ଡକ୍ଟର ହରପ୍ରସନ୍ନ ଦାସ

ଭଲ ମଣିଷଟିଏ ହେବାକୁ ହେଲେ ଶିକ୍ଷା, ଯୋଗ୍ୟତା, ଧନ ବା ପଦପଦବୀର ଆବଶ୍ୟକତା ନଥାଏ ମଣିଷପଣିଆର ଗୁଣଗୁଡ଼ିକୁ ବ୍ୟବହାରରେ ପ୍ରକାଶ କଲେହିଁ ଆମେ ଭଲ ମଣିଷଟିଏ ବୋଲି ପ୍ରମାଣ କରିପାରିବା

ମହିଳା ଜଣଙ୍କର ବୟସ ପ୍ରାୟ ଷାଠିଏ ପାଖାପାଖି ହେବ। ଗତ ୭ବର୍ଷ ଧରି ମୁଁ ତାଙ୍କୁ ଆମ ଅଞ୍ଚଳରେ ଦେଖି ଆସିଛି। କେବେ ରାସ୍ତାରେ ତ ଆଉ କେବେ ମନ୍ଦିର ପାଖରେ। କମ୍ କଥା, ସବୁବେଳେ ହସହସ ମୁହଁ ଓ ସଂସ୍କାରପୂର୍ଣ୍ଣ ବେଶଭୂଷା। ଦେହର ରଙ୍ଗ କଳା ହେଲେବି ସବୁବେଳେ ପରିଷ୍କାର ପରିଚ୍ଛନ୍ନ। ମୋଟାମୋଟି କହିବାକୁ ଗଲେ ନମ୍ର, ଭଦ୍ର ଓ ଶାଳୀନତାପୂର୍ଣ୍ଣ ମଣିଷଟିଏ। ଆଗ୍ରହ ହେବାରୁ ନାମଟା ପଚାରି ବୁଝିଲି- ସରସ୍ୱତୀ ମହାପାତ୍ର।

ଥରେ ସକାଳେ ମୁଁ ଓ ମୋ ସ୍ତ୍ରୀ ପ୍ରାତଃଭ୍ରମଣରୁ ଫେରିବା ବେଳେ ଦେଖିଲି ସରସ୍ୱତୀ ହାତରେ ପ୍ଲାଷ୍ଟିକ୍ କପରେ ଚାହାଧରି ପିଇ ପିଇ ଆସୁଛି। ମତେ ଦେଖି ହସିଦେଇ ନମସ୍କାର କଲା। ମୁଁ ଛିଡ଼ାହୋଇ ପଚାରିଲି- ‘ଚାଲି ଚାଲି କ’ଣ ଚା’ ପିଉଛ? ଗୋଟେ ଜାଗାରେ ବସିକରି ଚା’ ପିଅ’।

ହସିଦେଇ କହିଲା ‘ଆଜ୍ଞା, ଡ଼େରି ହେଇଗଲାଣି ପରା। ଚାହା ପିଉଛି ଓ ଚାଲୁଛି, ଏକାଥରେ ଦୁଇଟା କାମ ହେଇଯାଉଛି।  ବସିକରି ପିଇଲେ ଆହୁରି ଡେରି ହୋଇଯିବ। ଆଜି ସୋମବାର, ମନ୍ଦିରରେ ମତେ ଶୀଘ୍ର ପହଞ୍ଚିବାକୁ ପଡ଼ିବ। ଆଜି ଟିକେ ଉଠିବାରେ ଡେରି ହେଇଗଲା’। ଏତିକି କହିଦେଇ ସରସ୍ୱତୀ ହସିଦେଇ ତା ବାଟରେ ଚାଲିଗଲା।

ଘରକୁ ଫେରିବା ବାଟରେ ମୁଁ ମୋ ସ୍ତ୍ରୀଙ୍କୁ କହିଲି- ଶୁଣିଲ ତ ସରସ୍ୱତୀର କଥା। କିପରି ସମୟର ମୂଲ୍ୟ ବୁଝି ସେ ସେହି ଅନୁସାରେ ତା’ର କାମ ସବୁ କରୁଛି। ଏହାକୁ କହନ୍ତି ସମୟର ସଦ୍ ବ୍ୟବହାର। ଯିଏ ସମୟର ମୂଲ୍ୟ ବୁଝିଛି ସେହିଁ ଠିକରୂପେ ତା’ର ସଦ୍ ବ୍ୟବହାର କରି ପ୍ରତ୍ୟେକ କାମରେ ସଫଳତା ପାଇପାରିବ। ଏଥିପାଇଁ କାହାର ଦୟା ବା ଅନୁଗ୍ରହ ଦରକାର ନାହିଁ।

ପାଠଶାଠ ପଢ଼ି ତଥାକଥିତ ଆମର ଶିକ୍ଷିତ ସମାଜରେ ପଦପଦବୀରେ ଥିବା ଲୋକମାନେ ମଧ୍ୟ କେବେ ସମୟର ମୂଲ୍ୟ ବୁଝନ୍ତି ନାହିଁ। କେବଳ ସେତିକି ନୁହେଁ, ସମୟର ଅପବ୍ୟବହାର କରି ଅନୁତାପ ମଧ୍ୟ କରନ୍ତି ନାହିଁ। ସମୟ ସମସ୍ତଙ୍କ ପାଇଁ ସମାନ। ଦାୟିତ୍ୱସମ୍ପନ୍ନ ଲୋକମାନେ ବେଳେବେଳେ ସମୟ ଜ୍ଞାନ ନରଖି ଦାୟିତ୍ୱହୀନ ଭାବେ ମଧ୍ୟ କାମ କରନ୍ତି। ସେଥିପାଇଁ ଆମ ସମାଜ ଓ ଦେଶର ଅବସ୍ଥା ଏଇଆ।

ମୁଁ ଓ ମୋ ସ୍ତ୍ରୀ ନିୟମିତ ରୂପେ ଆମ ଘର ପାଖ ମନ୍ଦିରକୁ ଯାଉ। ଆମପରି ନିୟମିତ ରୂପେ ଅବା ଅଧିକାଂଶ ସମୟରେ ଆସୁଥିବା ଲୋକମାନଙ୍କ ସହିତ ଆମର ଚିହ୍ନା ପରିଚୟ ହୋଇଯାଇଛି।  ଏଣୁ ଦେଖାହେଲେ ଟିକେ ହସିଦେଇ ପଦେ ଦୁଇପଦ ଭଲମନ୍ଦ କଥା ହୋଇଯାଉ । ଏପରିକି କିଛି ଲୋକମାନଙ୍କ ସହିତ ଟିକେ ଘନିଷ୍ଠତା ବି ହୋଇଯାଏ। ଏବେକାର ସମାଜରେ ସ୍ୱାର୍ଥ ନଥିଲେ ଲୋକମାନେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ। ଆଉ ଯଦି ବି ରଖନ୍ତି ତେବେ ତାହା କେବଳ ଉପରଠାଉରିଆ ବା ଲୋକ ଦେଖାଣିଆ ଭାବେ। ଏପରିକି ପରିବାରରେ ଲୋକମାନଙ୍କ ମଧ୍ୟରେ ବି ସେଇପରି ଦେଖିବାକୁ ମିଳେ।

ଥରେ ମନ୍ଦିର ପାଖରେ ମତେ ଏକା ଦେଖି ସରସ୍ୱତୀ ପଚାରିଲା- ‘ଆଜ୍ଞା ଆଜି ମା’ ଆସିନାହାନ୍ତି କି?‘ ମୁଁ ହସିଦେଇ କହିଲି- ‘ନାଇଁ, ତାଙ୍କୁ ଥଣ୍ଡାଜ୍ୱର ହେଇଛି, ତେଣୁ ସେ ଆସିପାରିଲେନି’। ସରସ୍ୱତୀ ହସହସ ମୁହଁରେ କହିଲା- ‘ମାଆ ଭାରି ଭଲ ଲୋକ। ମାଆଙ୍କୁ ଦେଖିଲେ ଭାରି ଖୁସି ଲାଗେ’।

କୌଣସି ସ୍ୱାର୍ଥ ନଥାଇ ଅନ୍ୟକୁ ଦେଖି ଖୁସିହେବା ଏକ ମହତ୍ତ୍ୱ ଗୁଣ। ସମସ୍ତଙ୍କ ପାଖେ ଏହି ଗୁଣଟି ନଥାଏ। ଏହା କେବଳ ସମ୍ଭବ ହୁଏ ସକାରାମତ୍କ ମନୋଭାବ ଯୋଗୁ। ସବୁବେଳେ ହସହସ ମୁହଁରେ ସମସ୍ତଙ୍କ ସହିତ ମନଖୋଲା କଥା ହେଉଥିବା ସରସ୍ୱତୀ ପାଖରେ ବି ଭରି ରହିଛି ସକାରାମତ୍କ ମନୋଭାବ।

ମଣିଷପଣିଆର ମୂଳଦୁଆ ହେଲା ସକରାତ୍ମକ ମନୋଭାବ। ଆମେ ସମସ୍ତେ ଏଇଟା ଭଲରୂପେ ଜାଣୁ। କିନ୍ତୁ ଅଧିକାଂଶ ଲୋକମାନଙ୍କ ପାଖରେ ଏହି ସକରାତ୍ମକ ମନୋଭାବଟି ନଥାଏ। ଏହାର ଅଭାବରୁ ହିଁ ନାନା ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ମନସଫା ଓ ମୁଣ୍ଡ ଥଣ୍ଡା ଥିଲେ ଆମେ ବ୍ୟକ୍ତିଗତ ଜୀବନରେ ହେଉ ଅବା କାର୍ଯ୍ୟକ୍ଷେତ୍ରରେ ହେଉ ସବୁ ପରିସ୍ଥିତି ସହିତ ଖାପଖୁଆଇ ଚଳିପାରିବା। ଏପରିକି ଆମେ ସବୁପ୍ରକାର ଲୋକମାନଙ୍କ ସହିତ ସହଜରେ ମିଶି ରହିପାରିବା।

ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବାରେ ସାହାଯ୍ୟ କରିଥାଏ। ଏହି ସକାରାତ୍ମକ ମନୋଭାବ  ସରସ୍ୱତୀ ପାଖରେ ୭ ବର୍ଷ ଧରି ମୁଁ ଏହି ମନୋଭାବଟି ଦେଖିଆସିଛି। ହସ ହସ ମୁହଁ, ନରମ କଥା, ସହନଶୀଳତା ଏବଂ ନିସ୍ୱାର୍ଥପର ଭାବରେ ଅନ୍ୟକୁ ସାହାଯ୍ୟ କରିବା। ଏସବୁ ଗୁଣଗୁଡ଼ିକ ତା’ ପାଖରେ ବେଶ୍ ଭରପୁର। ତାକୁ କେବେ ତା’ ସାଥିମାନଙ୍କ ସହିତ ଯୁକ୍ତିତର୍କ ବା କଳହ କରିବାର ମୁଁ ଦେଖିନି। ଚାଲିଚଳନ, ଭାବଭଙ୍ଗୀ ଓ ଶାଢ଼ୀ ପିନ୍ଧିବାର ଢ଼ଙ୍ଗରୁ ତା’ର ସଂସ୍କାର ବେଶ୍ ଜଣାପଡ଼େ।  ତାକୁ ଦେଖିଲେ ଲାଗେ ସତେ ଯେପରି ତା’ର କିଛି ଦୁଃଖ ନାହିଁ। ଚିହ୍ନା-ଅଚିହ୍ନା ସମସ୍ତଙ୍କୁ ଦେଖି ଏକ ଆପଣାର ହସ ହସିଦିଏ ସିଏ।

ଆମ ଜୀବନରେ ଶିଖିବାଟା ନିହାତି ଜରୁରୀ। ଆମର ଜୀବନର ଶେଷ ପର୍ଯ୍ୟନ୍ତ ଆମେ ଶିଖିବା ଦରକାର। ଯାହାକୁ ପଚାର ସିଏ କହିବ, ଛୋଟ ହେଉ ଅବା ବଡ଼ ଆମେ ସମସ୍ତଙ୍କ ପାଖରୁ ଶିଖିବା। ସେହିପରି ସଫଳତା ହେଉ ଅବା ବିଫଳତା ପ୍ରତ୍ୟେକ ଘଟଣାରୁ ଶିଖିବା। ଆମେ କଥାରେ ଏସବୁ କହିଥାଉ, କିନ୍ତୁ ପ୍ରକୃତରେ କେତେଜଣ ଶିଖିଥାଉ ଅବା ଶିଖିବାକୁ ଆଗ୍ରହ ପ୍ରକାଶ କରିଥାଉ?

ମୋ ବ୍ୟକ୍ତିଗତ ଅନୁଭୂତିରୁ କହୁଛି ସରସ୍ୱତୀ ପାଖରୁ ବହୁତ କିଛି ଶିଖିବାର ଅଛି। ମଣିଷପଣିଆର ଅନେକ କିଛି ଗୁଣ ଭରିରହିଛି ତା ପାଖରେ। ସବୁଦୃଷ୍ଟିରୁ ଦେଖିବାକୁ ଗଲେ ସରସ୍ୱତୀ ଏକ ସୁଖଶାନ୍ତି ଓ ସଫଳ ଜୀବନଯାପନ କରୁଥିବାର ଜଣାପଡ଼େ। ସେ ଅଞ୍ଚଳର ଲୋକମାନେ ତା’କୁ ଆଦର କରନ୍ତି ଓ ସାହାଯ୍ୟ କରନ୍ତି। ତା’ର ପରିବାର ବିଷୟରେ ଆମେ କିଛି ଜାଣିନୁ, କିନ୍ତୁ କେବଳ ଏତିକି ଜାଣିଛୁ ସେ ଏକ ଭଲ ମଣିଷ। ଭଲ ମଣିଷଟିଏ ହେବାକୁ ହେଲେ ଶିକ୍ଷା, ଯୋଗ୍ୟତା, ଧନ ବା ପଦପଦବୀର ଆବଶ୍ୟକତା ନଥାଏ। ମଣିଷପଣିଆର ଗୁଣଗୁଡ଼ିକୁ ବ୍ୟବହାରରେ ପ୍ରକାଶ କଲେହିଁ ଆମେ ଭଲ ମଣିଷଟିଏ ବୋଲି ପ୍ରମାଣ କରିପାରିବା।

ଏବେ ଭାବୁଛି ସରସ୍ୱତୀ ବିଷୟରେ ଏତେ ଆଲୋଚନା କଲାପରେ ମଧ୍ୟ ମୁଁ ସରସ୍ୱତୀର ପେସା ବିଷୟରେ ଏପର୍ଯ୍ୟନ୍ତ କିଛି କହିନି। ଶେଷରେ କହିଦେବାଟା ଉଚିତ୍ ହେବ, ଆମ ସାହିର ମନ୍ଦିର ପାଖରେ ସରସ୍ୱତୀ ଭିକ ମାଗେ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment