ଡକ୍ଟର ହରପ୍ରସନ୍ନ ଦାସ

ବିଚିତ୍ର ସଂସାର ଏଇଟା ଏଠାରେ ଅନେକ ଘଟଣାର ସେପରି କିଛି କାରଣ ନଥାଏ କିନ୍ତୁ ଅନେକ ଘଟଣା ଘଟିଥାଏ ଆମକୁ ଶିକ୍ଷା ଦେବାପାଇଁ

ଏକ ସମ୍ଭ୍ରାନ୍ତ ପରିବାରର ରାଜୀବ ପଟ୍ଟନାୟକ ଜଣେ ଇଞ୍ଜିନିଅର। ବୟସ ବତିଶ, ନମ୍ର ବ୍ୟବହାର, ସାହାସୀ ଓ ବଳିଷ୍ଠ ବ୍ୟକ୍ତିତ୍ୱ। ଭବିଷ୍ୟତ ପାଇଁ ମନରେ ଅନେକ ସ୍ୱପ୍ନ। ଇଞ୍ଜିନିଅରିଂ ପାସ୍ କଲାପରେ ଚାକିରି ନକରି ନିଜର ଏକ ସାଙ୍ଗ ସହିତ ମିଶି ମିଳିତ ଭାବରେ ଏକ ବ୍ୟବସାୟିକ ସଂସ୍ଥା ଆରମ୍ଭ କରିଥିଲେ। ସୂଚନା ଓ ବୈଷୟିକ ଜ୍ଞାନରେ ବିଭିନ୍ନ ପ୍ରକାର ସେବା ଯୋଗାଇଦେବା ଥିଲା ତାଙ୍କ ସଂସ୍ଥାର କାମ। ଅଳ୍ପଦିନ ଭିତରେ ସେମାନେ ବହୁତ ସଫଳତା ପାଇଥିଲେ। କିନ୍ତୁ ପରେ ଦୁଇସାଙ୍ଗଙ୍କ ଭିତରେ ମନୋମାଳିନ୍ୟ ହେତୁ ସଂସ୍ଥାଟି ବନ୍ଦ ହୋଇଯାଇଥିଲା।

ତା’ପରେ ସେ ମାନବ ସମ୍ବଳ ବିଭାଗ ସ୍ପେଶାଲ୍ ପେପର୍ ରଖି ଏମ୍‌ବିଏ ପଢ଼ିଲେ ଏବଂ ସେଇ କ୍ଷେତ୍ରରେ ଚାକିରି ଖୋଜିବାକୁ ଲାଗିଲେ। ତାଙ୍କର ମୂଳଶିକ୍ଷା ଥିଲା ଇଞ୍ଜିନିୟରିଂ। କିନ୍ତୁ ଏମ୍‌ବିଏ କରିଥିଲେ ମାନବ ସମ୍ବଳ ବିଷୟରେ। ତେଣୁ ବଡ଼ କମ୍ପାନୀରେ ଚାକିରି ପାଇଁ ସାକ୍ଷାତକାର ସମୟରେ ତାଙ୍କୁ ଇଞ୍ଜିନିୟରିଂ କାମରେ ହିଁ ନିଯୁକ୍ତି ମିଳୁଥିଲା। ତା’ପରେ ସିଏ ବଡ଼ କମ୍ପାନୀରେ ଚାକିରି ଖୋଜିବା ଛାଡ଼ି ଗୋଟିଏ ଶିକ୍ଷା ଅନୁଷ୍ଠାନରେ ପ୍ରଶାସନ ବିଭାଗରେ ସହ ପରିଚାଳକ ହିସାବରେ ଯୋଗଦେଲେ। କିନ୍ତୁ ଚେଷ୍ଟା କରୁଥିଲେ ମାନବସମ୍ବଳ ବିଭାଗରେ ଚାକିରିଟିଏ ପାଇବା ପାଇଁ।

ରାଜୀବ ପଟ୍ଟନାୟକଙ୍କ ପାଇଁ ମାନବସମ୍ବଳ ବିଭାଗରେ ଚାକିରିଟିଏ ଖୋଜିଦେବାକୁ ମୋର ଜଣେ ସାଙ୍ଗ ମତେ ଅନୁରୋଧ କରିଥିଲେ। ତା’ପରେ ରାଜୀବ ମୋ ସହିତ ଫୋନରେ କଥା ହେଲେ ଏବଂ ତାଙ୍କର ସିଭି ଇ-ମେଲରେ ପଠାଇ ଦେଲେ। ତାଙ୍କର ଅମାୟିକ କଥା, ଉତ୍ତମ ବ୍ୟବହାର ଓ ଶିଖିବାର ଇଚ୍ଛା ଦେଖି ମତେ ଖୁସି ଲାଗିଥିଲା। ମୁଁ ଅନୁଭବ କଲି ଯେକୌଣସି ଅନୁଷ୍ଠାନ ପାଇଁ ସେ ଏକ ଯୋଗ୍ୟ କର୍ମଚାରୀ ହୋଇପାରିବେ। ତେଣୁ ତାଙ୍କୁ ଏ ଦିଗରେ କିଛିଟା ସାହାଯ୍ୟ କରିବା ପାଇଁ ମୁଁ ସ୍ଥିର କଲି।

ରାଜୀବଙ୍କ ସିଭିରେ କିଛିଟା ତ୍ରୁଟି ଥିଲା। ମୋର ପରାମର୍ଶକୁ ଆନନ୍ଦରେ ଗ୍ରହଣ କରି ସେହି ଅନୁସାରେ ସେ ତାର ସଂଶୋଧନ ମଧ୍ୟ କରିଥିଲେ। ବ୍ୟସ୍ତତା ଯୋଗୁ ଆମ ଦୁହିଁଙ୍କର ସାକ୍ଷାତ ହୋଇପାରିନଥିଲା। କିନ୍ତୁ ନିୟମିତ ରୂପେ ଫୋନରେ କଥା ହେଉଥିଲୁ। ମାନବ ସମ୍ବଳ ବିକାଶର ବିଶେଷଜ୍ଞ ହିସାବରେ ମୁଁ ତାଙ୍କର ଦୋଷ ଦୁର୍ବଳତା ସମ୍ପର୍କରେ ତାଙ୍କୁ ସିଧାସଳଖ ଖୋଲାଖୋଲି ଭାବେ କହିଦେଉଥିଲି। ସେ ବି ଖୁସି ହେଇ ମୋ କଥାରୁ ବହୁତ କିଛି ଶିଖୁଥିଲେ ବୋଲି କହୁଥିଲେ। ଆନନ୍ଦରେ ସେ ମୋ ପାଖକୁ ପ୍ରଥମେ ଗୋଟିଏ ଇ-ମେଲ୍ ପଠାଇଥିଲେ।

ସେଥିରେ ଲେଖାଥିଲା- ‘ସାର୍, ମୁଁ ଆପଣଙ୍କର ଦୁଇଟି ଯାକ ୱେବସାଇଟ୍ ଦେଖିଲି। ଆପଣ ଓ ଆପଣଙ୍କ ଅନୁଷ୍ଠାନ ମାନବ ସମ୍ବଳର ବିକାଶ ପାଇଁ ଯେଉଁ କାମ କରୁଛନ୍ତି ତାହା ଅତି ବିରଳ ଓ ପ୍ରଶସଂନୀୟ। ଏହିପରି ଏକ ଅନୁଷ୍ଠାନରେ କାମ କରିବାର ସୁଯୋଗ ପାଇଲେ ମୁଁ ନିଜକୁ ଭାଗ୍ୟବାନ୍ ମନେକରିବି। ଆପଣଙ୍କ ପରି ଜଣେ ହୃଦୟବାନ ଜ୍ଞାନୀ ବ୍ୟକ୍ତି ଯିଏକି ସବୁବେଳେ ଅନ୍ୟମାନଙ୍କର ପ୍ରତିଭାର ବିକାଶ ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କ ସହିତ ପରିଚୟ ହେବାଟା ମୋ ପାଇଁ ସୌଭାଗ୍ୟର କଥା। ଆପଣଙ୍କ ଅନୁଷ୍ଠାନରେ ଯୋଗ ଦେଲେ ମୁଁ ସମାଜର ସେବା କରିବା ସହିତ ନିଜ ଦକ୍ଷତାର ଉନ୍ନତି ମଧ୍ୟ କରିପାରିବି। ଜୀବନରେ ଖୁବ୍ କମ୍ ସୁଯୋଗ ମିଳେ ଭଲ କାମ କରିବାକୁ। ଆପଣଙ୍କର ଆଶୀର୍ବାଦ ହିଁ ମୁଁ ଆଶା କରୁଛି’।

ମେଲଟି ପଢ଼ି ମୁଁ ଅତି ଆନନ୍ଦିତ ହେଲି ଏବଂ ହୃଦୟଙ୍ଗମ କଲି ଯେ କାମ କରିବା ପାଇଁ ରାଜୀବଙ୍କର ସକରାତ୍ମକ ମନୋଭାବ ଅଛି ଆମ ଅନୁଷ୍ଠାନ ପାଇଁ ସେ ନିଜର ଦକ୍ଷତା ପ୍ରମାଣ କରିପାରିବେ। ଏଣୁ ତାଙ୍କୁ କିପରି ଭାବେ ଏକ ଉଚିତ୍ କାର୍ଯ୍ୟରେ ଲଗାଯାଇପାରିବ ସେ ବିଷୟରେ ଯୋଜନା କଲି। ସବୁ ଦିଗରୁ ବିଚାର କରି ତାଙ୍କୁ ପ୍ରଥମେ ଗୋଟିଏ ଛୋଟ କାମ କରିବାର ଦାୟିତ୍ୱ ଦେଲି ଯେଉଁଥିରେ ତାଙ୍କ ଦକ୍ଷତାର ପ୍ରମାଣ ମିଳିପାରିବ ଓ ଆମ ଅନୁଷ୍ଠାନରେ କାମରେ ଯୋଗ ଦେବାରେ କିଛି ଅସୁବିଧା ହେବନାହିଁ। ଏହା ତାଙ୍କପାଇଁ ଏକ ଛୋଟ ପରୀକ୍ଷା ଥିଲା ବୋଲି କହିଲେ ହେବ। ରାଜୀବ ବି ଏହି କାମଟିକୁ ଆନନ୍ଦରେ ଗ୍ରହଣ କଲେ ଏବଂ ଠିକ୍ ସମୟରେ କରିବେ ବୋଲି କଥାଦେଲେ।

