ଛନ୍ଦା ମିଶ୍ର

ଆମେ ଅନ୍ୟକୁ ଯେପରି ବ୍ୟବହାର କରିବା ସେହିପରି ପାଇବା।

ଏ ରାଉତ, ପରିବା ଆଣିଲା ବେଳେ ବାଛି କରି ଆଣିବୁ। ଆରପାଳି ଯେଉଁ ପରିବା ସବୁ ଆଣିଥିଲୁ, ସେଗୁଡିକ ଫ୍ରେସ୍ ନ ଥିଲା।”ମିସେସ୍ ଦାସ୍ ଏହିପରି ଗୁଡିଏ କଥା ତାଗିଦ୍  କରି ତାଙ୍କ ଅର୍ଡରଲିକୁ କହୁଥାନ୍ତି।

ଲୋକଟି ବ୍ୟାଗ୍ ଧରି ଘରୁ ଗଲାବେଳକୁ ମିସେସ୍ ଦାସଙ୍କର ସାତବର୍ଷର ଟିକି ପୁଅଟି ଦୌଡି ଆସି “ରାଉତ, ମୋ ଲାଗି ପିଜୁଳି ଆଣିବ”ବୋଲି କହିଲା। ମୁଁ କୁନି ପୁଅଟିକୁ ପାଖକୁ ଡାକି କହିଲି, “ବାବା, ସେ, ରାଉତ ମଉସା ତୋ’ଠାରୁ ବୟସରେ ଢେର୍ ବଡ, ତେଣୁ ତାଙ୍କୁ ମଉସା କିମ୍ବା ରାଉତଭାଇ ଏହିପରି ଡାକିବୁ।”ପିଲାଟି ମତେ ଅବୁଝା ଆଖିରେ ବଲବଲ ହୋଇ ଚାହିଁଲା।

ମିସେସ୍ ଦାସ ମୋତେ କହିଲେ, “ଆପଣ  ଜାଣିନାହାନ୍ତି, ଏ ଲୋକଗୁଡାକୁ ଟିକିଏ ଭଲ ବ୍ୟବହାର ଦେଖାଇଲେ ମୁଣ୍ଡରେ ଚଢିବେ।

ସେହିପରି ଏହି ଅଳ୍ପ କିଛିଦିନ ତଳେ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଜଣେ ବିତ୍ତଶାଳୀ ମହିଳାକୁ ଅତୀତରେ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଆକ୍ରମଣ କରିଥିଲେ। ମହିଳା ଜଣକ ଅଳ୍ପକେ ବର୍ତ୍ତିଗଲେ। ବ୍ୟକ୍ତିଟି ଯଦିଓ ଅନେକ ମୂଲ୍ୟମାନ୍ ପଦାର୍ଥ ଘରୁ ନେଇଯାଇ ପାରିଥାନ୍ତା। ମାତ୍ର ସେ ଏପରି କରି ନଥିଲା। ମହିଳାଙ୍କ ପଡୋଶୀମାନଙ୍କ କହିବା କଥା ହେଉଛି ମହିଳା ଜଣକ ଅତ୍ୟନ୍ତ ବଦରାଗୀ ସ୍ୱଭାବର ଓ ନିଜର ଅଧସ୍ତନମାନଙ୍କୁ ସେ ଅତି କଦାର୍ଯ୍ୟ  ବ୍ୟବାହାର କରିଥାନ୍ତି ।.

ମୁଁ  ଅନେକ ସ୍ଥାନରେ ଦେଖିଛି ଲୋକମାନେ ନିଜର ଚାକର, ଚାକରାଣୀ ତଥା ତଳିୟା କର୍ମଚାରୀମାନଙ୍କୁ ନିହାତି ଖରାପ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ସେହିପରି ଛୋଟ ପିଲାମାନେ ମଧ୍ୟ୍ୟ ଘରେ କାମକରୁଥିବା ଲୋକମାନଙ୍କୁ ଉଚିତ୍ ମର୍ଯ୍ୟାଦା ପ୍ରଦର୍ଶନ କରି ନଥାନ୍ତି। ତଥା ସ୍କୁଲରେ ପିଅନ, ଚପରାସୀ ଓ ଆୟାମାନଙ୍କୁ ନାଁ ଧରି ସମ୍ବୋଧନ କରିଥାନ୍ତି।

ଏଠାରେ ଗୋଟିଏ କଥା ଲକ୍ଷ୍ୟ କରନ୍ତୁ, ପିଲାମାନେ ଏପରି କରିବାକୁ ସାହାସ କରିବେନି ଯଦି ସ୍କୁଲରେ ଶିକ୍ଷକମାନେ କିମ୍ବା ଘରେ ଆମେ ଅଭିବାବକମାନେ ସେମାନଙ୍କୁ ଏପରି କରିବାକୁ ବାରଣ କରିବା। ପିଲାମାନେ ବୁଝିବା ଦରକାର ଯେ, ପ୍ରଥମେ ସେ ବ୍ୟକ୍ତିଟି ଜଣେ ମଣିଷ ଓ ବୟସ ତଥା ଅଭିଜ୍ଞତା ଦୃଷ୍ଟିରୁ ଢେର୍ ବଡ। ବ୍ୟକ୍ତିଟି ଅନୁକୂଳ ପରିବେଶ ପାଇ ନ ଥିବାରୁ ନିଜକୁ ଡାକ୍ତର, ଇଞ୍ଜିନିୟର କିମ୍ବା ଆଇଏଏସ୍ ଅଫିସର କରିପାରି ନାହିଁ।

ଦେଖିବାକୁ ଗଲେ ସେ କୌଣସି ଗୁଣରେ ଆମଠାରୁ କମ୍ ନୁହେଁ। ପ୍ରତ୍ୟେକ  କାମର ମହତ୍ତ୍ୱ ନିଜ ସ୍ଥାନରେ ଅମୂଲ୍ୟ। ଜଣେ ଡାକ୍ତର ନିଜେ ଘର ତିଆରି କରିପାରିବ ନାହିଁ ବୋଲି ଇଞ୍ଜିନିୟର ପାଖକୁ ନକ୍ସା ଆଣିବାକୁ ଦୌଡେ ଓ ଇଞ୍ଜିନିୟର ନିଜେ କରିପାରିବ ନାହିଁ ବୋଲି କୁଲି ଓ ମିସ୍ତ୍ରିମାନଙ୍କୁ ଧରି ଘର ତୋଳାଇଥାଏ। ସେମାନେ ନିଜେ ଝାଟିମାଟି ଘରେ ରହି ଆମ ପାଇଁ ସୁରମ୍ୟ ଅଟ୍ଟାଳିକାମାନ ଗଢିଥାନ୍ତି।

ଘର କାମରେ ସାହାଯ୍ୟ କରିବା ପାଇଁ ଆମେ ଚାକର ଚାକରାଣୀ ରଖୁ। ଚିନ୍ତାକରନ୍ତୁ ତ ସେ ଗୋଟିଏଦି ନ କାମ ବନ୍ଦ କରିଦେଲେ ଘରର ଅବସ୍ଥା ତଥା ଆମର ଅବସ୍ଥା କିପରି ହୁଏ। ତେଣୁ ତା’ର ସେହି ଗୋଟିଏ ଘଣ୍ଟାର ଉପସ୍ଥିତି ଆମ ପାଇଁ କେତେ ମୂଲ୍ୟବାନ୍। ମାତ୍ର ତାକୁ ଭଲ ବ୍ୟବହାର ନକରିବା ଖାଇ  ହେଉ ନଥିବା ଖାଦ୍ୟ କିମ୍ବା ବ୍ୟବାହାର କରି ହେଉନଥିବା ଭଳି ଜିନିଷ ଦେବା କେତେଦୂର ସମୀଚୀନ। ତା’ର ଦୁର୍ଭାଗ୍ୟ ସେ ଆମ ଘରେ କାମ କରୁଛି ଓ ଆମର ସୌଭାଗ୍ୟ ଯେ ଆମେ ଯାଇ ତା’ ଘରେ କାମ କରୁନାହୁଁ।

ଆମର ପ୍ରଥମ ଭୁଲ୍ ହେଉଛି କାର୍ଯ୍ୟକୁ ନେଇ ବ୍ୟକ୍ତିର ମୂଲ୍ୟାଙ୍କନ କରିବା। ମୋଚି ତା’ କାମରେ ଧୁରନ୍ଧର, ବାରିକର କର୍ମକୁଶଳତା ଆମକୁ ସୁନ୍ଦର ବା ଅସୁନ୍ଦର କରିବାରେ କେତେବଡ ଭୂମିକା ନ ତୁଲାଏ ସତେ! ତେବେ ତାକୁ ଘୃଣା କାହିଁକି? ସେ ଯେଉଁ କାମ ମଧ୍ୟ୍ୟ କରୁ ଚୋରି, ବଳାତ୍କାର ବା ଡକାୟତି ଭଳି ଘୃଣ୍ୟ କାର୍ଯ୍ୟ ତ କରୁନାହିଁ।

ଆମେ ଘରେ କୁକୁର, ବିଲେଇ ଓ ଶୁଆ ଆଦି ରଖି କେତେ ଆଦର କରୁଛେ। ମାତ୍ର ଆମ ପରି ମଣିଷଟିଏ  ଆଜି ପରିସ୍ଥିତିବଶତଃ ଆମ ପାଖରେ ପଡିରହିଥିବାରୁ ତାକୁ ଏପରି ବ୍ୟବହାର ଏକ କୁକର୍ମ ରୂପେ ଗଣାଯିବ ନାହିଁ କି? ଆମଠାରୁ କେବଳ  ଟିକିଏ ଭଲ ବ୍ୟବହାର ପାଇବାକୁ କ’ଣ ତା’ର ଯୋଗ୍ୟତା ନାହିଁ ?

ପ୍ରାୟ ଦେଖାଯାଏ, ଧନ ତଥା କ୍ଷମତାପ୍ରାପ୍ତ ହେଲା ପରେ ଆମେ ଆମ ତଳସ୍ତରର କର୍ମଚାରୀମାନଙ୍କୁ ନିଜଠାରୁ ନୀଚ ମନେକରୁ। ସେମାନଙ୍କୁ ଅଧିକ ସମୟ ଖଟାଇବା, ସେମାନଙ୍କର ସୁବିଧା ଅସୁବିଧା ହୃଦୟଙ୍ଗମ ନ କରିବା, ଆମ ଅଯୌକ୍ତିକ କଥାକୁ ମାନିନେବା ପାଇଁ ବାଧ୍ୟ କରିବା ସହ ସେମାନଙ୍କୁ କଦର୍ଯ୍ୟ ବ୍ୟବହାର କରିଥାଉ।। କେତେକ ବାଧ୍ୟହୋଇ ଆମ ଅତ୍ୟାଚାରକୁ ସହିନିଅନ୍ତି। କେତେକ କାର୍ଯ୍ୟ ଛାଡିଚାଲିଯାଅନ୍ତି ଏବଂ ଆଉ କେତେକେ ପ୍ରତିହିଂସା ପରାୟଣ  ହୋଇଉଠନ୍ତି, ଯାହାର ପରିଣାମ ଆମକୁ ଭୋଗିବାକୁ ପଡିଥାଏ।

ଏଭଳି ମଧ୍ୟ ଦେଖାଯାଏ ଯେ ଅନେକ କ୍ଷେତ୍ରରେ ଏହି କର୍ମଚାରୀମାନେ ମଧ୍ୟ ବିଭିନ୍ନ ପ୍ରକାରର ବଦମାସୀ କରିଥାନ୍ତି – ଯଥା ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବା, ଚୋରି କରିବା ଓ ଘର କଥା ସବୁ ବାହାରେ ସତମିଛ କରି ଗପିଥାନ୍ତି। ଏଭଳି  ଲୋକମାନଙ୍କ ସହିତ ଅତ୍ୟନ୍ତ କୌଶଳପୂର୍ଣ୍ଣ ବ୍ୟବହାର ହିଁ କାମ ଦେଇଥାଏ। ମାତ୍ର ଆମେ ଯଦି ଯେସାକୁ ତେସା ନୀତିରେ ବ୍ୟକ୍ତିଟିର ଅଭଦ୍ର ବ୍ୟବହାରର ପ୍ରତିବାଦ ଅଭଦ୍ରୋଚିତ ଆଚରଣରେ  ଫେରାଇବା ତେବେ ତା’ର ଓ ଆମ  ମଧ୍ୟରେ କ’ଣ ପ୍ରଭେଦ ରହିଲା।

ମନୁଷ୍ୟର ବ୍ୟବହାର, କଥାବାର୍ତ୍ତା ଓ ଚାଲିଚଳନରୁ ତା’ର ଶିକ୍ଷା, ସଂସ୍କାର ତଥା ବଂଶ ମର୍ଯ୍ୟାଦାର ପରିଚୟ ମିଳେ। ବ୍ୟକ୍ତିଟି ଆମଠାରୁ ଦରମା ପାଉଛି ଓ ଆମ ଅଧୀନରେ  ଅଛି ତେଣୁ ଆମେ ତାକୁ ଯଥେଚ୍ଛା ବ୍ୟବହାର କରିବା କେତେଦୂର ଯଥାର୍ଥ?

ସମାଜରେ ଏପରି ଉଦାହରଣ ବିରଳ ନୁହେଁ ଯେଉଁଠି ପ୍ରଭୁ ପାଇଁ ଭୃତ୍ୟ ପ୍ରାଣବଳି ଦେବାକୁ କୁଣ୍ଠାବୋଧ କରିନାହିଁ ଓ ଏପରି ମଧ୍ୟ ଅନେକ କ୍ଷେତ୍ରରେ ହୋଇଛି ଯେଉଁଠି ଭୃତ୍ୟ, ପ୍ରଭୁର ପ୍ରାଣ ନେବାକୁ ପଛାଇ ନାହିଁ। ଆମର କେଉଁଟି ପସନ୍ଦ ତାହା ଆମ ଇଚ୍ଛା ଉପରେ ନିର୍ଭର କରେ। ଆମେ ଅନ୍ୟକୁ ଯେପରି ବ୍ୟବହାର କରିବା ସେହିପରି ପାଇବା।

(ସୌଜନ୍ୟ – ଭିନ୍ନ ମଣିଷ)

Comment