ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟଣାଗଡ ପାର୍ସଲ ବୋମା ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହରେଙ୍କୁ ନେଇ ରାୟପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍।
କ୍ରାଇମବ୍ରାଞ୍ଚ ଟିମ୍ ପାର୍ସଲ ବୋମା ଘଟଣାର ମାଷ୍ଟରମାଇଣ୍ଡ୍ ପୁଞ୍ଜିଲାଲ ମେହେରଙ୍କୁ ଧରି ରାୟପୁର ଯାଇଛନ୍ତି। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାରଦିନ ସକାଳେ କଣ୍ଟାବାଞ୍ଜି ଷ୍ଟେସନରୁ ଟ୍ରେନ ଯୋଗେ ପୁଞ୍ଜିଲାଲକୁ ରାୟପୁରକୁ ନିଆଯାଇଛି।
ଶୁକ୍ରବାରଦିନ ପାଟଣାଗଡ ମେହେରପଡା ସ୍ଥିତ ପୁଞ୍ଜିଲାଲର ଘରେ ନିଜେ ଯାଞ୍ଚ କରିଥିଲେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ପୁଞିଲାଲଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ପୁଞ୍ଜିଲାଲକୁ ରାୟପୁରର ବିଭିନ୍ନ ସ୍ଥାନକୁ ନେଇ ପଚରାଉଚରା କରିବ କ୍ରାଇଇମବ୍ରାଞ୍ଚ।
ପାର୍ସଲ ବୋମା ରାୟପୁରରୁ କୋରିୟର ଯୋଗେ ପାଟଣାଗଡ଼ ପଠାଯାଇଥିଲା। ଏଣୁ ସେଠାରେ ସେ କେମିତି କୋରିୟର ପ୍ୟାକ୍ କରିଥିଲା କାହାର ସହାୟତା ସବୁ ନେଇଥିଲା ତାହାର ତନାଘନା କରିବ କ୍ରାଇମବ୍ରାଞ୍ଚ ଟିମ୍। ଯେଉଁ ଅଟୋଚାଳକ ପୁଞ୍ଜଲାଲକୁ ଏହି କାର୍ଯ୍ୟରେ ସହାୟତା ଦେଇଥିଲା ତାକୁ ଖୋଜି ଅଧିକ ତଥ୍ୟ ଯୋଗାଡ଼ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ରାୟପୁର ଯାଇଛନ୍ତି।
ରାୟପୁରରେ ପୁଞ୍ଜିଲାଲ କୁଆଡ଼େ କୁଆଡ଼େ ଅଟୋରେ ଯାଇଥିଲେ ସେସବୁ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଏଟିଏମ୍ କାଉଣ୍ଟରର ସିସିଟିଭି ଫୁଟେଜ ଯାଞ୍ଚ କରିବେ। ଯଦି ସେହି ଅଟୋ ରିକ୍ସା ଚାଳକ ସ୍ୱେଚ୍ଛାକୃତ ଭାବେ ପୋଲିସ ଆଗରେ ବୟାନ ଦେବେ ତାହାଲେ ତାଙ୍କୁ ପରସ୍କାର ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଘୋଷଣା କରାଯାଇଛି।
ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ଏବଂ ରିମାଙ୍କ ସଂସାର ଛାରଖାର ହୋଇଯାଇଥିଲା। ରିମା ଗୁରୁତର ହୋଇଯାଇଥିବା ବେଳେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଆରପାରିକୁ ଚାଲିଯାଇଥିଲେ।














