ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାର ଆଧୁନିକ ଓ ଡିଜିଟାଲ ଯୁଗରେ ବହୁତ କିଛି ପରିବର୍ତ୍ତନ ହୋଇଛି। ଆଙ୍ଗୁଠି ଟିପରେ ମିଳୁଛି ସବୁ ପ୍ରକାର ମନୋରଞ୍ଜନ ଏବଂ ଖବର। ଘରେ ଘରେ ଟେଲିଭିଜନର ବଡ଼ ବଡ଼ ସେଟ୍। କିନ୍ତୁ ଏବେ ବି ରେଡିଓର ସ୍ଥାନ ସ୍ଵତନ୍ତ୍ର। ସମୟ ବଦଳିବା ସହିତ ରେଡିଓ ପ୍ରତି ଲୋକଙ୍କ ଭାବନାରେ ପରିବର୍ତ୍ତନ ହୋଇଛି ସତ କିନ୍ତୁ, ଏବେ ବି ସେ ଶ୍ରୋତାମାନଙ୍କ ନିକଟରେ ନିଜର ଆଦର ବଜାୟ ରଖିଛି ଏବଂ ଆଗକୁ ମଧ୍ୟ ତାହା ବଜାୟ ରହିବ। ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶା (ଆସ୍ପୋ) ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ ୨୦୨୨ରେ ଏଭଳି ମତ ପ୍ରକାଶ ପାଇଛି।

ଏପ୍ରିଲ ୩ ତାରିଖ, ରବିବାର ଦିନ କଟକ ପ୍ରତାପନଗରୀସ୍ଥିତ ଧାକୁଲେଇ ପୀଠ ପରିସରରେ ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବୈଜ୍ଞାନିକ ସୁଦର୍ଶନ ସାସମଲ ଏହାକୁ ଉଦ୍‌ଘାଟନ କରିଥିଲେ।ବରିଷ୍ଠ ସାମ୍ଵାଦିକ ତଥା ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ଵର ରଥ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ସାମ୍ଵାଦିକତା କ୍ଷେତ୍ରକୁ ଆସିବା ଦିନଠୁ ଛାପା, ବୈଦ୍ୟୁତିକ, ରେଡିଓ ଏବଂ ଓ୍ଵେବ୍ ଭଳି ସମସ୍ତ ମାଧ୍ୟମରେ କାମ କରିବାର ସୁଯୋଗ ପାଇଛି। କିନ୍ତୁ ରେଡିଓରେ ମତେ ସ୍ଵତନ୍ତ୍ର ଅନୁଭୂତି ମିଳିଛି। କୌଣସି ଭିଜୁଆଲ କିମ୍ଵା ଚିତ୍ର ବିନା କେବଳ ଶବ୍ଦ ଏବଂ ସ୍ଵର ଜରିଆରେ ରେଡିଓ ଶ୍ରୋତାଙ୍କ ପାଖରେ ପହଞ୍ଚିଥାଏ, ଯାହାପାଇଁ ରେଡିଓ ସମସ୍ତଙ୍କଠୁ ନିଆରା।ସେ ଆହୁରି ମଧ୍ୟ କହିଥିଲେ ଯେ, ବହୁଦିନ ପୂର୍ବେ ରେଡିଓରେ କାମ କରିବାର ସୁଯୋଗ ପାଇଥିଲି। କିନ୍ତୁ ଏବେ ପ୍ରତ୍ୟେକ୍ଷ ଭାବେ ନ ହେଲେ ବି ପରୋକ୍ଷରେ ରେଡିଓ ସହ କାମ କରୁଛି। ଅତୀତରେ ଆମର କୋଭିଡ୍ ସଚେତନତାମୂଳକ କାର୍ଯ୍ୟକ୍ରମ ‘କେତେ ନୂଆ ବାଟ’ ଶୀର୍ଷକ ରେଡିଓ ସିରିଜ୍ ଆକାଶବାଣୀ ସହ ଅନ୍ୟାନ୍ୟ ଏଫ୍‌ଏମ୍‌ ଷ୍ଟେସନରେ ପ୍ରସାରିତ ହୋଇଛି। ଏବେ ବିକାଶମୂଳକ ସାମ୍ଵାଦିକତା କ୍ଷେତ୍ରରେ ‘ଆମ ସୁନ୍ଦରଗଡ଼’ ନାମରେ ଏକ ରେଡିଓ ସିରିଜ୍ ମଧ୍ୟ ଓଡ଼ିଶାର ବିଭିନ୍ନ ରେଡିଓ ଷ୍ଟେସନ ଜରିଆରେ ପ୍ରସାରିତ ହେଉଛି।   Iti Samantaକୁନିକଥା ଏବଂ କାଦମ୍ଵିନୀର ସମ୍ପାଦିକା ଇତି ସାମନ୍ତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରେଡିଓ ବିଶେଷକରି ଆକାଶବାଣୀକୁ ନେଇ ତାଙ୍କର ଥିବା ଅନୁଭୂତି ବାବଦରେ କହିଥିଲେ। ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ ଯୋଗଦେଇ ଆକାଶବାଣୀ କଟକରେ ଗୀତ ଗାଇବାର ଅନୁଭୂତି ବିଷୟରେ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଆକାଶବାଣୀ କଟକର ପ୍ରୋଗ୍ରାମ ଏକ୍‌ଜିକ୍ୟୁଟିଭ୍ ଅଭୟ କୁମାର ଦାସ, ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଯୁଗଳ କିଶୋର ପଣ୍ଡା, ଅବସରପ୍ରାପ୍ତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଡପନ ଦତ୍ତ, ଜୟନ୍ତୀ ମହାପାତ୍ର, ଆକାଶବାଣୀ କଟକ ଏବଂ ଓଡ଼ିଶାର ବିଭିନ୍ନ ରେଡିଓ, ଏଫ୍‌ଏମ୍‌ ଷ୍ଟେସନର ଆର୍‌ଜେମାନଙ୍କ ସମେତ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ରେଡିଓ ଶ୍ରୋତାମାନେ ଉପସ୍ଥିତ ଥିଲେ। ଆସ୍ପୋର ରାଜ୍ୟ ସଂଯୋଜକ ନଳିନୀକାନ୍ତ ବିଶ୍ଵାଳ, ପ୍ରତାପ କୁମାର ନାୟକ ଏବଂ ପଲ୍ଲବୀ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ରେଡିଓ ଧାରାବାହିକ ଗାଁ କଥାର ପୁରସ୍କାର ବିତରଣ ହୋଇଥିଲା।

#Tags: #ASPO #AkashvaniShrotaParishadOdisha #Radio #ଆକାଶବାଣୀକଟକ #ଆକାଶବାଣୀଶ୍ରୋତାପରିଷଦଓଡ଼ିଶା #ରେଡିଓ

LEAVE A REPLY

Please enter your comment!
Please enter your name here