ଡକ୍ଟର ହରପ୍ରସନ୍ନ ଦାସ

ନିଜ ଭୁଲ୍କୁ ମାନିବା ପରିବର୍ତ୍ତେ ଆମେ ନିଜ ସପକ୍ଷରେ ଅନେକ ସଫେଇ ଦେଉ, ହେଲେ ଏଥିରେ ଲାଭ ପରିବର୍ତ୍ତେ  ନିଜର ଏବଂ ପରିବାରର କ୍ଷତି ହୋଇଥାଏ

ଏକ ମଧ୍ୟବିତ୍ତ ଶିକ୍ଷିତ ପରିବାରରେ ଜନ୍ମହୋଇ, ଉଚ୍ଚଶିକ୍ଷା ସହିତ ଏକ ସମ୍ଭ୍ରାନ୍ତ ପରିବାରରେ ବିବାହକରି ଶିକ୍ଷିତ ଓ ଶୃଙ୍ଖଳିତ ବୋହୂ ହିସାବରେ ମୋର ପରିଚୟ ସୃଷ୍ଟି ହୋଇଥିଲା। ସମସ୍ତଙ୍କୁ ଖୁସି କରିପାରୁଥିଲି ବୋଲି ମନରେ ଗର୍ବ ଥିଲା। ଶ୍ୱଶୁର ଘରର ପ୍ରଶଂସା ଯୋଗୁ ବାପଘରେ ସମସ୍ତେ ମୋତେ ନେଇ ଗର୍ବ କରୁଥିଲେ। ବାହାଘରର ଦୁଇବର୍ଷ ପରେ ମୁଁ ମାଆ ହେଲି। ଏକ ଦାୟିତ୍ୱସମ୍ପନ୍ନ ମାଆ ହିସାବରେ ମୋର ଯୋଗ୍ୟତା ପ୍ରମାଣ କରିବାକୁ ଚେଷ୍ଟା କଲି।

ଏବେ ମୋର ପୁଅ ସ୍କୁଲ୍‌ରେ ଆଉ ଝିଅ କଲେଜରେ ପଢ଼ୁଛନ୍ତି। ମୋର ସ୍ୱାମୀ ଉଚ୍ଚ ପଦବୀରେ ସରକାରୀ ଚାକିରୀ କରନ୍ତି। ମୋ ଉପରେ ସମସ୍ତଙ୍କର ବିଶ୍ୱାସ ଅଛି। ମୁଁ ସବୁ ଦାୟିତ୍ୱ ଠିକ୍ ଭାବେ ନେଇପାରେ ବୋଲି ସେ କୌଣସିଥିରେ ମୁଣ୍ଡ ପୁରାନ୍ତି ନାହିଁ ଆଉ ସେଥିପାଇଁ ମୋର ଆତ୍ମବଡ଼ିମାଟା ଟିକେ ବେଶୀ ଥିଲା। ନିଜ ଉପରେ ମାତ୍ରାଧିକ ଭରସା ଯୋଗୁ ମତେ ଯାହା ଭଲ ଲାଗୁଥିଲା ତାହା କରୁଥିଲି। ହେଲେ ଏବେ ୨୦ ବର୍ଷ ପରେ ଆତ୍ମସମୀକ୍ଷା କରି ବୁଝିପାରୁଛି ପିଲାମାନଙ୍କର ଲାଳନପାଳନରେ ମୁଁ କେତେ ଭୁଲ୍ କରିଛି।

