ଡକ୍ଟର ହରପ୍ରସନ୍ନ ଦାସ

ଆମ ଚାରିପଟେ ଯାହା ଘଟୁଛି ତାହାହିଁ ସତ୍ୟ ଆଉ ସେସବୁକୁ ଆମେ ସେହିପରି ଗ୍ରହଣ କରିପାରୁନାହୁଁ ବୋଲି କଷ୍ଟ ପାଉଛୁ ଆମକୁ କେହି କଷ୍ଟ ଦେଉନାହାନ୍ତି ଆମେ ହିଁ ନିଜପାଇଁ ନିଜେ ଦୁଃଖ ବା କଷ୍ଟ ସୃଷ୍ଟି କରୁଛୁ

ଗୋପାଳ ମହାନ୍ତିଙ୍କ ସହିତ ମୋର ଚିହ୍ନା ପରିଚୟ ମାତ୍ର ଛଅ ମାସର। ମୋର ଜଣେ ଅତି ଅନ୍ତରଙ୍ଗ ବନ୍ଧୁ, ତାଙ୍କ ବାହାଘର ଭୋଜିରେ ଗୋପାଳ ମହାନ୍ତିଙ୍କ ସହିତ ମୋର ଚିହ୍ନା କରାଇଥିଲେ। ଗୋପାଳ ଦୁଇବର୍ଷ ତଳେ ଚାକିରିରୁ ଅବସର ନେଇଥିଲେ। ବୟସ ଷାଠିଏ ହେଲେ ବି ସତୁରି ବର୍ଷର ଲୋକ ଭଳି ଦେଖାଯାଉଥିଲେ। ଗୋପାଳ ଅନେକ ପାରିବାରିକ ଅଶାନ୍ତିରେ ଛଟପଟ ହେଉଥିଲେ। ମୁଁ ପାରିବାରିକ ସମସ୍ୟାର ସମାଧାନ ଦିଗରେ ପରାମର୍ଶ ଦିଏ ବୋଲି ମୋ ବନ୍ଧୁ ତାଙ୍କୁ ମୋ ସହିତ ଯୋଗାଯୋଗ କରିବା ପାଇଁ କହିଥିଲେ। ପ୍ରଥମ ଦିନର ପରିଚୟରୁ ହିଁ ମୁଁ ବେଶ୍ ଅନୁଭବ କରିପାରିଥିଲି ଯେ ଗୋପାଳ ଜଣେ ଅତି ଭଦ୍ର, ଅମାୟିକ ଏବଂ ମଣିଷପଣିଆ ଥିବା ବ୍ୟକ୍ତି।

ଗୋପାଳ ମହାନ୍ତିଙ୍କର ପରିବାର ଅତି ସୁଖଶାନ୍ତିରେ ଦିନ କାଟୁଥିଲେ। କିନ୍ତୁ ହଠାତ୍ ଏପରି କିଛି ଅଘଟଣ ଘଟିଲା ଯାହାକି ପରିବାରରେ ଅଶାନ୍ତି ସୃଷ୍ଟିହେଲା। ବିଶେଷକରି ମାନସିକ ସ୍ତରରେ ଗୋପାଳ ଅତି ମାତ୍ରାରେ ଭାଙ୍ଗିପଡ଼ିଲେ। ମନ ଭିତରେ ଅଶାନ୍ତି ଏବଂ ମୁଣ୍ଡରେ ଅନେକ ଏଣୁତେଣୁ ଭାବନା ଆସିଲା। ସେ ଏତେ ଦୂର ପ୍ରଭାବିତ ହୋଇଗଲେ ଯେ ନିଜ ଉପରୁ ଭରସା ତୁଟିଗଲା। ପାରିବାରିକ କଥା ସେ କାହାକୁ କହିବାକୁ ଇଚ୍ଛା କରୁନଥିଲେ ଅବା ସାହାସ ବି କରୁନଥିଲେ। ସେସବୁର ସମାଧାନର ବାଟ ନିଜେ ବି ଖୋଜି ପାଉନଥିଲେ। ଦୁଃଖଦାୟକ କଥାଥିଲା ତାଙ୍କ ଅପେକ୍ଷା ତାଙ୍କ ସ୍ତ୍ରୀ ବେଶୀ ପରିମାଣରେ ଆଘାତ ପାଇଥିଲେ। ସେଥିପାଇଁ ଗୋପାଳ ବେଶୀ ଚିନ୍ତିତ ଥିଲେ। ଏହିପରି ସମୟରେ ମୋ ସହିତ ତାଙ୍କର ଦେଖା ହୋଇଥିଲା।

ଥରେ ନୁହେଁ ତିନିଥରର ସାକ୍ଷାତକାରରେ ସେ ମତେ ତାଙ୍କର ପାରିବାରିକ ସମସ୍ୟାର ସବୁକଥା ପ୍ରାଞ୍ଜଳ ଭାବରେ କହିଲେ। ତାଙ୍କ ଭିତରେ ଏତେ ଦୁଃଖ ଆଉ କୋହ ଥିଲା ଯେ ସେ ସଠିକ୍ ଭାବେ ଘଟଣାଟାକୁ ମୋ ପାଖରେ ପ୍ରକାଶ କରିପାରୁନଥିଲେ। କହିଲା ବେଳକୁ ଆଖିରେ ଲୁହ ଆସିଯାଉଥିଲା। ବେଳେବେଳେ କଣ୍ଠରୁଦ୍ଧ ମଧ୍ୟ ହୋଇଯାଉଥିଲା। ଯାହାହେଉ ତିନିଥର ଦେଖାରେ ସେସବୁ ମତେ କହିଦେଇ ଅତି ହାଲକା ହୋଇଗଲେ। ତାଙ୍କ ମୁହଁରୁ ତାଙ୍କ ମନର ହାଲକା ଭାବଟା ବେଶ୍ ଭଲ ଭାବେ ଜଣାପଡୁଥିଲା। ସବୁ ଶୁଣିଲା ପରେ ମୁଁ ତାଙ୍କ ମନର ଯନ୍ତ୍ରଣାଟାକୁ ବୁଝିପାରିଲି। ତାହା ଯେ ତାଙ୍କୁ କେତେଦୂର କଷ୍ଟ ହେଉଥିବ ସେକଥା ମଧ୍ୟ ଅନୁଭବ କଲି। ମୁଁ ନିଜକୁ ତାଙ୍କ ସ୍ଥାନରେ ରଖି ସେ ଘଟଣାର ରୂପରେଖଟାକୁ ସମୀକ୍ଷା କରୁଥିଲି। କିଛି ସମୟ ପାଇଁ ମୁଁ ବି ସେଥିରେ ଆକ୍ରାନ୍ତ ହୋଇଯାଇଥିଲି।

ସେଇଟା ତାଙ୍କର ନିହାତି ବ୍ୟକ୍ତିଗତ ଘଟଣା। ଗୋପନୀୟତା ଦୃଷ୍ଟିରୁ ଏଠାରେ ମୁଁ ସେ ବିଷୟରେ ଲେଖିପାରିବି ନାହିଁ। କିନ୍ତୁ ଗୋଟିଏ କଥା ପ୍ରକାଶ କରିପାରିବି ଯେ ନିଜ ଗୁଣରୁ ଗୋପାଳ ମହାନ୍ତି ନିଜେ ହିଁ କଷ୍ଟ ପାଉଥିଲେ। ମୂଳକଥାଟି ହେଲା ଯେ ସେ କାହାଠାରୁ ‘ନାହିଁ’ ଶୁଣିବାକୁ ପ୍ରସ୍ତୁତ ନଥିଲେ। ଅଦ୍ଭୂତ ଭାବନା ତାଙ୍କର। ତାଙ୍କ ମତରେ- ‘ମୁଁ ଜୀବନରେ କାହାର କ୍ଷତି କରିନାହିଁ। ମୁଁ ଜୀବନରେ କାହା ଉପରେ ବୋଝ ହୋଇନାହିଁ। ସମସ୍ତଙ୍କୁ ଆବଶ୍ୟକତାଠାରୁ ଅଧିକ ସାହାଯ୍ୟ କରିଛି। ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସବୁବେଳେ ଅନ୍ୟର ଉପକାର ବିଷୟରେ ଭାବିଛି। ଏଣୁ ମୋ ଘରେ କାହିଁକି ଏଭଳି ଅଘଟଣ ଘଟିବ ଅବା ମତେ କାହିଁକି ଲୋକେ ଭୁଲ୍ ବୁଝିବେ’। ଏହିପରି ଅନେକ ପ୍ରଶ୍ନ ତାଙ୍କ ମୁଣ୍ଡରେ ଘାଣ୍ଟି ଚକଟି ହେଉଥିଲା।

ମୁଁ ବି ନିଜେ ଜାଣିପାରୁନଥିଲି ଯେ ମୁଁ କିଭଳି ଗୋପାଳ ମହାନ୍ତିଙ୍କୁ ତାଙ୍କ ସମସ୍ୟାର ସମାଧାନର ବାଟ ଦେଖାଇପାରିବି ବହୁତ ଭାବିବା ପରେ ମୁଁ ଗୋପାଳଙ୍କୁ ହସି ହସି କହିଲି- ‘ଆସନ୍ତୁ ନିଜକୁ ଚିହ୍ନିବା। ନିଜ ଭିତରର ଗୁଣଗୁଡ଼ିକୁ ଟିକେ ପରଖିନେବା। ନିଜର ବଳିଷ୍ଠ ଆତ୍ମବିଶ୍ୱାସକୁ ଆଉଟିକେ ଯାଞ୍ଚ କରିବା। ମନର ଦୁର୍ବଳତାକୁ ଠିକ୍‌ରୂପେ ମାପିନେବା।