ଆଶ୍ଚର୍ଯ୍ୟର କଥା ଯେ ତା ପରଦିନ ଠାରୁ ସବୁକିଛି ଓଲଟ ପାଲଟ ହୋଇଗଲା। କାମଟି ବିଷୟରେ ପଚାରିବାରୁ ରାଜୀବ ସଫେଇ ଦେବା ଆରମ୍ଭ କରିଦେଲେ। କଥା ନଶୁଣି ଯୁକ୍ତିତର୍କ କରିଚାଲିଲେ। କାମ ବିଷୟରେ ଆଲୋଚନା କରିବା ପରିବର୍ତ୍ତେ ଆମର ଦୋଷ କାଢ଼ିଲେ। ଅହଙ୍କାର ଓ ଆତ୍ମବଡ଼ିମାରେ ଅନ୍ଧ ହୋଇ ସେ ନମ୍ରତା, ଭଦ୍ରାମୀ, ଅମାୟିକ ଭାବ ସବୁକିଛି ଭୁଲି ଯାଇଥିଲେ। ସେ ମଣିଷପଣିଆର ଏତେ ତଳକୁ ଖସି ଯାଇଥିଲେ ଯେ ବିଶ୍ୱାସ ହେଉନଥିଲା – ଏ କ’ଣ ସେହି ରାଜୀବ! ମଣିଷଟି କ’ଣ ଏତେ ବଦଳି ଯାଇପାରେ।

ଏକ ଭଦ୍ର ମଣିଷ କ’ଣ ହଠାତ୍ ଅମଣିଷ ଅବସ୍ଥାକୁ ଖସିଯାଇପାରେ। ଛଳନା ତଥା ମୁଖାପିନ୍ଧା ଲୋକଙ୍କୁ ମୁଁ ଜୀବନରେ ଅନେକ ଦେଖିଛି, କିନ୍ତୁ ଏ ଥିଲେ ଏକ ଭିନ୍ନ ଚରିତ୍ରର ସେ ସବୁକିଛି ସୀମା ଟପି ଯାଇଥିଲେ।

ମୋଟାମୋଟି ଭାବେ କହିବାକୁ ଗଲେ ସେ କାମଟି କରିବାକୁ ପ୍ରସ୍ତୁତ ନଥିଲେ। ପରେ ତାଙ୍କ ବିଷୟରେ ମୁଁ ଶୁଣିବାକୁ ପାଇଲି ଯେ କଥା କହିବାରେ ସେ ଅତି ଧୁରନ୍ଧର। କିନ୍ତୁ କାମରେ ଠିକ୍ ଓଲଟା। କଷ୍ଟ ନକରି ସହଜରେ ଓ କମ୍ ସମୟରେ ସଫଳତା ପାଇବାକୁ ସେ ଚାହାନ୍ତି। ଏହି ଗୁଣରୁ ତାଙ୍କ ସାଙ୍ଗ ସହିତ ସେ ଗଢ଼ିଥିବା ସଂସ୍ଥାଟି ବନ୍ଦ ହୋଇଯାଇଥିଲା। ଯଦି ଏହାହିଁ ସତ୍ୟ, ତେବେ ମୂଳରୁ ଖୋଲାଖୋଲି ମନା କରିଦେଇଥିଲେ ବେଶ୍ ଭଲ ହୋଇଥାନ୍ତା। ସମୟ ନଷ୍ଟ ହୋଇନଥାନ୍ତା ଅବା ସମ୍ପର୍କରେ ଏତେ ତିକ୍ତତା ଆସିନଥାନ୍ତା।

ରାଜୀବ ପାଖରେ ମୋର କିଛି ପାଇବାର ନଥିଲା। ବରଂ ସେ ହିଁ ମତେ ଅନୁରୋଧ କରିଥିଲା ଚାକିରିଟିଏ ପାଇଁ। କିନ୍ତୁ ସମ୍ପର୍କଟିଏ ଆରମ୍ଭ ହେବା ପୂର୍ବରୁ ପୂରାପୂରି ଶେଷ ହୋଇଗଲା। ବିଚିତ୍ର ସଂସାର ଏଇଟା। ଏଠାରେ ଅନେକ ଘଟଣାର ସେପରି କିଛି କାରଣ ନଥାଏ। କିନ୍ତୁ ଅନେକ ଘଟଣା ଘଟିଥାଏ ଆମକୁ ଶିକ୍ଷା ଦେବାପାଇଁ। ବୋଧହୁଏ ଏହା ସେହିପରି ଏକ ଘଟଣା ଥିଲା।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment