ଓଡ଼ିଶାଲାଇଭ୍ ବ୍ୟୁରୋ

ପିଆଇବିର ମହାନିର୍ଦ୍ଦେଶକ ହୋଇଛନ୍ତି ସୀତାଂଶୁ କର। ଏହା ଓଡ଼ିଶା ପାଇଁ ଖୁସି ଖବର।

ଫ୍ରାଙ୍କ ନୋରାନାଙ୍କ ପରେ ଭାରତ ସରକାରଙ୍କ ପତ୍ର ସୂଚନା ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ ସୀତାଂଶୁ ରଞ୍ଜନ କରଙ୍କ ଦାୟିତ୍ୱ ଗ୍ରହଣ ନିଶ୍ଚିତ ଭାବରେ ଓଡ଼ିଆଙ୍କ ପାଇଁ ଖୁସି ଖବର। କେବଳ ସୀତାଂଶୁ କାହିଁକି କେନ୍ଦ୍ରରେ ଏବେ ଖାଲି ଓଡ଼ିଆ ଅଫିସରଙ୍କ ରାଜ୍। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ମୁଖ୍ୟ ଭାବେ ବେଶ୍ କିଛି ଓଡ଼ିଆ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି।

ସୀତାଂଶୁଙ୍କ ଦାୟିତ୍ୱ ଗ୍ରହଣ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ସେ ଭାରତ ସରକାରଙ୍କ ପ୍ରମୁଖ ମୁଖପାତ୍ର ମଧ୍ୟ। ପିଆଇବିର ମହାନିର୍ଦ୍ଦେଶକ ପଦଟି ଆପଣା ଛାଏଁ ସେ ପାଇଛନ୍ତି। କଟକରେ ଜନ୍ମିତ ଓ ଉତ୍କଳ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଟପ୍ପର ହୋଇଥିବା ୧୯୮୩ ବ୍ୟାଚର ଭାରତୀୟ ସୂଚନା ସେବାର ଅଧିକାରୀ ସୀତାଂଶୁ ଦୀର୍ଘ ୩୫ ବର୍ଷ ଧରି ଏହି କାର୍ଯ୍ୟ ସମ୍ପାଦନ କରି ଆସିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସେ କାର୍ଯ୍ୟ କରିଛନ୍ତି ଏବଂ ବେଶ୍ ଅଭିଜ୍ଞତା ରହିଛି ତାଙ୍କର। ସେତେବେଳର ସବୁ ସୂଚନା ସେବା ଅଧିକାରୀଙ୍କ ଭଳି ସେ ଆକାଶବାଣୀର ଖବର ସରବରାହ ବିଭାଗରେ ଚାକିରୀ ଆରମ୍ଭ କରିଥିଲେ ଓ ପରେ ଦୂରଦର୍ଶନ ସମାଚାର ବିଭାଗରେ ଯୋଗ ଦେଇଥିଲେ। ଏପରିକି ପିଆଇବିରେ ବି ତାଙ୍କର ୧୫ ବର୍ଷର ଅଭିଜ୍ଞତା ରହିଛି।

ସୀତାଂଶୁ କରଙ୍କ ଆଉ ଏକ ପରିଚୟ ହେଉଛି ସେ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଭାବେ ସର୍ବାଧିକ ସମୟ ଅତିବାହିତ କରିଛନ୍ତି ଏବଂ ତାଙ୍କ ରେକର୍ଡ଼କୁ କେହି ଭାଙ୍ଗି ପାରିନାହାନ୍ତି। ୨୦୧୫ରେ ସେ ଅଲ ଇଣ୍ଡିଆ ରେଡିଓ ନ୍ୟୁଜ୍ ସର୍ଭିସ ଡିଭିଜନର ମହା ନିର୍ଦ୍ଦେଶକ ଭାବେ ଯୋଗଦେବା ପରେ ଆକାଶବାଣୀ ଖବର ବିଭାଗର ଚେହେରାକୁ ପୂରା ବଦଳାଇ ଦେଇଥିଲା।

ବିଶେଷକରି ସୋସିଆଲ ମିଡିଆରେ ସେ ଆକାଶବାଣୀକୁ ଖୁବ୍ ଲୋକପ୍ରିୟ କରାଇ ପାରିଥିଲେ। ସୀତାଂଶୁ କରଙ୍କ ପାଇଁ ଚାଲେଞ୍ଜ ହେଉଛି କେନ୍ଦ୍ର ସରକାରଙ୍କ ପ୍ରଧାନ ମୁଖପାତ୍ର ଭାବରେ କିଭଳି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗର ଏକ ନୂଆ ପ୍ରତିରୂପ ହୋଇପାରିବେ। ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ନୋରାନା ମୁଖପାତ୍ର ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିଲେ।

ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରେଡିଓ ଏବଂ ଟେଲିଭିଜନ ଉପରେ ଗୁରୁତ୍ୱ ଦେଉଥିବାରୁ ପିଆଇବିର ଏକ ନୂଆ ପରିଚୟ ସୃଷ୍ଟି ହୋଇଥିଲା। ପୁରୁଣା ଧାରାକୁ ଆଗେଇ ନେବା ପାଇଁ ନୂଆ ବସ୍‌ଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହେବ। ସାମ୍ବାଦିକମାନଙ୍କୁ ଆକ୍ରେଡିଟେସନ ଦେବା ପ୍ରସଙ୍ଗରେ ନିକଟରେ ପତ୍ର ସୂଚନା ବିଭାଗ ଯେଉଁଭଳି ବିବାଦ ଭିତରକୁ ଆସିଥିଲା ଏବଂ ପିଏମଓର ହସ୍ତକ୍ଷେପ ଫଳରେ ଏହି ବିବାଦୀୟ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନିଆ ଯାଇଥିଲା, ତାହାର ପୂନରାବୃତ୍ତି ନ ହେବା ଦରକାର।

ଆଶା କରାଯାଉଛି ନିଜର ଦୀର୍ଘ ଅଭିଜ୍ଞତାକୁ ପାଥେୟ କରି ସୀତାଂଶୁ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ।

Comment