ଡକ୍ଟର ହରପ୍ରସନ୍ନ ଦାସ

ବାପା-ମାଆ ଭୂମିକାରେ ଦାୟିତ୍ୱ ଏତେ ସହଜ ନୁହେଁ ବେଳେ ବେଳେ ଆମେ ପିଲାଟିର ମନକଥା ବୁଝିବା ପାଇଁ ନିଜ ମନକଥା ଭୁଲିଯାଇ ତାକୁ ବୁଝାଇବାକୁ ଚେଷ୍ଟା କରୁ 

ରବିବାର ଅପରାହ୍ନ ୨ଟା ବେଳେ ମୁଁ ଭୁବନେଶ୍ୱରରୁ ବାହାରିଲି। ଯାଜପୁର ଏକ ସ୍କୁଲର ୩୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗ ଦେବାପାଇଁ। ସ୍କୁଲର ବାର୍ଷିକ ଉତ୍ସବ ଦିନଟିକୁ ଛାତ୍ରଛାତ୍ରୀମାନେ ପୁରସ୍କାର ପାଇବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅପେକ୍ଷା କରି ରହିଥାନ୍ତି। ଏସବୁକୁ ଦେଖିବାକୁ ତାଙ୍କ ଘର ଲୋକମାନେ ଆସିଥାନ୍ତି। ନିମନ୍ତ୍ରଣ ପତ୍ରରୁ ଜଣା ପଡ଼ୁଥିଲା ଅତିକମରେ ୫/୬ ଜଣ ବ୍ୟକ୍ତି ଭାଷଣ ଦେବେ।

ପିଲାମାନଙ୍କ ଜୀବନକୁ ଠିକ୍ ବାଟରେ ନେବାପାଇଁ  ନିଜର ସବୁ ଅନୁଭୁତିକୁ ବାଣ୍ଟିଦେବା ପାଇଁ ମୋ ମନରେ ଅନେକ ଉତ୍କଣ୍ଠା। ଗାଡ଼ିରେ ଗଲାବେଳେ ଭାବୁଥିଲି ଆଜିର ଉତ୍ସବରେ ପିଲାମାନେ କିଛି ଶୁଣିବା ପରିସ୍ଥିତିରେ ନଥିବେ। ତେଣୁ ସେମାନଙ୍କର ବାପା, ମାଆଙ୍କୁ କିଛିଟା କହିବି। ବାପାମାଆ ଭୂମିକାରେ ଦାୟିତ୍ୱ ଏତେ ସହଜ ନୁହେଁ। ବେଳେ ବେଳେ ଆମେ ପିଲାଟିର ମନକଥା ବୁଝିବା ପାଇଁ ନିଜ ମନକଥା ଭୁଲିଯାଇ ତାକୁ ବୁଝାଇବାକୁ ଚେଷ୍ଟାକରୁ।

ଯାଜପୁର ଆଉ ୧୦ କି.ମି. ଥିଲା। ଜାଣିଲି କିଛିଟା ବଳକା ସମୟ ରହିଛି। ଗାଡ଼ି ଚଳାଉଥିବା ସନାକୁ କହିଲି ପଇଡ଼ ମିଳୁଥିବା ଯାଗାରେ ଗାଡ଼ି ରଖିବାକୁ। ରାସ୍ତାର ଡାହାଣ କଡ଼ରେ ଲୋକଟିଏ ପଇଡ଼ ଓ ତାଳସଜ ବିକ୍ରୀ କରୁଥିଲା। ଗାଡ଼ିରୁ ଓହ୍ଲାଇ ତା ପାଖକୁ ଗଲୁ। ପଇଡ଼ ସରିଯାଇଥିଲା। କିନ୍ତୁ ତାଳସଜ ଥିଲା। କୁଶଳୀ କାରିଗରଟିଏ ପରି ଖୁବ୍ କମ୍ ସମୟ ଭିତରେ ତାଳକୁ କାଟି ତାଳସଜ କାଢ଼ି ଆମକୁ ଦେଲା। ମୁଁ ଓ ସନା ଖୁବ୍ ଆନନ୍ଦରେ ଖାଇଲୁ। ଅନ୍ୟ ଲୋକମାନେ ବି ତାଳସଜ ଖାଉଥିଲେ। ତା’ର ଉତ୍ତମ ବ୍ୟବହାର, ଭାବଭଙ୍ଗୀ ଓ କଥାବାର୍ତ୍ତାରୁ ଜଣାପଡ଼ୁଥିଲା ଭଲ ମଣିଷଟିଏ।

ତା’ ସହିତ ଟିକେ କଥା ହେବାପାଇଁ ଅପେକ୍ଷା କଲି। ଗ୍ରାହକମାନେ ଚାଲିଗଲା ପରେ ପଚାରିଲି- କେତେଦିନ ହେଲା ଏଠି ତାଳସଜ ବିକୁଛ? ସେ ହସିଦେଇ କହିଲା- ମତେ ବାରବର୍ଷ ହୋଇଥିଲା। ସେହିଦିନଠାରୁ ବିକୁଛି। ମୋ ବାପା ବିକୁଥିଲେ। ମୁଁ ତାଙ୍କୁ କାମରେ ସାହାଯ୍ୟ କରୁଥିଲି। ପୁଣି ପଚାରିଲି- ତୁମର ବୟସ କେତେ? ହସି ହସି ଉତ୍ତର ଦେଲା-  ବୋଧହୁଏ ୪୭ ବର୍ଷ ହେବ। ମୁଁ ହିସାବ କଲି, ସେ ୩୫ ବର୍ଷକାଳ ରାସ୍ତା କଡ଼ରେ ଏଇ ନିର୍ଦ୍ଦିଷ୍ଟ ସ୍ଥାନରେ ପଇଡ଼ ଓ ତାଳସଜ ବିକି ଆସୁଛି। ତା’ର ବ୍ୟକ୍ତିଗତ ଜୀବନ ବିଷୟରେ ତା’ ସହିତ ବହୁତ କିଛି କଥା ହେଲି। ଯାହା ମୋ ହୃଦୟକୁ ଛୁଇଁଲା।

ତା’ର ନାମ ରମେଶ ବେହେରା। ସେଇଠୁ ୧କି.ମି. ଦୂର ଗାଁରେ ଚାଷବାସ ସହିତ ନଡ଼ିଆ ଓ ତାଳଗଛ ଠିକାରେ ନେଇ ବର୍ଷସାରାର ବ୍ୟବସାୟ। ସକାଳ ୮ରୁ ଆସି ଏଇଠି ପଇଡ଼ ବିକେ। ଖରାବେଳେ ଅଳ୍ପ ସମୟ ପାଇଁ ଖାଇବାକୁ ଯାଇ ପୁଣି ଆସି ଦୋକାନ ଆରମ୍ଭ କରି ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଯାଏ। ଛଅଜଣିଆ ପରିବାରଟିଏ ତା’ର ସେ, ତା ସ୍ତ୍ରୀ ଓ ଚାରିଟି ପିଲା। ତିନୋଟି ଝିଅ ବଡ଼ ଓ ପୁଅ ସାନ। ଦୁଇଝିଅ କଲେଜରେ ପଢ଼ୁଛନ୍ତି। ତୃତୀୟ ଝିଅ ଓ ପୁଅଟି ସ୍କୁଲରେ । ବଡ଼ଝିଅ +୩ ଆର୍ଟସ୍-ଫାଷ୍ଟ ଇଅର୍, ଦ୍ୱିତୀୟ ଝିଅ +୨ କମର୍ସ, ତୃତୀୟ ଝିଅ ଦଶମ ଓ ପୁଅ ଅଷ୍ଟମ ଶ୍ରେଣୀରେ ପଢ଼ୁଛି। ପ୍ରଥମ ଦୁଇଜଣ ଝିଅ ମାଟ୍ରିକ୍ୟୁଲେସନ୍ ଫାଷ୍ଟକ୍ଲାସରେ ପାସ୍ କରିଥିଲେ। ଏପରିକି ପ୍ରଥମ ଝିଅ +୨ରେ ଫାଷ୍ଟକ୍ଲାସରେ ପାସକରି ସରକାରଙ୍କ ପାଖରୁ ଲାପଟପ୍ ପାଇଛି। ତୃତୀୟ ଝିଅର ଇଚ୍ଛା ସାଇନସ୍ ପଢ଼ି ଡାକ୍ତର ହେବ। ରମେଶ କହିଲା ଦୁଇଝିଅ ଏଇ ସାମ୍ନା କଲେଜରେ ପଢ଼ୁଛନ୍ତି। ମୁଁ ଖୁସି ଯେ ସମସ୍ତଙ୍କର ପଢ଼ିବାରେ ଆଗ୍ରହ ଅଛି ଓ ଭଲ ପଢ଼ୁଛନ୍ତି।

ଋମେଶର ଚାରୋଟି ପିଲା ଶୁଣି ମନରେ ଟିକେ ଝଟକା ଲାଗିଲା। ଏବେକାର ପରିସ୍ଥିତିରେ ଗୋଟିଏ ପିଲାକୁ ମଣିଷ କରିବା କଷ୍ଟକର। ଅଧିକାଂଶ ପରିବାରରେ କେବଳ ଗୋଟିଏ ସନ୍ତାନ, ପୁଅ ହେଉ ଅବା ଝିଆ ଅତିବେଶୀରେ ଦୁଇଟି। ସେତିକିରେ ବାପା, ମାଆଙ୍କର ଅଣ୍ଟା ଭାଙ୍ଗିଯାଉଛି, ସେମାନଙ୍କୁ ମଣିଷ କରିବାରେ। କିନ୍ତୁ ରାସ୍ତାକଡ଼ରେ ପଇଡ଼ ଓ ତାଳସଜ ବିକୁଥିବା ରମେଶର ୪ଟି ପିଲା।

ହଁ ନାହିଁର ଦ୍ୱନ୍ଦ୍ୱ ଭିତରେ ରହି ମୁଁ ରମେଶକୁ ପଚାରିଦେଲି- ପୁଅପାଇଁ ଅପେକ୍ଷା କରି ବୋଧେ ଚାରି ପିଲା ହୋଇଗଲେ। ରମେଶ ହସିଦେଇ କହିଲା- ହଁ ସାର୍, ଆପଣ ଠିକ୍ କହିଛନ୍ତି ମୁଁ ଓ ମୋ ସ୍ତ୍ରୀ କଥା ହୋଇଥିଲୁ, ଆମେ ଦୁଇ ଓ ଆମର ଦୁଇ ହେବ। କିନ୍ତୁ ପ୍ରଭୁଙ୍କର ଇଚ୍ଛା, ତିନୋଟି ଝିଅ ପରେ ପୁଅ ହେଲା। ଏଣୁ ପରିବାର ବଢ଼ିଗଲା।

ସାର୍ ସତକଥା ହେଲା ଯେ ମୋ ପୁଅ ମୋ ବଂଶ ବଢ଼ାଇବ। ନଚେତ୍ ମୋ ପରେ ମୋ ବଂଶ ସରିଯିବ। ମୋ ବୋଉ ବି ସେହିକଥା କହିଲା । ତେଣୁ ଆମେ ପୁଅପାଇଁ ଅପେକ୍ଷା କଲୁ। ଆଜ୍ଞା ଆଦୌ ମନଦୁଃଖ ନାହିଁ। ଆମେ ବହୁତ ଖୁସିରେ ଅଛୁ। ଯାହା ରୋଜଗାର କରୁଛି ସେଥିରେ ଆନନ୍ଦରେ ପରିବାର ଚଳିଯାଉଛି । ପିଲାମାନେ ବି ଭଲ ମନଦେଇ ପଢ଼ୁଛନ୍ତି। ଘରେ ପଖାଳ ଖାଇ ସ୍କୁଲ୍ କଲେଜକୁ ଯାଉଛନ୍ତି।

ମୁଁ ଦିନରାତି ପରିଶ୍ରମ କରୁଛି ରୋଜଗାର ପାଇଁ। ମୋ ଧ୍ୟାନ ସବୁବେଳେ କାମରେ। ଜୀବନରେ କାହାର କ୍ଷତି କରିନି ବା ହିଂସା କରିନି। ସମସ୍ତଙ୍କର ମଙ୍ଗଳ କାମନା କରେ। ଯେତିକି ସମ୍ଭବ ଅନ୍ୟମାନଙ୍କୁ ସାହାଯ୍ୟ କରେ। କଡ଼ାକଥା କୁହେନି କିମ୍ବା କାହା ମନରେ କଷ୍ଟ ଦିଏନି। ଏପରିକି ପିଲାମାନଙ୍କୁ କେବେ ରାଗିକରି କଥା କହିନି। ମୋ ଇଚ୍ଛାକୁ ତାଙ୍କ ଉପରେ ଲଦି ଦେଇନାହିଁ। ସେମାନଙ୍କ ସହିତ ସଂଧ୍ୟାରେ ହସିହସି ସମୟ କଟାଏ। ସାଙ୍ଗ ହୋଇ ରାତିରେ ଖାଉ। ସବୁ ସ୍ୱାଧିନତା ତାଙ୍କୁ ଦେଇଛି କିନ୍ତୁ ମଣିଷପଣିଆରୁ ତଳକୁ ନଖସିବା ପାଇଁ ବୁଝାଇଛି। ସେମାନେ ବି ନିଜ ଦାୟିତ୍ୱ ନିଜେ ନେଇଛନ୍ତି। ସେମାନେ କିପରି ପାଠପଢ଼ି ଭଲ ମଣିଷଟିଏ ହେବେ ତାହାହିଁ ମୋର ପ୍ରଭୁଙ୍କ ପାଖରେ ପ୍ରାର୍ଥନା। ପ୍ରଭୁ ମତେ ଯଥେଷ୍ଟ ଦେଇଛନ୍ତି, ଆଉ କିଛି ଦରକାର ନାହିଁ।

ରମେଶର ମୁହଁର ହସରୁ ତା ଖୁସି ଜଣାପଡ଼ୁଥିଲା।  ଏକ ବାପା ହିସାବରେ ଯାହା କହିଯାଉଥିଲା ତାହା ଅନେକ ଶିକ୍ଷିତ ପରିବାରରେ ବି ଦେଖାଯାଏନି। ବାପା ହୋଇଯିବାଟା ସହଜ କିନ୍ତୁ ଦାୟିତ୍ୱ ତୁଲାଇବାଟା ଅତି ଜଟିଳ। ମୁଁ ନିଜେ ଅନେକ ପରିବାରର ଦୁରାବସ୍ଥାକୁ ଦେଖିଛି। ସମୟ ହୋଇଯାଇଥିଲା, ରମେଶର ୨/୩ଟି ଫଟୋ ଉଠାଇ ବିଦାୟ ନେଲି। ତା’ ପରିବାରର ଶୁଭ ମନାସିଲି। ରମେଶ ହସିହସି ମୋତେ ନମସ୍କାର କଲା।

ଗାଡ଼ି ଚାଲିଲା ଯାଜପୁର ଅଭିମୁଖେ। ଗାଡ଼ିରେ ବସି ମୁଁ କେବଳ ରମେଶ କଥା ଭାବୁଥିଲି। ବାପାର ଦାୟିତ୍ୱ ହସିହସି ତୁଲାଇବାର ଏକ ସଫଳ ବ୍ୟକ୍ତିତ୍ୱ। ମୁଁ ସ୍ଥିରକଲି ଯେ ଆଜି ସ୍କୁଲର ବାର୍ଷିକ ଉତ୍ସବରେ ଉପସ୍ଥିତ ଥିବା ସବୁ ବାପା, ମାଆମାନଙ୍କୁ ରମେଶ ବିଷୟରେ କହିବି।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment