ଡକ୍ଟର ହରପ୍ରସନ୍ନ ଦାସ

କୌଣସି ଘଟଣା ଆମ ଜୀବନରେ ସମସ୍ୟା ସୃଷ୍ଟି କରିନଥାଏ ସେହି ଘଟଣା ପ୍ରତି ଆମର ମନୋବୃତ୍ତି ବା ଦୃଷ୍ଟିଭଙ୍ଗୀ ହିଁ ସବୁପ୍ରକାରର ଧାରଣା ସୃଷ୍ଟି କରିଥାଏ ଏଣୁ ପରିସ୍ଥିତି ଯାହା ହେଉନା କାହିଁକି ଆମର ଦୃଷ୍ଟିଭଙ୍ଗୀ ସକାରାତ୍ମକ ଉତ୍ସାହଜନକ ହେବା ଉଚିତ୍

ସମୟ ସକାଳ ନଅଟା। ମୁଁ ଭାବିଲି ଏଇଟା ହିଁ ଠିକ୍ ସମୟ ଡାକ୍ତର ସୁରେନ୍ଦ୍ରଙ୍କ ସହିତ କଥା ହେବାର। ସେ ବର୍ତ୍ତମାନ ତାଙ୍କ କ୍ଲିନିକକୁ ଯାଉଥିବେ। ଡ୍ରାଇଭର୍ ଗାଡ଼ି ଚଲାଉଥିବ, ତେଣୁ ସେ ଆରାମରେ ମୋ ସହିତ କଥା ହୋଇପାରିବେ। ମୋର ନିଜର କିଛିଟା ବ୍ୟକ୍ତିଗତ କଥା ତାଙ୍କୁ କହିବାର ଥିଲା। ମୁଁ ତାଙ୍କୁ ଫୋନ୍ କଲି ଏବଂ କଥା ବି ହେଲି। କିନ୍ତୁ ସେ ଘରେ ଥିଲେ। ମୁଁ କିଛି କହିଲା ପୂର୍ବରୁ ସେ ଗମ୍ଭୀର ସ୍ୱରରେ କହିଲେ- ‘ମୋ ମନ ଭଲ ଲାଗୁନି, ଦେହ ବି ଟିକେ କ୍ଲାନ୍ତ ଲାଗୁଛି। କିଛି କାମ କରିବାକୁ ଇଛା ହେଉନାହିଁ। କିନ୍ତୁ କ୍ଲିନିକ୍ ଯିବାକୁ ତ ହେବ’। ଟିକେ ହସିଦେଇ କହିଲେ-‘ବୟସ ପଚାଶ ପାଖାପାଖି ହେଲାଣି ଦେହର ଶକ୍ତିତ କମିବ, ତେଣୁ ଶରୀର ଆଉ ମନକୁ ଟିକେ ବିଶ୍ରାମ ଦରକାର’।

ଡେରି ନକରି ମୁଁ ଉତ୍ତର ଦେଲି- ‘ମୁଁ ଆପଣଙ୍କ ମତାମତକୁ ସମ୍ମାନ ଦେଉଛି। କିନ୍ତୁ ହଠାତ୍ ଏପରି ଏକ ଧାରଣା କାହିଁକି ସୃଷ୍ଟି କରୁଛନ୍ତି ଯେ ବୟସ ପଚାଶ ବର୍ଷ ପାଖାପାଖି ହେଲେ ଦେହର ଓ ମନର ଶକ୍ତି କମିଯିବ ବୋଲି। ଏଇଟା ସତକଥା ଯେ ଆମ ଶରୀର ଆଉ ମସ୍ତିଷ୍କକୁ କିଛିଟା ବିଶ୍ରାମ ଦରକାର, ଯେହେତୁ ସେମାନେ ସବୁବେଳେ କାମରେ ଲାଗିଛନ୍ତି।  କିନ୍ତୁ ଏଥିରେ ଏତେ ବିଚଳିତ ହୋଇ କୌଣସି ପ୍ରକାରର ଉପସଂହାରକୁ ଆସିବା ଠିକ୍ ନୁହେଁ ଏଇଟା ସାଧାରଣ କଥା’।

କେବଳ ଡାକ୍ତର ସୁରେନ୍ଦ୍ର ନୁହଁନ୍ତି, ଆମ ଭିତରୁ ଅଧିକାଂଶ ଲୋକ ମନରେ ଏଭଳି ଧାରଣା ସୃଷ୍ଟି କରିଥାନ୍ତି। ଯେତେବେଳେ ଆମେ ଚାହୁଁଥିବା କାମଟି ଠିକ୍ ରୁପେ ହୁଏନାହିଁ ଅବା ଯାହା ଚାହୁଁ ତାହା ନପାଉ, ସେହି ସମୟରେ ଏହିପରି ଅବସାଦମୂଳକ ଭାବନା ମନକୁ ଆସିଥାଏ। ଆଉ ଅଧିକାଂଶ ଲୋକଙ୍କର ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ।

