ଡକ୍ଟର ହରପ୍ରସନ୍ନ ଦାସ

କୌଣସି ପ୍ରକାରର ଅହଂ ନଥାଇ, ସମର୍ପଣ ଓ ସେବା ଭାବର ଭଲପାଇବାଟି ଏବେ ଅସମ୍ଭବ ହୋଇପଡ଼ଛି। ଲୋକମାନେ କିଛି ଅଘଟଣ ହେଲେ ନିଜର ଭୁଲ୍ ନମାନି ନିଜ ଅହଂକୁ ଜାବୁଡ଼ି ଧରି ଭଲପାଇବାର ବଳିଦାନ ଦେବାକୁ ପଛାଉ ନାହାନ୍ତି।

ପ୍ରଫେସର ଆନନ୍ଦ ମିଶ୍ର ଜଣେ ଅତି ବନ୍ଧୁ ବତ୍ସଳ, ନମ୍ର ଓ ଉତ୍ତମ ଲୋକ ଥିଲେ। କିନ୍ତୁ ବହୁତ ବର୍ଷ ପରେ ଗତମାସରେ ତାଙ୍କ ସହିତ ମୋର ଯେତେବେଳେ ଦେଖାହେଲା ସେ ଏକ ଭିନ୍ନ ବ୍ୟକ୍ତିତ୍ୱର ମଣିଷ ପରି ଦେଖା ଯାଉଥିଲେ। ମୁଁ ବେଶ୍ ଅନୁଭବ କରିପାରିଲି ଯେ ତାଙ୍କ ଜୀବନର ସବୁକିଛି ସରସତା ସେ ହରାଇ ଦେଇଛନ୍ତି । କଥା ହୋଇ ବୁଝିପାରିଲି ଯେ ତାଙ୍କ ପୁଅର ବାହାଘର ପରେ ତାଙ୍କ ଜୀବନର ସବୁ ଦୁଃଖ ଆରମ୍ଭ ହୋଇ ଯାଇଥିଲା, ଯାହାକି ତାଙ୍କ ଜୀବନର ରୂପରେଖକୁ ବଦଳାଇ ଦେଇଛି।

ଦୁଇବର୍ଷ ତଳେ ତାଙ୍କ ପୁଅ ନିଜେ ଭଲପାଇ ବାହା ହୋଇଛି। ବୋହୂ ପୁଅଠାରୁ ଦୁଇବର୍ଷ ସାନ, ଗୋଟିଏ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ। ପାଞ୍ଚବର୍ଷର ଭଲପାଇବା ପରେ ସେ ଦୁହେଁ ବାହା ହୋଇଥିଲେ। ଦୁଇଜଣଙ୍କ ପରିବାରରେ ମଧ୍ୟ ସମସ୍ତେ ଏହି ବିବାହରେ ଖୁସି ଥିଲେ ପରସ୍ପରର ଜ୍ଞାନ, ବୁଦ୍ଧି ଓ ପ୍ରତିଭା ହିଁ ସେମାନଙ୍କର ଭଲପାଇବାର ମୂଳଦୁଆ ଥିଲା। ଅନେକ ସମୟରେ ମତାନ୍ତର ହେଲେ ବି ସେମାନଙ୍କର ସମ୍ପର୍କ ଅତୁଟ ଥିଲା। ଦୁହେଁ ପାଠ ପଢ଼ିସାରି ଚାକିରି କଲେ। ପ୍ରଥମେ ବାଙ୍ଗାଲୋରରେ ଥିଲେ। ବର୍ଷକ ତଳେ ସେମାନେ ଭୁବନେଶ୍ୱର ଆସିଛନ୍ତି।

ବାହାଘରର ୬ ମାସ ପରେ ସେମାନଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ବୋହୂର ଅଭିଯୋଗ ହେଲା ଯେ ସ୍ୱାମୀ ହେଲାପରେ ସେ ବଦଳି ଯାଇଛନ୍ତି। ମୋ କଥା ଆଦୌ ଶୁଣୁନାହାନ୍ତି। ମୋ କଥାରେ ଏକମତ ହେଉନାହାନ୍ତି। ଯୁକ୍ତି କରୁଛନ୍ତି ଏବଂ ମୋତେ ଅପମାନଜନକ କଥା କହୁଛନ୍ତି। ବିବାହ ପୂର୍ବରୁ ସେ ଏପରି ନଥିଲେ। ସେ ନିଜ ମାଆଙ୍କ କଥାରେ ପରିଚାଳିତ ହୋଇ ମୋତେ ଅବହେଳା କରୁଛନ୍ତି। ପୂର୍ବରୁ ସେ କହିଥିଲେ ଯେ ବିବାହ ପରେ ମୁଁ ଘରର ଦାୟିତ୍ୱ ନେବି କିନ୍ତୁ ଏବେ ପୂରା ଓଲଟା ବ୍ୟବହାର।

ପୁଅର ଅଭିଯୋଗ ବୋହୂଙ୍କ ଠାରୁ ଠିକ୍ ଓଲଟା। ଭଲ ପାଇବା ଓ ବିବାହକରି ଘର ସଂସାର କରିବା ଏକା କଥା ନୁହେଁ। ଏଠି ସର୍ତ୍ତ ରଖି ଭଲପାଇ ହୁଏନି। ସର୍ତ୍ତାବଳୀରେ ବିବାହ ଜୀବନ ଶାନ୍ତିରେ ଚାଲେନି। ପୁଅର ଦୁଃଖ ହେଲା ଯେ ତା’ ସ୍ତ୍ରୀ ଯାହା କହିବ ତାହାହିଁ ହେବା ଦରକାର। ହଁ ଛଡ଼ା ସେ ନାହିଁ ଶୁଣିବାକୁ ପ୍ରସ୍ତୁତ ନୁହେଁ। ଦୁହେଁ ଏକାଠି ବସି ଆଲୋଚନା କରିବାକୁ ବି ସେ ଅରାଜି।

ଭୁବନେଶ୍ୱର ଆସିଲା ପରେ ବୋହୁର ଏକା ଜିଦି ଯେ ସେ ଅଲଗା ରହିବ। ଶାଶୁ ଶ୍ୱଶୁରଙ୍କ ପାଖରେ ରହିବ ନାହିଁ। ସେଠାରେ ସ୍ୱାଧିନତା ନାହିଁ। ପାଠପଢ଼ି କଷ୍ଟକରି ସେ ଚାକିରି କରିଛି ନିଜ ଜୀବନକୁ ନିଜ ଇଛା ମୁତାବକ ଉପଭୋଗ କରିବ। ଘରର ଧରାବନ୍ଧା ନିୟମ ଅନୁସାରେ ସେ ବାନ୍ଧିହୋଇ ରହିବାକୁ ଚାହେଁନି।

ଆନନ୍ଦ ମିଶ୍ର ଓ ତାଙ୍କ ପତ୍ନୀ ପୁଅକୁ ବୁଝାଇଲେ ଅଲଗା ଏକ ଘର ନେଇ ରହିବାକୁ। ପୁଅ ବୋହୂ ଅଲଗା ଘର ନେଇ ରହିଲେ। ନିଜର ଘରକୁ ବୋହୂ ସଜାଇଲା ନିଜ ଇଛାରେ। କିନ୍ତୁ ସର୍ତ୍ତ ଥିଲା ଯେ ପୁଅ ପ୍ରତ୍ୟେକ ଦିନ ବାପା, ମାଆଙ୍କ ପାଖକୁ ଯାଇପାରିବନି। ପୁଅର ପରିବାର ବା ବନ୍ଧୁବାନ୍ଧବ ତାଙ୍କ ଘରକୁ ମନଇଛା ଆସିପାରିବେ ନାହିଁ। ବୋହୁ ତା’ର ସ୍ୱାମୀ ସହିତ ଏକ ସ୍ୱାଧିନ ଜୀବନ କଟାଇବାକୁ ଚାହୁଁଥିଲା।

ଆହୁରି ବି ସର୍ତ୍ତ ଥିଲା- ପାଞ୍ଚ ବର୍ଷଯାଏ ସେ ମାଆ ହେବାର ଯୋଜନା ରଖିନି। ଏକଥା ଶାଶୁ, ଶ୍ୱଶୁରଙ୍କୁ ସେ ସିଧା କହିଦେଇଥିଲା। ସେ ରୋଜଗାର କରୁଥିବା ଟଙ୍କା ତା’ର ନିଜସ୍ୱ। ତା’ର ହିସାବ ସେ କାହାକୁ ଦେଇପାରିବ ନାହିଁ। ଏପରିକି ନିଜର ସ୍ୱାମୀକୁ ବି ନୁହେଁ। ଏହିପରି ଅନେକ ସର୍ତ୍ତର ଜୀବନ ସେ ଚାହୁଁଥିଲା।

ଦୁଇ ପରିବାରର ଲୋକ, ବନ୍ଧୁବାନ୍ଧବ, ସାଙ୍ଗସାଥି ତଥା ଶୁଭେଚ୍ଛୁମାନେ ସେମାନଙ୍କ ଦ୍ୱନ୍ଦ୍ୱର ସମାଧାନ ପାଇଁ ବହୁତ ଚେଷ୍ଟା କଲେ। ଛୋଟ ଛୋଟ ଘଟଣାକୁ ବଡ଼ ନକରି ପରସ୍ପର ମଧ୍ୟରେ ଠିକ୍ ବୁଝାମଣା କରି ଏକ ଶାନ୍ତିମୟ ଜୀବନ ଯାପନ ପାଇଁ ପରାମର୍ଶ ଦେଲେ। କିନ୍ତୁ ଘଟଣାଟି ଆହୁରି ଗୁରୁତର ହେବାକୁ ଲାଗିଲା।

ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ବି ବନ୍ଦ ହୋଇଗଲା। କଳହର ସମାଧାନ ପାଇଁ ଆଉ କିଛି ବାଟ ନଥିଲା। ଶେଷରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଲେ। ସବୁଜାଣି ବି ପାଖ ଲୋକମାନେ ବିଶ୍ୱାସ କରିପାରୁନଥିଲେ ଯେ ଏକ ଦୃଢ଼ ବିଶ୍ୱାସ ଉପରେ ଗଢ଼ି ହୋଇଥିବା ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କ ଆଜି ଭାଙ୍ଗି ଚୁରମାର୍ ହୋଇଯାଇଛି।

ଏଇ ଘଟଣାଟି ପ୍ରଫେସର୍ ଆନନ୍ଦ ମିଶ୍ରଙ୍କୁ ପଥର କରିଦେଇଛି। ସେ ମୂକ ପାଲଟି ଯାଇଛନ୍ତି। ସେ ଏକ ଭିନ୍ନ କିସମର ମଣିଷ ହୋଇ ଯାଇଛନ୍ତି। ନା ନିଜ ଉପରେ ବିଶ୍ୱାସ ଅଛି ନା ଆଉ କାହା ଉପରେ। ଭଲ ପାଇବାର ପବିତ୍ରତା ଉପରେ ତାଙ୍କର ଆଉ ବିଶ୍ୱାସ ନାହିଁ। ଭଲପାଇବା ତାଙ୍କ ପାଇଁ ଆଜି ମୂଲ୍ୟହୀନ ହୋଇଯାଇଛି। ଏଇ ଭଲପାଇବା ଶଦ୍ଦଟି ସମ୍ପର୍କରେ ତାଙ୍କ ମନରେ ଅନେକ ପ୍ରଶ୍ନ ସମୁଦ୍ରର ଢେଉ ପରି ଉଠୁଥିଲା।

ଭଲପାଇବା ରୂପରେଖ ବିଷୟରେ କିଏ ବା ତାଙ୍କୁ ଠିକ୍‌ରେ ବୁଝାଇ ପାରିବ। ସେ ବି ମତେ ଅନେକ ପ୍ରଶ୍ନ ପଚାରିଲେ। କିନ୍ତୁ ମୁଁ କିଛି ଉତ୍ତର ନଦେଇ ନୀରବ ରହିବାକୁ ବାଧ୍ୟହେଲି। କାରଣ ମୁଁ ଜାଣିଥିଲି ଯାହା ଉତ୍ତର ଦେଲେ ବି ସେ ସନ୍ତୁଷ୍ଟ ହେବେ ନାହିଁ।

ଭଲପାଇବା ବିନା ଆମେ ବଞ୍ଚିତ୍ପାରିବାନି। କିନ୍ତୁ ଦେଖିବାକୁ ଗଲେ ମନଖୋଲା ଓ ସ୍ୱଚ୍ଛ ଭଲପାଇବାର ଉଦାହରଣ ବହୁତ ବିରଳ। କୌଣସି ପ୍ରକାରର ଅହଂ ନଥାଇ, ସମର୍ପଣ ଓ ସେବା ଭାବର ଭଲପାଇବାଟି ଏବେ ଅସମ୍ଭବ ହୋଇପଡ଼ଛି। ଲୋକମାନେ କିଛି ଅଘଟଣ ହେଲେ ନିଜର ଭୁଲ୍ ନମାନି ନିଜ ଅହଂକୁ ଜାବୁଡ଼ି ଧରି ଭଲପାଇବାର ବଳିଦାନ ଦେବାକୁ ପଛାଉ ନାହାନ୍ତି। ପରିବାର ଭାଙ୍ଗି ଯାଉଛି, ଜୀବନ ଛାରଖାର ହୋଇଯାଉଛି କିନ୍ତୁ ଅନୁତାପ ବା ଅନୁଶୋଚନା ନାହିଁ। ବୋଧହୁଏ ସବୁଠୁ ଭଲହେବ ଯଦି ଆମେ କିଛିଟା ସର୍ତ୍ତ ରଖି ଭଲପାଇବା।

Comment