ସେହି ଭୁଲ୍ ନକରିଥିଲେ ମୁଁ ମାନସିକ ଶାନ୍ତି ପାଇବା ସହିତ ମୋ ପିଲାମାନଙ୍କର ଜୀବନ ଆହୁରି ଉନ୍ନତ ହୋଇପାରିଥାନ୍ତା। ଏବେ ମୋ ଆଖି ଖୋଲିଯାଇଛି। ଦିବ୍ୟଦୃଷ୍ଟି ପାଇ ମୁଁ ନିଜକୁ ଚିହ୍ନିପାରିଛି। ମୁଁ ଏବେ ଆନନ୍ଦ ଅନୁଭବ କରୁଛି କାରଣ ମୁଁ ମୋ ନିଜର ଭୁଲ୍‌କୁ ବୁଝିପାରିଛି। ନିଜ ଭୁଲ୍‌କୁ ମାନିବା ପରିବର୍ତ୍ତେ ଆମେ ନିଜ ସପକ୍ଷରେ ଅନେକ ସଫେଇ ଦେଉ, ହେଲେ ଏଥିରେ ଲାଭ ପରିବର୍ତ୍ତେ  ନିଜର ଏବଂ ପରିବାରର କ୍ଷତି ହୋଇଥାଏ। ଏଣୁ ମୋର ଭୁଲଗୁଡ଼ିକୁ ଏଠାରେ ଲେଖିବାକୁ ଚାହୁଁଛି, ଯାହାଫଳରେ ସବୁ ମାଆମାନେ ଏଥିରୁ ଶିକ୍ଷା ଲାଭ କରି ନିଜ ଜୀବନରେ ସେପରି ଭୂଲ୍ ଆଉ କରିବେନି।

ମୋର ପ୍ରଥମ ଭୁଲ୍‌ଟି ଥିଲା ନିଜ ଉପରେ ମାତ୍ରାଧିକ ଭରସା। ନିଜକୁ ସବୁ କ୍ଷେତ୍ରରେ ସ୍ୱୟଂସମ୍ପୂର୍ଣ୍ଣ ଭାବି ମୁଁ କାହା କଥା ଶୁଣୁନଥିଲି। ମୁଁ ସବୁକାମ ଜାଣିଛି ଓ ଠିକ୍‌ଠାକ୍ କରିପାରିବି ଏହାହିଁ ମୋର ଦୃଢ଼ ଧାରଣା ଥିଲା। ଏଣୁ ନିଜର ଭୁଲ୍ ମାନିବାକୁ ମୁଁ ପ୍ରସ୍ତୁତ ନଥିଲି। ବରଂ ସଫେଇ ଦେଇ ଅନ୍ୟମାନଙ୍କ ସହିତ ଯୁକ୍ତି କରୁଥିଲି। ପିଲାମାନଙ୍କର କଥା ନଶୁଣି ମୋ ମତକୁ ସେମାନଙ୍କ ଉପରେ ଚାପି ଦେଉଥିଲି।

ମୋର ଦ୍ୱିତୀୟ ଭୁଲ୍ ଥିଲା ମୁଁ କେବେ ପିଲାମାନଙ୍କର ମନକୁ ବୁଝିବାକୁ ଚେଷ୍ଟା କରୁନଥିଲି। ସେମାନଙ୍କର ସ୍ୱତନ୍ତ୍ର ପରିଚୟକୁ, ଭାବନାକୁ ବା ଅନୁଭବକୁ ବୁଝିବାକୁ ଚେଷ୍ଟା କରୁନଥିଲି। ତାଙ୍କର ଯେ ମନଟିଏ ଅଛି, ଆଶା ଓ ସ୍ୱପ୍ନ ଅଛି ସେକଥାକୁ ମାନିବାକୁ ପ୍ରସ୍ତୁତ ନଥିଲି। ସେମାନେ ବି ସ୍ୱାଧୀନ ଭାବରେ ଭାବିବା ଦରକାର ବା ନିଜ ପାଇଁ କିଛିଟା ନିଷ୍ପତ୍ତି ନେଇପାରିବେ ସେକଥା ପ୍ରତି ମୋର ଧ୍ୟାନ ନଥିଲା। ମୋର ଧାରଣା ଥିଲା ସେମାନେ ଛୋଟ ପିଲା, ନିଜ ପାଇଁ ଭଲମନ୍ଦ ନିଷ୍ପତ୍ତି ନେବାଟା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ସେମାନଙ୍କର ଦକ୍ଷତା ବା ସାମର୍ଥ୍ୟକୁ ମୁଁ ଗୁରୁତ୍ୱ ଦେଲିନି। ଫଳରେ ସେମାନେ ନିଜ ଉପରେ ନିଜର ଭରସା ହରାଇ ବସିଲେ।

ମୋର ତୃତୀୟ ଭୁଲ୍‌ଟି ଥିଲା ମୁଁ ସେମାନଙ୍କ ପାଇଁ ନିଜକୁ ଭଗବାନ ବୋଲି ଭାବୁଥିଲି। କେଉଁଥିରେ ସେମାନଙ୍କର ଭଲ ହେବ କେବଳ ତାହା ବିଚାର କରି ମୋର ମତାମତ ସେମାନଙ୍କ ଉପରେ ଲଦି ଦେଉଥିଲି। ତାଙ୍କ ମତାମତ ଶୁଣିବାକୁ ମୋର ଧୈର୍ଯ୍ୟ ବା ଆଗ୍ରହ ନଥିଲା। ସେମାନଙ୍କ ପ୍ରତି ମୋର ଆଦେଶ ଥିଲା ମୁଁ ମାଆ ତେଣୁ ଯାହାବି କହୁଛି ତୁମର ଭଲପାଇଁ। କୌଣସି ଅଭିଯୋଗ ନକରି କାମ କରିଯାଅ ନିଶ୍ଚିତ ଭଲଫଳ ପାଇବ। ସେମାନେ ମୋର କଥାକୁ ସାମାନ୍ୟ ମାତ୍ରାରେ ନମାନିଲେ ମୁଁ ରାଗିଯାଇ ନିଷ୍ଠୁର ଭାବରେ ଶାସନ କରୁଥିଲି। ସେଥିପାଇଁ ଆଜି ମୁଁ ଅନୁତାପ କରୁଛି।

ଚାଣକ୍ୟଙ୍କ ମତରେ ୧୬ ବର୍ଷ ହୋଇଗଲେ ପିଲାମାନଙ୍କ ସହିତ ସାଙ୍ଗ ଭାବରେ ମିଶିବା ଉଚିତ୍। ତାହେଲେ ସେମାନେ ତୁମ ପାଖରେ ସ୍ୱାଧିନ ଭାବରେ ମନଖୋଲି ତାଙ୍କ ଭାବନାକୁ କହି ପାରିବେ। ଆମେ ବି ସେମାନଙ୍କୁ ଠିକ୍ ରୂପେ ବୁଝିପାରିବା। ଦୁଃଖର କଥା ମୁଁ କେବେବି ମୋ ପିଲାମାନଙ୍କ ସହିତ ସାଙ୍ଗ ପରି ମିଶିପାରିନାହିଁ। ସେମାନଙ୍କ ସ୍ତରକୁ ଖସି ଆସି ମନଖୋଲି କଥା ହୋଇନାହିଁ। ସେମାନେ ବି ଭୟଭୀତ ହୋଇ ନିଜକୁ ମୋଠାରୁ ଦୂରେଇ ରଖୁଥିଲେ। ମନଖୋଲି ସତକଥା କହିବା ପରିବର୍ତ୍ତେ ଅନେକ କଥା ମୋଠାରୁ ଲୁଚାଇ ରଖୁଥିଲେ ଆଉ ମିଛ ବି କହୁଥିଲେ। ସତେ ଯେପରି ତାଙ୍କ ମୋ ଭିତରେ ଏକ ବଡ଼ ପ୍ରାଚୀର ଥିଲା। ନା ସେମାନେ ମତେ ବିଶ୍ୱାସ କରୁଥିଲେ, ନା ମୁଁ ସେମାନଙ୍କୁ ବିଶ୍ୱାସ କରୁଥିଲି। ମତାନ୍ତର ସହିତ ମନାନ୍ତର ବି ଥିଲା। ଫଳରେ ସମ୍ପର୍କରେ ତିକ୍ତତା ଭରି ରହିଥିଲା।

