଉଦାହରଣସ୍ୱରୂପ- ଆମେ ଆମର ଦକ୍ଷତା ବିଷୟରେ ସମ୍ପୂର୍ଣ୍ଣ ରୂପେ ନହେଲେ ବି ବିଶେଷଭାବେ ସଚେତନ। କିନ୍ତୁ ବେଳେବେଳେ ଏକ ନିର୍ଦ୍ଦିଷ୍ଟ କାମକୁ ସଫଳତାର ସହିତ କରିପାରିବୁ ବୋଲି ଜାଣିବି କରିବାକୁ ଆଗ୍ରହ ପ୍ରକାଶ କରିନଥାଉ। ଆମର ନିକଟତମ ଲୋକମାନେ ଯେତେ ବୁଝାଇଲେ ବି ଆମେ ବୁଝିବାକୁ ପ୍ରସ୍ତୁତ ନଥାଉ। ନିଜେ ବୁଝିବା ପରିବର୍ତ୍ତେ ସେମାନଙ୍କୁ କାମଟି ନକରିପାରିବାର ବିଭିନ୍ନ କାରଣ ସମ୍ପର୍କରେ ବୁଝାଇ ଦେଇଥାଉ। ଆଉ ଅନ୍ୟମାନଙ୍କୁ ସେଇ ବୁଝାଇଦେବାରେ ନିଜର ବାହାଦୂରୀ ନେଇଥାଉ ଏବଂ ଆତ୍ମସନ୍ତୋଷ ବି ପାଇଥାଉ। ଯେ- ‘ଯାହାହେଉ ମୁଁ ଲୋକମାନଙ୍କୁ ବୁଝାଇଦେଲି’।

ଆମେ ଜାଣିପାରୁନା ଯେ ଅନ୍ୟମାନଙ୍କୁ ବୁଝାଇବାବେଳେ ଅଜାଣତରେ ନିଜର ସୃଜନାତ୍ମକ ଭାବନାର ବ୍ୟବହାର କରିଥାଉ। କ’ଣ କେମିତି କହିଲେ ଅନ୍ୟଲୋକଟିକୁ ବୁଝାଇଦେଇ ପାରିବି ତାହାହିଁ ସୃଜନାତ୍ମକ ଭାବନା। ଏହି ଦକ୍ଷତାଟି ଅଛି ବୋଲି ଆମେ ଅନ୍ୟମାନଙ୍କୁ ବୁଝାଇ ଦେଇପାରୁଛୁ। ବିଫଳତାର କାରଣ ସମ୍ପର୍କରେ ଅନ୍ୟକୁ ବୁଝାଇଦେବା ପରିବର୍ତ୍ତେ କେଉଁ ଉପାୟରେ କାମଟି କଲେ ସଫଳତା ମିଳିବ ତାହା ବୁଝିବାକୁ ଚେଷ୍ଟା କରିବାଟା ସୃଜନାତ୍ମକ ଭାବନାର ସଫଳ ବ୍ୟବହାର।

ଭାଗ୍ୟର ଖେଳ

ଜଣେ ସୃଜନାତ୍ମକ ଭାବନା ଦ୍ୱାରା ସଫଳତା ପାଇଗଲେ ଅନ୍ୟମାନେ ଏହାକୁ ଭାଗ୍ୟର ଖେଳ ବୋଲି କହିଥାନ୍ତି। ସୃଜନାତ୍ମକ ଭାବନା ଦ୍ୱାରା ସେ ଦକ୍ଷତାର ସଠିକ୍ ବ୍ୟବହାର କରିଛି ବୋଲି ସେମାନେ ମାନନ୍ତିନି ତାଙ୍କ ମତରେ ଭାଗ୍ୟରେ ନଥିଲେ ଏଭଳି ଅସାଧାରଣ ସଫଳତା ମିଳିବା ସହଜ ନୁହେଁ। ତାଙ୍କ କଥାରେ ଏକମତ ନହେଲେ ଆହୁରି କହିବାକୁ ପଛାନ୍ତିନାହିଁ ଯେ ସମସ୍ତେ ଭାବିଚିନ୍ତି କାମ କରନ୍ତି କିନ୍ତୁ ସଫଳତା ପାଆନ୍ତିନି। ନୂଆ ଉପାୟରେ କାମ କରିବାକୁ କିଏ ନଚାହେଁ ଯେତେ ସୃଜନାତ୍ମକ ଭାବନା ଥାଉ ଭାଗ୍ୟରେ ନଥିଲେ ସଫଳତା ମିଳିବ ନାହିଁ’। ସୃଜନାତ୍ମକ ଭାବନା ଏକ ଅଲୌକିକ ଘଟଣା ନୁହେଁ ତାହା ସେମାନେ ବୁଝନ୍ତି ନାହିଁ।

ସଫଳତା ପାଇବା ପାଇଁ ଅନେକ ଲୋକ ସୃଜନାତ୍ମକ ଭାବନା ଉପରେ ବିଶ୍ୱାସ ନରଖି ବିଭିନ୍ନ ପ୍ରକାରର ପଥରଲଗା ମୁଦି, ଡେଉଁରିଆ ଓ ଲକେଟ୍ ପିନ୍ଧିଥାନ୍ତି। କିନ୍ତୁ ସେମାନେ ଭୁଲିଯାନ୍ତି ଯେ ଏହି ପଥର, ଡେଉଁରିଆ ବା ଲକେଟ୍‌ଗୁଡ଼ିକ କୌଣସି ବ୍ୟକ୍ତିଙ୍କର ସୃଜନାତ୍ମକ ଭାବନାର ଫଳ। ଅନେକ ଠାକୁରଙ୍କର ପୂଜା ଅର୍ଚ୍ଚନାକୁ ଫଳପ୍ରାପ୍ତିର ଉପାୟ ଭାବିଥାନ୍ତି ଏସବୁର ଫଳାଫଳ କ’ଣ ତାହା ଆମେ ବେଶ୍ ଅନୁଭବ କରିଛେ। ଏହା ଚିରନ୍ତନ ସତ୍ୟ ‘ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ସୃଜନାତ୍ମକ ଭାବନାର ଦକ୍ଷତା ରହିଛି ଓ ତାହାର ସଦ୍ ବ୍ୟବହାର ଦରକାର’।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

LEAVE A REPLY

Please enter your comment!
Please enter your name here