ଡାକ୍ତର ସୁରେନ୍ଦ୍ର ସରକାରୀ ଚାକିରି ଛାଡ଼ି ନିଜର କ୍ଲିନିକ୍ କରିଛନ୍ତି। ତାଙ୍କର ଭଦ୍ର ବ୍ୟବହାର, ନିଷ୍ଠାପର କାମ ଏବଂ ସେବା ମନୋବୃତ୍ତି ଯୋଗୁ ଲୋକମାନେ ତାଙ୍କୁ ସମ୍ମାନ ଦିଅନ୍ତି। ଏଣୁ ତାଙ୍କର କ୍ଲିନିକଟି ବି ଭଲଭାବରେ ଚାଲିଛି। ରୋଗୀମାନେ ବିଶ୍ୱାସର ସହିତ ତାଙ୍କ ପାଖକୁ ଆସନ୍ତି ସେ ଜଣେ ଜ୍ଞାନୀ ବ୍ୟକ୍ତି, ବହି ପଢ଼ିବାକୁ ତାଙ୍କର ଅତି ଆଗ୍ରହ।

ଜୀବନର ମୂଲ୍ୟବୋଧକୁ ସମ୍ମାନ ଦେଉଥିବା ଡାକ୍ତର ସୁରେନ୍ଦ୍ର ଉଚ୍ଚମାନର ଆଲୋଚନା ବି କରନ୍ତି। ମୋଟାମୋଟି କହିବାକୁ ଗଲେ ସେ ଜଣେ ଭଲଲୋକ ଓ ଅନ୍ୟମାନଙ୍କର ପ୍ରିୟ ବି। କିନ୍ତୁ ବେଳେବେଳେ ଛୋଟ ଛୋଟ ଘଟଣାରେ ସେ ଭାଙ୍ଗି ପଡ଼ି ନିରାଶାବାଦୀ ମନ୍ତବ୍ୟ ଦେବାର ମୁଁ ଦେଖିଛି।

କିଛିଦିନ ପରେ ସେ ପୁଣି ପୂର୍ବାବସ୍ଥାକୁ ଫେରିଆସନ୍ତି। ତାଙ୍କ ପରି ଅନେକ ବିଜ୍ଞ ଲୋକଙ୍କୁ ବି ମୁଁ ଏହିପରି ଦୁର୍ବଳ ମନଦ୍ୱାରା ଆକ୍ରାନ୍ତ ହେବାର ଦେଖିଛି।

ଆମ ସମସ୍ତଙ୍କର ଜୀବନରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଛି। ସେହି ଲକ୍ଷ୍ୟହାସଲ ଦିଗରେ ଆମେ ଅନବରତ କାର୍ଯ୍ୟ କରୁଛେ। ସମସ୍ତଙ୍କର ଇଚ୍ଛା ଯେ ମନକୁ ସୁହାଇଲା ଭଳି ଲକ୍ଷ୍ୟଟି ହାସଲ ହେବା ଦରକାର। କିନ୍ତୁ ଯେତେବେଳେ ଇଚ୍ଛା ଅନୁଯାୟୀ କାମଟି ହୁଏ ନାହିଁ, ସେ ସମୟରେ ଆମେ ମାନସିକ ସ୍ତରରେ ଦୁର୍ବଳ ହୋଇଯାଉ। ଆମର ଉତ୍ସାହ ଓ ଆତ୍ମବିଶ୍ୱାସ କମିଯାଏ।  ନିଜେ ଦୁଃଖି ହେଉ ଏବଂ ଅନ୍ୟମାନଙ୍କ ସହିତ ସେହି ବିଷୟରେ ଆଲୋଚନା କରୁ। ସତେ ଯେପରି ଅନ୍ୟମାନେ ଆମର ଦୁଃଖକୁ ଜାଣିବା ନିହାତି ଦରକାର। ଏଇଠି ମନରେ ଏକ ପ୍ରଶ୍ନ ଆସେ ଯେ ଅନ୍ୟମାନେ ଆମର ଦୁଃଖ ବିଷୟରେ ଜାଣିଲେ କଣ ଆମର ଲକ୍ଷ୍ୟ ହାସଲ ହୋଇଯିବ କି?

ସେହିପରି ବହୁତ ବିଜ୍ଞ ଓ ଜ୍ଞାନୀ ଲୋକମାନଙ୍କର ନିହାତି ସାଧାରଣ ନକାରାତ୍ମକ ମନ୍ତବ୍ୟ ଦେଇଥାନ୍ତି। ଉଦାହରଣସ୍ୱରୂପ – ନିଷ୍ଠାପର ହୋଇ କାମ କଲେ ହଇରାଣରେ ପଡ଼ିବ – ଏ ସମାଜରେ କାହାକୁ ବିଶ୍ୱାସ କରିବା ଉଚିତ୍ ନୁହଁ – ଯାହାକୁ ବିଶ୍ୱାସ କରିବ ସେ ହିଁ ଧୋକା ଦେବ- ସଚ୍ଚୋଟପଣିଆରେ ଚଳିହେବ ନାହିଁ – ଯେଉଁମାନେ ଅନ୍ୟାୟ  ଅଧର୍ମ ବାଟରେ ଯାଉଛନ୍ତି ସେଇମାନେ ଅଧିକ ଧନ ରାଜଗାର କରି ଆନନ୍ଦରେ ରହିଛନ୍ତି – ଯାହା ପାଖରେ ଅଧିକ ଟଙ୍କା ସେ ହିଁ ସୁଖି – ଗରିବମାନଙ୍କର ଜୀବନ ଅତି ଦୁଃଖମୟ ସେମାନେ ସୁଖଶାନ୍ତିରେ ରହିପାରନ୍ତି ନାହିଁ – ଯେଉଁମାନଙ୍କର ଉପର ମହଲରେ ଚିହ୍ନାପରିଚୟ ନାହିଁ ସେ ଜୀବନରେ କିଛି ବି ବଡ଼ କାମ କରିପାରିବେନି – ତମେ ଯାହାକୁ ସାହାଯ୍ୟ କରିବ ସେ ହିଁ ତମର କ୍ଷତି କରିବ। ଏଣୁ କାହାକୁ ସାହାଯ୍ୟ କରିବା ଉଚିତ୍ ନୁହେଁ।

ଏହିପରି କଥାଗୁଡ଼ିକର ଶେଷନାହିଁ। ଥରେ ନକାରାମତ୍କ ଭାବନା ଆସିଗଲେ, ଅନେକ କିଛି ଧାରଣା ମନରେ ଆସିବ। ଏପରି ଧାରଣା ରଖିଥିବା ଲୋକମାନଙ୍କୁ ହଠାତ୍ ସଠିକ୍ ଭାବେ ବୁଝାଇହେବ ନାହିଁ। ଆସ ନିଜକୁ ନିଜେ ପଚାରିବା ଯେ ଏହିଭଳି ଭାବନା ଆମର ଉପକାର କରୁଛି ନା ଅପକାର। ଟିକିଏ ଥଣ୍ଡା ମସ୍ତିଷ୍କରେ ଭାବିଲେ ଆମେ ନିଶ୍ଚୟ ଜାଣିପାରିବା ଯେ ଏହିସବୁ ନକାରାତ୍ମକ ଭାବନା ଆମର ଉପକାର ପରିବର୍ତ୍ତେ କ୍ଷତି ହିଁ କରିଥାଏ। ଆମର ମନକୁ ଦୁର୍ବଳ କରିବା ସହିତ ଆତ୍ମବିଶ୍ୱାସକୁ ବି କମାଇଦିଏ। ଆମେ ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଇଥାଉ।

ପ୍ରତ୍ୟେକ ଭାବନା ବା କାମର ଫଳାଫଳ ସମ୍ପର୍କରେ ସଠିକ୍ ସମୀକ୍ଷା ନକରି ବା ଅନୁଧ୍ୟାନ ନକରି ଆମେ ଏପରି ଅନେକ ନକାରାମତ୍କ ସିଦ୍ଧାନ୍ତରେ ପହଞ୍ଚିଥାଉ। ଡାକ୍ତର ସୁରେନ୍ଦ୍ରଙ୍କ ପରି ଅନେକ ବିଜ୍ଞ ଓ ଭଦ୍ରଲୋକ ଦୁର୍ବଳ ମନର ବଶବର୍ତ୍ତୀ ହୋଇ ନିଜ ଜୀବନର କ୍ଷତି କରିଥାନ୍ତି, ଯାହାର କୁପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିଥାଏ।

କୌଣସି ଘଟଣା ଆମ ଜୀବନରେ ସମସ୍ୟା ସୃଷ୍ଟି କରିନଥାଏ। ସେହି ଘଟଣା ପ୍ରତି ଆମର ମନୋବୃତ୍ତି ବା ଦୃଷ୍ଟିଭଙ୍ଗୀ ହିଁ ସବୁପ୍ରକାରର ଧାରଣା ସୃଷ୍ଟି କରିଥାଏ। ଏଣୁ ପରିସ୍ଥିତି ଯାହା ହେଉନା କାହିଁକି ଆମର ଦୃଷ୍ଟିଭଙ୍ଗୀ ସକାରାତ୍ମକ ଓ ଉତ୍ସାହଜନକ ହେବା ଉଚିତ୍। ଫଳରେ ଆମେ ସବୁପ୍ରକାରର ବାଧାବିଘ୍ନକୁ ଡେଇଁ ଏକ ସୁଖଶାନ୍ତି ଓ ଫଳପ୍ରଦ ଜୀବନଯାପନ କରିପାରିବା।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

LEAVE A REPLY

Please enter your comment!
Please enter your name here