ମୋର ପଞ୍ଚମ ଭୁଲ୍‌ଟି ଥିଲା ବଡ଼ ମାରାତ୍ମକ। ମୁଁ ସେମାନଙ୍କର ଦୋଷ କାଢ଼ିବାରେ ପାରଙ୍ଗମ ଥିଲି। ମୁଁ ତାଙ୍କର ଟିକେ ଟିକେ ଦୋଷକୁ ବଡ଼ ଆକାରରେ ବନ୍ଧୁବାନ୍ଧବ, ଏପରିକି ସେମାନଙ୍କର ସାଙ୍ଗମାନଙ୍କୁ ମଧ୍ୟ କହି ବୁଲୁଥିଲି। କ୍ଷମା ଦେବା ପରିବର୍ତ୍ତେ ଦଣ୍ଡ ଦେବାକୁ ପଛାଉନଥିଲି। ସେମାନଙ୍କ ଦୋଷକୁ ସୁଧାରିବା ପରିବର୍ତ୍ତେ ବିରକ୍ତିଭାବ ପ୍ରକାଶକରି ସମାଲୋଚନା କରୁଥିଲି। ସବୁବେଳେ ପିଲାମାନଙ୍କୁ ଅନ୍ୟ ପରିବାରର ପିଲାମାନଙ୍କ ସହିତ ତୁଳନା କରୁଥିଲି। ପ୍ରମାଣ କରିବାକୁ ଚେଷ୍ଟା କରୁଥିଲି ଯେ ମୋର ଶାସନ ଠିକ୍ ଓ ମୋ ପିଲାମାନେ ଶୃଙ୍ଖଳିତ। ପିଲାମାନଙ୍କର ଭୁଲ୍‌ଟା ମୋର ସୁଶାସନ ପ୍ରତି ଅପମାନଜନକ ଥିଲା ବୋଲି ମୁଁ ଭାବୁଥିଲି। ଭୁଲି ଯାଇଥିଲି ଯେ ମଣିଷମାତ୍ରକେ ଭୁଲ୍ ଓ ଆମେ ଭୁଲ୍‌ରୁ ହିଁ ଅନେକ କିଛି ଶିଖିଥାଉ। ସବୁବେଳେ ମୁଁ ଭଲ ଓ ମୋ ପିଲାମାନେ ଭଲ, ପ୍ରମାଣ କରିବା ହିଁ ମୋର ଲକ୍ଷ୍ୟ ଥିଲା।

ଆଜି ପିଲାମାନେ ପାଠ ପଢ଼ିବା ପାଇଁ ମୋଠାରୁ ଦୂର ସ୍ଥାନକୁ ଚାଲି ଯାଇଛନ୍ତି। ସେମାନେ ନିଜ ଭବିଷ୍ୟତ ନିଜେ ଗଢ଼ିବେ। ହୁଏତ ଅନ୍ୟ ଏକ ସହରରେ ନିଜର ଜୀବନ ଗଢ଼ିପାରନ୍ତି। ଆଜି ଏକାକୀ ବସି ମୁଁ ଅତୀତର ଭୁଲ୍ ସମ୍ପର୍କରେ ସମୀକ୍ଷା କରୁଛି। ଆଖିରେ ଲୁହ ରଖି ଅନୁତାପ କରୁଛି। ଆଜି ବୁଝିପାରୁଛି ପିଲାମାନଙ୍କ ପ୍ରତି ମୁଁ କେତେ ଅନ୍ୟାୟ କରିଛି ଓ ତାଙ୍କ ସ୍ୱାଧିନତାକୁ କେତେ ନଷ୍ଟ କରିଛି। ସେ ସମୟ ଆଉ ଫେରି ଆସିବନି। କିନ୍ତୁ ମୋର ଏଇ ଭୁଲଗୁଡ଼ାକ ସମ୍ପର୍କରେ ପଢ଼ି ଅନ୍ୟମାନେ ହୁଏତ କିଛି ଶିଖି ନିଜ ପିଲାପ୍ରତି ଆଉ ମୋ ପରି ଅନ୍ୟାୟ କରିବେନି। ଜୀବନରେ ଶିଖିବାର ଶେଷ ନାହିଁ। ମୋର ଅନୁତାପ ହିଁ ଶିକ୍ଷାର ଉତ୍ସ ହେଉ ଏହାହିଁ ମୋର ଆଶା। ଡ଼େରିରେ ହେଉପଛେ, ମୁଁ ଆଜି ମୋର ଭୁଲ୍ ମାନୁଛି।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment