ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୁଣା ହୋଇଯାଇଥିବା ନୋଟ୍ ଏବଂ କଏନ ଯୋଗୁଁ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ଥାଏ।

ପୁରୁଣା ହୋଇଯାଇଥିବା ନୋଟ୍ ଏବଂ କଏନ ଯୋଗୁଁ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ଥାଏ। ଲୋକଙ୍କୁ ଏ ବିଷୟରେ ସଚେତନ କରିବା ପାଇଁ ଆଗେଇ ଆସିଛି ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍ଏସଏସ୍ଏଆଇ)।

ଏନେଇ ଦେଶର ସମସ୍ତ ରାଜ୍ୟ ଖାଦ୍ୟ କମିଶନରମାନଙ୍କୁ ଏକ ବ୍ୟବସ୍ଥାଗତ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଏଫ୍ଏସଏସ୍ଏଆଇ। ଟଙ୍କାପଇସା ଧରୁଥିବା ହାତରେ ଖାଦ୍ୟ ପରିବେଷଣ ନ କରିବା ପାଇଁ ଭୋଜନାଳୟ ଓ ଉଠା ଜଳଖିଆ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ ଖାଦ୍ୟ କମିଶନରଙ୍କୁ ଏଫ୍ଏସଏସ୍ଏଆଇ ପକ୍ଷରୁ କୁହାଯାଇଛି।

ଏହାସହ ଜନସାଧାରଣଙ୍କୁ ଏ ବାବଦରେ ସଚେତନ କରାଇବାକୁ ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ପରାମର୍ଶ ଦିଆଯାଇଛି। ଖୁବ୍‌ଶିଘ୍ର ଦେଶରେ ଏଥିପାଇଁ ବ୍ୟାପକ ଜନସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ଏଫ୍ଏସଏସ୍ଏଆଇ ପକ୍ଷରୁ କୁହାଯାଇଛି।

ସାଧାରଣତଃ ଅପରିଷ୍କାର ହାତରେ ଟଙ୍କା ଦେଣନେଣ କରିବା, ଛେପ ଲଗାଇ ନୋଟ୍‌ ଗଣିବା ଦ୍ଵାରା ଟଙ୍କାପଇସାରେ ଥିବା ମାରାତ୍ମକ ଜୀବାଣୁ ଶରୀରକୁ ଯାଇ ରୋଗ ସୃଷ୍ଟି କରେ। ବିଶେଷକରି ରାସ୍ତାକଡ଼ରେ ଚଟପଟି ଖାଦ୍ୟ ବିକ୍ରି କରୁଥିବା ବୁଲା ବିକାଳିମାନେ ସମାନ ହାତରେ ଟଙ୍କାପଇସା ନେଇ ଖାଇବା ବାଢ଼ି ଦିଅନ୍ତି। ଫଳରେ ଟଙ୍କାରେ ଥିବା ଜୀବାଣୁ ଖାଦ୍ୟରେ ପ୍ରବେଶ କରି ଶରୀର ଭିତରକୁ ଯାଇଥାଏ। ଏହାଦ୍ଵାରା ଚର୍ମରୋଗ, ଶ୍ୱାସକ୍ରିୟାଜନିତ ରୋଗ ଓ ଅମ୍ଳରୋଗର ଶିକାର ହେବାକୁ ପଡ଼ିଥାଏ।

ଖାସ୍ ଭାବେ ଛୋଟପିଲା, ଗର୍ଭବତୀ ମହିଳା, ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କ ଶରୀରରେ ସହଜରେ ଏହି ଜୀବାଣୁ ସଂକ୍ରମିତ ହୁଏ।

ଜନସାଧାରଣଙ୍କ ସ୍ଵାସ୍ଥ୍ୟ ସୁରକ୍ଷାକୁ ଲକ୍ଷ୍ୟ କରି ଏକ ବଳିଷ୍ଠ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସମସ୍ତ ରାଜ୍ୟର ଖାଦ୍ୟ କମିଶନର୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଫ୍ଏସଏସ୍ଏଆଇ।

Comment