କହିବାର ଉଦ୍ଦେଶ୍ୟ ହେଲା ଆମ ଚାରିପଟେ ଯାହା ଘଟୁଛି ତାହାହିଁ ସତ୍ୟ। ଆଉ ସେସବୁକୁ ଆମେ ସେହିପରି ଗ୍ରହଣ କରିପାରୁନାହୁଁ ବୋଲି କଷ୍ଟ ପାଉଛୁ। ଆମକୁ କେହି କଷ୍ଟ ଦେଉନାହାନ୍ତି। ଆମେ ହିଁ ନିଜପାଇଁ ନିଜେ ଦୁଃଖ ବା କଷ୍ଟ ସୃଷ୍ଟି କରୁଛୁ। କଥାଟି ନିହାତି ସରଳ। କିନ୍ତୁ ଆମେ ତାକୁ କରିଦେଉଛୁ ଜଟିଳ। ବର୍ଷାକୁ ଆମେ ବନ୍ଦ କରିପାରିବାନି, କିନ୍ତୁ ନିଜକୁ ସେଥିରୁ ରକ୍ଷାକରିବା ପାଇଁ ଆମେ ଛତାଟିଏ ବ୍ୟବହାର କରିପାରିବା’।

ଗୋପାଳ ମୋ କଥା କେତେ ବୁଝିଲେ ବା ନବୁଝିଲେ ସେକଥା ମୁଁ ତାଙ୍କୁ ଜାଣିକରି ପଚାରିନଥିଲି କିନ୍ତୁ ତାଙ୍କ ମୁହଁର ଭାବ କହୁଥିଲା ଯେ ସେ ମନଧ୍ୟାନ ଦେଇ ମୋ କଥା ଶୁଣୁଥିଲେ ଏବଂ ଭିତରେ ରୋମନ୍ଥନ କରୁଥିଲେ। ଆଉବେଶୀ କିଛି ନକହି ସେହିଦିନର ଆଲୋଚନାଟାକୁ ମୁଁ ସେଇଠି ଶେଷକଲି। ହାଲ୍‌କା ଭାବରେ ତାଙ୍କୁ ଆଲିଙ୍ଗନକରି କହିଲି- ‘ପରିସ୍ଥିତିଟାକୁ ଆନନ୍ଦ ସହକାରେ ଗ୍ରହଣ କରନ୍ତୁ, ସବୁ ଠିକ୍ ହୋଇଯିବ। ଅନ୍ୟର ‘ନାହିଁ’ ଉତ୍ତରକୁ ସକରାତ୍ମକ ଭାବେ ଗ୍ରହଣ କରନ୍ତୁ ଓ ଅନ୍ୟକୁ ହସି ହସି ‘ନାହିଁ’ ବୋଲି କହିବାକୁ ଅଭ୍ୟାସ କରନ୍ତୁ’।

ପ୍ରାୟ ପନ୍ଦରଦିନ ପରେ ଗୋପାଳ ମହାନ୍ତିଙ୍କ ସହିତ ବଜାରରେ ହଠାତ୍ ଦେଖା ହୋଇଗଲା। ତରତର ହୋଇ ସେ ଘରକୁ ଫେରୁଥିଲେ। ମତେ ଦେଖି ସେ ପାଖକୁ ଦୌଡ଼ି ଆସିଲେ। ମୋ ହାତ ଦୁଇଟାକୁ ଜୋରରେ ଧରି କହିଲେ- ‘ମନେ ମନେ ଆପଣଙ୍କୁ ଖୋଜୁଥିଲି, ଆମଘରକୁ ଯିବାପାଇଁ ଅନୁରୋଧ କରିଥାନ୍ତି। ଯାହାହେଉ ଏଇଠି ଦେଖା ହୋଇଗଲା। କୁହନ୍ତୁ କେବେ ଆମ ଘରକୁ ଯିବେ’। ମୁଁ ହଠାତ୍ କିଛି ଉତ୍ତର ଦେଲିନାହିଁ। ମୋର ନୀରବତାକୁ ଦେଖି ସେ ହସିଦେଇ କହିଲେ- ‘ଆପଣ ନାହିଁ କହିଲେ ବି ମୁଁ ମନଦୁଃଖ କରିବି ନାହିଁ। କାରଣ ନାହିଁକୁ ହସି ହସି ଗ୍ରହଣ କରିବାର ଅଭ୍ୟାସ ହୋଇଗଲାଣି’।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment