ଛନ୍ଦା ମିଶ୍ର

ଖୁବ୍ କ୍ୱଚିତ ବାପା’ମା’ ଅଛନ୍ତି, ଯେଉଁମାନଙ୍କ ବୃଦ୍ଧାବସ୍ଥାରେ, ନଇଁ ପଡିଥିବା ଅଣ୍ଟାକୁ ସାହାରା ଦେବା ପାଇଁ ପୁଅମାନେ ଦମ୍ଭ ଧରି ଛିଡ଼ା ହେଉଛନ୍ତି। ନହେଲେ, ପ୍ରାୟ ପ୍ରତ୍ୟେକଙ୍କ ଅବସ୍ଥା ଆମପରି। ସବୁ ଭାଗ୍ୟର ଦୋଷ।

ମହାପାତ୍ର ବାବୁ ଓ ସୁମିତ୍ରା ଦେବୀଙ୍କର ଚାରୋଟି ଯାକ ଝିଅ ଗୋଟିଏ ଗୋଟିଏ ହୀରା। ବଡ଼ ଦି’ଜଣ ଷ୍ଟେଟ ବ୍ୟାଙ୍କରେ କାମ କରୁଥିଲା ବେଳେ, ସାନ ମଝିଆଁଟି ଏକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଏବଂ ସବାସାନଟି ବାଙ୍ଗାଲୋରରେ ସଫ୍ଟୱେର ଇଂଜିନିଅର।

ଘରଠାରୁ ବାହାର ପର୍ଯ୍ୟନ୍ତ, ସବୁକାମରେ ନିପୁଣା, ଚାରୋଟି କନ୍ୟାରତ୍ନଙ୍କୁ ବେଶ୍ ଭଲ ଘରେ ବିବାହ ଦେଇ ମହାପାତ୍ର ଦମ୍ପତ୍ତି, ଅବସର ପରେ, ସରକାରୀ କ୍ୱାର୍ଟର ଛାଡି ପୂର୍ବରୁ କିଣିଥିବା ନିଜ ଫ୍ଲାଟକୁ ଆସିଗଲେଣି। ଉଭୟେ ଖୁବ୍ ମେଳାପି ସ୍ୱଭାବର ହୋଇଥିବାରୁ, ଆପାର୍ଟମେଣ୍ଟର ଅନ୍ତେବାସୀମାନେ ଊଣା ଅଧିକେ ତାଙ୍କୁ ଜାଣନ୍ତି। ଆପାର୍ଟମେଣ୍ଟରେ ହେଉଥିବା ଗଣେଶପୂଜା, ସରସ୍ୱତୀ ପୂଜା ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ଦୁହେଁ ବେଶ୍ ସକ୍ରିୟ ଯୋଗଦାନ ଦିଅନ୍ତି।

ହେଲେ, ଏଇ ଗଲାବର୍ଷଠାରୁ, ଦୁହେଁ ହଠାତ୍ ମାନସିକ ରୂପେ ଖୁବ୍ ଦୁର୍ବଳ ହୋଇପଡିଛନ୍ତି। ସୁମିତ୍ରା ଦେବୀ, କଥା କଥାକେ ଆଖିରୁ ଲୁହ ଝରାଇ ପକାନ୍ତି। ସେତେବେଳେ, ନିଜକୁ ଖୁବ୍ ଅସହାୟ ମଣନ୍ତି ମହାପାତ୍ର ବାବୁ। ମୃତ୍ୟୁ ତ କାହା ଡାକରାକୁ ଅପେକ୍ଷା କରେନି, ତେବେ ଜଣକ ପରେ ଆଉ ଜଣଙ୍କର ଅବସ୍ଥା କ’ଣ ହେବ।’ ଏହି କଥା ଭାବି ଉଭୟେ ଭୟଭୀତ ହୋଇପଡନ୍ତି।

ଝିଅମାନେ ବୁଝାନ୍ତି- ଆମେ ଅଛୁ, ଜୋଇଁମାନେ ସବୁ ଅଛନ୍ତି, ଏପରି ବ୍ୟସ୍ତ କାହିଁକି ହୋଇପଡୁଛ? ହେଲେ ଝିଅମାନେ ଯାହା ହେଲେ ବି ପରଗୋତ୍ରୀ, ଅନ୍ୟର ଅଧିନ। ନିଜ ସୁଖ ପାଇଁ ସେମାନଙ୍କୁ ହଇରାଣ କରିବା, ବା ତାଙ୍କ ରୋଜଗାରରେ ହାତ ମାରିବା କଥା ସୁଦ୍ଧା ଚିନ୍ତା କରନ୍ତି ନାହିଁ ମହାପାତ୍ର ଦମ୍ପତ୍ତି।

ଝିଅମାନେ ଛୁଟିରେ ଆସିଲେ, ଘରେ କିଛିଦିନ ଗହଳି ଲାଗିରହେ। ସେମାନେ, ମାଆ ବାପାଙ୍କୁ କୌଣସି କାମ କରିବାକୁ ଦିଅନ୍ତି ନାହିଁ। କିନ୍ତୁ, ସେମାନେ ଯେ, ଏ ଘରର ଅତିଥି, ତାଙ୍କୁ ପୁଣି ନିଜ ପରିବାର ଓ ଶାଶୁ-ଶଶୁରଙ୍କ କଥା ମଧ୍ୟ ବୁଝିବାକୁ ପଡ଼ିବ।

ଝିଅମାନେ ଗଲାପରେ ଘର ଖାଲି ହୋଇଯାଏ। ଘରର ଖାଁ ଖାଁ ବୃଦ୍ଧଦମ୍ପତ୍ତିଙ୍କୁ ମାରିଗୋଡ଼ାଏ। ତେବେ କରିବେ ବା’ କ’ଣ? ଭାଗ୍ୟକୁ ଆଦରି ପଡିରହନ୍ତି।

ପୁଅଟିଏ ଥିଲେ ବୋଧହୁଏ, ଏ ଅସହାୟତା ତାଙ୍କୁ ଘାରି ନଥାନ୍ତା। ରାତି ଅଧରେ ଔଷଧ ଟିକିଏ ପାଇଁ କାହାକୁ ଖୋସାମତ କରିବାକୁ ପଡୁନଥାନ୍ତା। ବୋହୂଟିଏ ଥିଲେ, ଏଇ ବୟସରେ ଆଣ୍ଠୁ ଧରିଧରି ସୁମିତ୍ରାଙ୍କୁ ଆଉ ରୋଷେଇ ଘରର ଦାୟିତ୍ୱ ନେବାକୁ ବାଧନ୍ତାନି।

ବୋହୂର ହାତପରଶା ଖାଇ ନାତି ନାତୁଣୀଙ୍କ ସହ ସମୟଟା ଖୁବ୍ ଆନନ୍ଦରେ କଟିଯାଆନ୍ତା, ଆଉ କିଛି ହେଉ ବା’ ନ ହେଉ, ପୁଅବୋହୂ ଥିଲେ, ତାଙ୍କ ପାଖରେ ଜୀବନର ଶେଷ ଅବସ୍ଥାଟିରେ ଆଉ ବେସାହାରା ହୋଇଯିବାର ଦୁଃଖ ଘାରୁନଥାନ୍ତା। ବୃଦ୍ଧାବସ୍ଥାରେ, ମାନସିକ ଓ ଶାରିରୀକ ଭାବେ ପୁଅଟି ଏକ ମଜବୁତ୍ କାନ୍ଥର ଭୂମିକା ତୁଲାଇଥାନ୍ତା ନିଶ୍ଚୟ। ଏହିଭଳି ଗୁଡ଼ାଏ କଥାରେ ଧନ୍ଦି ହୁଅନ୍ତି ମହାପାତ୍ର ଦମ୍ପତ୍ତି। କିନ୍ତୁ ସେଥିକୁ ଉପାୟ ବି ତ କିଛି ନାହିଁ।

ଦିନେ, ସଞ୍ଜବେଳେ, ମହାପାତ୍ରବାବୁ ସରକାରୀ କ୍ୱାର୍ଟରରେ ଥିଲାବେଳେ, ଏକଦା ତାଙ୍କ ପଡ଼ୋଶୀ ଥିବା ମହାନ୍ତିବାବୁ ସସ୍ତ୍ରୀକ ଆସି ପହଞ୍ଚିଲେ। ତାଙ୍କୁ ପାଖରେ ପାଇ ଖୁସିରେ କୁରୁଳି ଉଠିଲେ, ନିଃସଙ୍ଗତାରେ ଘାରି ହେଉଥିବା ମହାପାତ୍ର ଦମ୍ପତ୍ତି। ଅନେକ ଦିନ ପରେ ଦେଖା। ଅତୀତର ସ୍ମୃତି ରୋମନ୍ଥନ କରି, ପରିବେଶ ହୋଇଉଠିଥିଲା ବେଶ୍ ଉଲ୍ଲାସମୟ।

‘ଏବେ ସମୟ କିପରି କଟୁଛି?’ ମହାନ୍ତିବାବୁଙ୍କ ଏହି ପ୍ରଶ୍ନରେ ସୁମିତ୍ରାଦେବୀଙ୍କ ଆଖି ଛଳଛଳ ହୋଇଉଠିଲା। ଲୁଗାକାନିରେ ଆଖି ପୋଛି ପୁଅ ନଥିବାରୁ ଦୁଃଖଗୁଡ଼ିକ ବଖାଣିଗଲେ ମହାନ୍ତିବାବୁଙ୍କ ଆଗରେ। ହଠାତ୍ ଖୁସିର ପରିବେଶଟି ପରିବର୍ତ୍ତିତ ହେଲା ବିଷାଦରେ ।

ସବୁ ଶୁଣି ସାରି ମହାନ୍ତିବାବୁ କିଛି ସମୟ ଗୁମ୍ ମାରି ବସିଲାପରେ ପୁଣି ଗମ୍ଭୀର ହୋଇ କହିଲେ- ଭାଉଜ, ଆପଣମାନେ କେତେ ଭାଗ୍ୟବାନ୍ ତାହା କଳ୍ପନା ସୁଦ୍ଧା କରିପାରିବେ ନାହିଁ।

ଆପଣ ମାନେ ତ ଜାଣନ୍ତି, ଲୁଟୁ ଓ ଟୁଟୁ ମୋର ଦୁଇପୁଅ, ଲୁଟୁ ଭଲ ପାଠ ପଢ଼ିଲା ଭଲ ଚାକିରିଟିଏ ବି କଲା, ହେଲେ ବହୁତ ବାଛିବାଛି ଯେଉଁ ଝିଅଟିକୁ ଘରକୁ ବୋହୂ କରି ଆଣିଲୁ, ତା’ ମନ ରଖିବା ପାଇଁ, ତାକୁ ସାଲୱାର କାମିଜ୍ ପିନ୍ଧିବାକୁ ଅନୁମତି ଦେବାପରେ, ସେ ଘରେ ଜିନ୍ସ ଓ ଟି-ସାର୍ଟ ପିନ୍ଧି ବୁଲିଲା। ବୋହୂ, ହାତରନ୍ଧା ଖାଇବାର ସୌଭାଗ୍ୟ ତ ଆମକୁ ଜୁଟିଲା ନାହିଁ ଓଲଟି, ତା’ଅଫିସର ଟାଇମ୍ ଟେବୁଲ୍ ହିସାବରେ ଧାଇଁଧପଡ଼ି ରନ୍ଧାବଢ଼ା କରି ଶାଶୁଙ୍କ ଅଣ୍ଟାପିଠି ଦରଜ ହେଲା। ତେଣୁ, କିଛିଦିନ ପରେ ଶାଶୁ-ବୋହୂଙ୍କର ଖିଟିରି ଖିଟିରି ଆରମ୍ଭ ହୋଇଗଲା।

ଶାଶୁ ପଦେ କିଛି କହିଲେ, ବୋହୂ ଦଶପଦ ଶୁଣାଏ। ଘରେ ସବୁବେଳେ ଅଶାନ୍ତି ଲାଗି ରହିବାରୁ ବାଧ୍ୟ ହୋଇ ପୁଅବୋହୂଙ୍କୁ ଅଲଗା ଘରନେଇ ରୁହ ବୋଲି କହିଲି। ଏବେ, ଏଇ ଗୋଟିଏ ସହରରେ ଆମେ ବାପ-ପୁଅ ଦୁଇଟି ଅଲଗା ଘରେ ରହୁଛୁ।

ଏହା ତ ଗଲା ଲୁଟୁରୁ କଥା। ଟୁଟୁର କଥା ଶୁଣିଲେ, ଆପଣ ମୁଣ୍ଡରେ ହାତଦେବେ। ଛୋଟବେଳେ, ଟୁଟୁ ଏତେ ଶାନ୍ତଶିଷ୍ଟ ଥିଲା ଯେ, ସମସ୍ତେ କହନ୍ତି- ଟୁଟୁ ବୋଧହୁଏ ଝିଅ ହେଉହେଉ, ପୁଅ ହୋଇଗଲା। ହେଲେ, ସେତେବେଳର ଟୁଟୁ ଓ ବର୍ତ୍ତମାନର ଟୁଟୁ ମଧ୍ୟରେ ଆକାଶ ପାତାଳର ପ୍ରଭେଦ।

ଆଉ ଅଳ୍ପସମୟ ଆଗରୁ ମୋ ମିସେସକୁ ପଚାରୁଥିଲେ ନାଁ- ଅପା, ମୁଣ୍ଡରେ ଏ ଦାଗ କେମିତି ହେଲା ଓ ସେ ଉତ୍ତର ଦେଲା ମୁଣ୍ଡ ବୁଲେଇ ପଡିଗଲି। ହେଲେ ସତକଥା ହେଉଛି, ଟୁଟୁ ମଦପିଇ ତା’ମା’ଉପରକୁ ହାତ ଉଠାଇଛି। ଏ’ତା’ରି କାଣ୍ଡ ।

ଆମ ଘରେ, କେଉଁଭଳି ସୁନ୍ଦର ଓ ଶାନ୍ତ ପରିବେଶ  ଥିଲା ଆପଣଙ୍କର ତ ମନେ ଥିବ। ହେଲେ, ବର୍ତ୍ତମାନ କେବଳ ଅଶାନ୍ତି ଓ ଅଶାନ୍ତି। ନିତି ଘରେ ଟୁଟୁ ମଦପିଇ, ଫୋପଡ଼ା ଫିଙ୍ଗା, ବାଡିଆ ପିଟା କରୁଛି। ତାକୁ ତ’ଡ଼ରି ଆମେ କିଛି କହିପାରୁନୁ, ହେଲେ, ଆମ ଅଶାନ୍ତିକୁ, ଆମେ ସ୍ୱାମୀ-ସ୍ତ୍ରୀ ଦୁଇଜଣ, ପରସ୍ପର ଉପରେ ଦୋଷ ଲଦି, କଜିଆ କରି ସାରୁଛୁ ।

ଜାଣିଲେ ଭାଉଜ! ଆପଣଙ୍କ ଦୁଃଖ,ପୁଅ ଜନ୍ମ କରିପାରିନାହାନ୍ତି ବୋଲି ଆଉ, ଆମ ଦୁଃଖ, ଭଗବାନ ଆମକୁ ଝିଅଟିଏ ନ ଦେଇ ପୁଅ କାହିଁକି ଦେଇଛନ୍ତି ବୋଲି। ଖୁବ୍ କ୍ୱଚିତ ବାପା’ମା’ ଅଛନ୍ତି, ଯେଉଁମାନଙ୍କ ବୃଦ୍ଧାବସ୍ଥାରେ, ନଇଁ ପଡିଥିବା ଅଣ୍ଟାକୁ ସାହାରା ଦେବା ପାଇଁ ପୁଅମାନେ ଦମ୍ଭ ଧରି ଛିଡ଼ା ହେଉଛନ୍ତି। ନହେଲେ, ପ୍ରାୟ ପ୍ରତ୍ୟେକଙ୍କ ଅବସ୍ଥା ଆମପରି। ସବୁ ଭାଗ୍ୟର ଦୋଷ ।’ଏକଥା କହି ଦୀର୍ଘଶ୍ୱାସ ଛାଡିଲେ ମହାନ୍ତି ବାବୁ।

ସେମାନେ ଗଲାପରେ, ସୁମିତ୍ରା ଦେବୀ, ମହାପାତ୍ର ବାବୁଙ୍କୁ ଚାହିଁ କହିଲେ- ଭଗବାନଙ୍କର ଆମ ଉପରେ ଖୁବ୍ ଦୟା। ମୁଁ ମୋ ଝିଅ ମାନଙ୍କୁ ନେଇ ଗର୍ବବୋଧ ତ କରିପାରୁଛି।’ ମହାପାତ୍ର ବାବୁ, ହସିଦେଇ, ସୁମିତ୍ରାଙ୍କ ପିଠି ଥାପୁଡ଼ାଇ ଦେଲେ।

(ସୌଜନ୍ୟ – ଭିନ୍ନ ମଣିଷ)

Comment