ଡକ୍ଟର ମୃଣାଳ ଚାଟାର୍ଜୀ

Radio

ଜୁଲାଇ ୨୩ ଜାତୀୟ ପ୍ରସାରଣ ଦିବସ ଅବସରରେ…

ଭାରତରେ ୧୯୨୧ ମସିହାରେ ରେଡିଓ କ୍ଲବ ବମ୍ବେରୁ ପ୍ରଥମ ପରୀକ୍ଷାମୂଳକ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲେ ହେଁ ଆନୁଷ୍ଠାନିକ ଭାବେ ବେତାର ପ୍ରସାରଣ ଆରମ୍ଭ ହୋଇଥିଲା ୧୯୨୭ରେ। ଇଣ୍ଡିଆନ ବ୍ରଡକାଷ୍ଟିଂ କମ୍ପାନି ନାମକ ଏକ ବେସରକାରୀ କମ୍ପାନି ଏବଂ ଭାରତ ସରକାରଙ୍କ ଭିତରେ ଚୁକ୍ତି ହେଲା। ଚୁକ୍ତି ମୁତାବକ ଇଣ୍ଡିଆନ ବ୍ରଡକାଷ୍ଟିଂ କମ୍ପାନିକୁ ଦୁଇଟି ରେଡିଓ ଷ୍ଟେସନ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ମିଳିଥିଲା। ୧୯୨୭ ଜୁଲାଇ ୨୩ରେ ବମ୍ବେ କେନ୍ଦ୍ରରୁ ଏହାର ପ୍ରଥମ ପ୍ରସାରଣ ଆରମ୍ଭ ହେଲା। ତେଣୁ ଏହି ଦିନଟିକୁ ପରବର୍ତ୍ତୀ ସମୟରେ ଜାତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଗଲା। ଏହି କେନ୍ଦ୍ରକୁ ତତ୍କାଳୀନ ଭାଇସ୍‌ରାୟ ଲର୍ଡ ଇରୱିନ୍ ଉଦ୍‌ଘାଟନ କରିଥିଲେ। ଏହାର ସପ୍ତାହେ ପରେ କଲିକତା କେନ୍ଦ୍ରରୁ ପ୍ରସାରଣ ସେବା ଆରମ୍ଭ ହୋଇଥିଲା।

୧୯୨୭ ଜୁଲାଇ ୨୩ରେ ହିଁ ଦେଶରେ ସର୍ବପ୍ରଥମ ରେଡିଓ ଖବର (ବୁଲେଟିନ୍) ପ୍ରସାରଣ ବମ୍ବେରୁ ଆରମ୍ଭ ହୋଇଥିଲା। ଏହାର ମାସେ ପରେ, ଅଗଷ୍ଟ ୨୬ ତାରିଖରେ କଲିକତା କେନ୍ଦ୍ରରୁ ବଙ୍ଗଳା ଭାଷାରେ ଖବର ପ୍ରସାରଣ କରାଗଲା। ୧୯୩୫ ପର୍ଯ୍ୟନ୍ତ ହିନ୍ଦୁସ୍ଥାନୀ ଏବଂ ଇଂରାଜୀରେ ଦୁଇଟି ବୁଲେଟିନ ବମ୍ବେରୁ ପ୍ରସାରଣ ହେଉଥିଲା ଏବଂ ଗୋଟିଏ ବଙ୍ଗଳା ବୁଲେଟିନ୍ କଲିକତାରୁ ପ୍ରସାରଣ ହେଉଥିଲା।୧୯୩୦ ମାର୍ଚ୍ଚ ମାସରେ ଇଣ୍ଡିଆନ ବ୍ରଡକାଷ୍ଟିଂ କମ୍ପାନି ଦେବାଳିଆ ହୋଇଗଲା ଏବଂ ରେଡିଓ ପ୍ରସାରଣ ସିଧାସଳଖ ଭାବେ ଭାରତ ସରକାରଙ୍କ ଅଧୀନ ଓ ନିୟନ୍ତ୍ରଣକୁ ଆସିଲା। ବ୍ରିଟିସ୍ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି)ର ପ୍ରଥମ ମହାନିର୍ଦ୍ଦେଶକ ସାର୍ ଜନ୍ ରେଥ୍ ସରକାରଙ୍କୁ ଏକ ଜାତୀୟ ପ୍ରସାରଣ ସେବା ଆରମ୍ଭ କରିବାକୁ ପ୍ରବର୍ତ୍ତାଇଲେ। ସରକାର ଏଥିପାଇଁ ବିବିସିର ଜଣେ କାର୍ଯ୍ୟକ୍ରମ ପରିଚାଳକ (ପ୍ରଡ୍ୟୁସର) ଲିଓନାଲ୍ ଫିଲ୍ଡେନ୍‌ଙ୍କୁ ନିଯୁକ୍ତ କଲେ। ଫିଲ୍ଡେନ୍ ଏ ପ୍ରସାରଣ ସେବାର ରୂଖରେଖ ତିଆରି କଲେ। ଏହାକୁ ଇଣ୍ଡିଆନ ଷ୍ଟେଟ୍ ବ୍ରଡକାଷ୍ଟିଂ ସର୍ଭିସ ଭାବେ ନାମକରଣ କରାଗଲା। ଏହା କଣ୍ଟ୍ରୋଲର ଅଫ ବ୍ରଡକାଷ୍ଟିଂ ବିଭାଗ ଅଧୀନରେ କାର୍ଯ୍ୟ କଲା। ୧୯୩୬ ଜୁନ ୮ରେ ଏହାର ନୂଆ ନାମକରଣ କରାଗଲା: ଅଲ ଇଣ୍ଡିଆ ରେଡିଓ (ଏଆଇଆର)। ୧୯୫୬ରେ ଏହାର ଆଉ ଏକ ନାମ ଦିଆଗଲା: ଆକାଶବାଣୀ।

୧୯୩୬ ଜାନୁଆରି ୧୯ରେ ଦିଲ୍ଲୀ କେନ୍ଦ୍ରରୁ ପ୍ରସାରଣ ଆରମ୍ଭ ହେଲା। ପ୍ରଥମ ଦିନରୁ ହିଁ ଏହି କେନ୍ଦ୍ରରୁ ନ୍ୟୁଜ ବୁଲେଟିନ ପ୍ରସାରଣ ହେଲା। ଏହି କେନ୍ଦ୍ରରୁ ହିନ୍ଦୁସ୍ଥାନୀ ଏବଂ ଇଂରାଜୀରେ ବୁଲେଟିନ ପ୍ରସାରଣ ସହିତ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ମଧ୍ୟ ଏହି ଦୁଇଟି ଭାଷାରେ ଆଲୋଚନା ଆରମ୍ଭ ହୋଇଥିଲା।ଅଗଷ୍ଟ ୧, ୧୯୩୭ରେ ପ୍ରତିଷ୍ଠା କରାଯାଇଥିଲା ସେଣ୍ଟ୍ରାଲ୍ ନିଉଜ୍ ଅର୍ଗାନାଇଜେସନ୍ (କେନ୍ଦ୍ରୀୟ ଖବର ପରିବେଷଣ ସଂସ୍ଥା)। ଚାର୍ଲସ୍ ବ୍ରାନ୍ସ ଏହାର ପ୍ରଥମ ବାର୍ତ୍ତା ସଂପାଦକ ଭାବେ ସେପ୍ଟେମ୍ବରରୁ ଦାୟିତ୍ୱ ଗ୍ରହଣ କଲେ। ପରେ ସେ ପ୍ରଥମ ଡାଇରେକ୍ଟର ଅଫ ନିଉଜ ହୋଇଥିଲେ।

୧୯୩୯ରେ ଆରମ୍ଭ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଏହା ସେଣ୍ଟ୍ରାଲ୍ ନିଉଜ ଅର୍ଗାନାଇଜେସନର ଅଭିବୃଦ୍ଧିରେ ଏକ ବଡ଼ ଫ୍ୟାକ୍ଟର ହେଲା। ସେହି ବର୍ଷ ବିଦେଶର ପ୍ରସାରଣ ଉପରେ ଦୃଷ୍ଟି ରଖିବା ନିମନ୍ତେ ମନିଟରିଂ ସର୍ଭିସ୍ ଆରମ୍ଭ ହେଲା। ୧୯୪୫ରେ ଆରମ୍ଭ ହେଲା ବୈଦେଶିକ ପ୍ରସାରଣ ୟୁନିଟ୍। ୧୯୪୫ ବେଳକୁ ବୈଦେଶିକ ପ୍ରସାରଣ ସହିତ ଭାରତର କେତେକ ଆଞ୍ଚଳିକ ଭାଷାରେ ଖବର ପ୍ରସାରଣ ଆରମ୍ଭ ହୋଇଗଲା।

ସ୍ୱାଧୀନତାର ଅବ୍ୟବହିତ ପୂର୍ବର ଅବସ୍ଥା

୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ସମୟରେ ପାକିସ୍ତାନ ସହିତ ଅଲ ଇଣ୍ଡିଆ ରେଡିଓ ସାମଗ୍ରୀ ୨:୧ ଅନୁପାତରେ ଭାଗବଣ୍ଟା କରାଗଲା। ଏହି ସମୟରେ ଭାରତରେ ଅଲ ଇଣ୍ଡିଆ ରେଡିଓର ମାତ୍ର ୬ଟି ଷ୍ଟେସନ ରହିଥିଲା: ଦିଲ୍ଲୀ, ବମ୍ବେ, କଲିକତା, ମାନ୍ଦ୍ରାଜ, ଲକ୍ଷ୍ନୌ ଏବଂ ତ୍ରିଚି। ଟ୍ରାନ୍ସମିଟର ସଂଖ୍ୟା ଥିଲା ୧୮। ଦେଶର ସମୁଦାୟ ଭୌଗୋଳିକ ଅଞ୍ଚଳର ୨.୫ ପ୍ରତିଶତ ଇଲାକାରେ ପ୍ରସାରଣ ସେବା ପହଞ୍ଚି ପାରୁଥିଲା ଏବଂ କେବଳ ୧୧ ପ୍ରତିଶତ ଲୋକେ ଏହାକୁ ଶୁଣି ପାରୁଥିଲେ।

ସ୍ୱାଧୀନତା ପରେ

ସ୍ୱାଧୀନତା ପରେ ଭାରତରେ ପ୍ରସାରଣ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ୧୯୪୭ରେ ଏକ ପାଇଲଟ୍ କାର୍ଯ୍ୟକ୍ରମ ହାତକୁ ନିଆଗଲା। ୧୯୬୦ ଦଶକର ଶେଷ ଆଡ଼କୁ ଶସ୍ତା ଟ୍ରାଞ୍ଜିଷ୍ଟର ରେଡିଓ ବଜାରକୁ ଆସିବା ପରେ ରେଡିଓର ଜନପ୍ରିୟତା ଓ ବ୍ୟବହାର ଦ୍ରୁତଗତିରେ ବଢ଼ିବାକୁ ଲାଗିଲା।ବେସରକାରୀ ରେଡିଓର ଆରମ୍ଭ

୨୦୦୦ ମସିହା ସୁଦ୍ଧା ରେଡିଓ ପ୍ରସାରଣ କ୍ଷେତ୍ରରେ ଆକାଶବାଣୀର ଏକଛତ୍ରବାଦ ରହିଥିଲା। ୨୦୦୦ ମସିହା ମେ’ ମାସରେ ଭାରତ ସରକାର ଘରୋଇ ଏଫଏମ୍ ପ୍ରସାରକଙ୍କୁ ରେଡିଓ ପ୍ରସାରଣରେ ସାମିଲ ହେବାର ଅନୁମତି ଦେଇଥିଲେ।

ଭାରତରେ ପ୍ରଥମ ଘରୋଇ ଏଫ୍ଏମ୍ ଷ୍ଟେସନ ରେଡିଓ ସିଟି ୨୦୦୧ ମସିହାରେ ବାଙ୍ଗାଲୋରରେ ଆରମ୍ଭ ହୋଇଥିଲା। କ୍ରମଶଃ ଶ୍ରୋତା ସଂଖ୍ୟା ବଢ଼ିଥିଲା, ତେବେ ଲାଇସେନ୍ସ ଫି’ ଅଧିକ ରହୁଥିବାରୁ ଘରୋଇ ବେତାର କେନ୍ଦ୍ରମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ୨୦୦୫ ବେଳକୁ ସରକାରୀ ନୀତି କୋହଳ କରାଯାଇଥିଲା, ଯାହା ଫଳରେ ଘରୋଇ କ୍ଷେତ୍ରରେ ରେଡିଓର ପ୍ରସାର ହୋଇଥିଲା। ୨୦୧୮ ଶେଷ ବେଳକୁ ସମଗ୍ର ଦେଶରେ ୩୬୯ରୁ ଊର୍ଦ୍ଧ୍ଵ ଘରୋଇ ଏଫ୍ଏମ୍ ଷ୍ଟେସନ କାର୍ଯ୍ୟ କରୁଛି। ଏହାଛଡ଼ା ୨୦୨୦ରୁ ୨୯୦ଟି ଗୋଷ୍ଠୀ ବେତାର କେନ୍ଦ୍ର (କମ୍ୟୁନିଟି ରେଡିଓ ଷ୍ଟେସନ୍) କାମ କରୁଛି।

(ଲେଖକ ବର୍ତ୍ତମାନ ଆଇଆଇଏମସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ)

Tags: #Radio #AllIndiaRadio #Akashvani #DrMrinalChatterjee #IndianBroadcastingCompany

Comment