ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଡ଼ୁଆରେ ପଣ୍ଡା ଇନଫ୍ରା କମ୍ପାନି। ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ପୋଲିସ ୧୦ ଜଣଙ୍କ ନାଁରେ ଏତଲା ଦେଇଥିବା ବେଳେ ଜଟଣୀ ପ୍ରକଳ୍ପକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି।

ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ଲାଗିଛି ଡବଲ ଝଟକା। ମଙ୍ଗଳବାର ଦିନ ଏହି ଠିକା ସଂସ୍ଥା ବିରୋଧରେ ଦୁଇ ଦୁଇଟି ଅଭିଯୋଗ ସାମ୍ନାକୁ ଆସିଛି। ବମିଖାଲ ଓଭରବ୍ରିଜ ରେଲିଂ ଭାଙ୍ଗି ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ କମିଶନରେଟ୍ ପୋଲିସ ପଣ୍ଡା ଇନଫ୍ରାର ୧୦ ଜଣଙ୍କ ନାମରେ ଏତଲା ଦେଇଛି। ସେହିପରି ଜଟଣି ପ୍ରକଳ୍ପକୁ ନେଇ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି।

କମିଶନରେଟ୍ ପୋଲିସ ପକ୍ଷରୁ ପଣ୍ଡା ଇନଫ୍ରାର ୧୦ ଜଣଙ୍କ ନାଁରେ ପୋଲିସ ଏତଲା ଦେଇଛି। ସେମାନେ ହେଲେ ପଣ୍ଡା ଇନଫ୍ରା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡା, ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା ଏବଂ ସୁଜାତା ପଣ୍ଡା। ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ, ସହନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ସାହୁଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି।

ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁ, ବିରଞ୍ଚି ନାରାୟଣ ସାହୁ ଏବଂ ବିପୁଲ ଚକ୍ରବର୍ତ୍ତୀଙ୍କ ନାଁ ଏତଲାରେ ରହିଛି। ଅତିରିକ୍ତ କମିଶନର ସଞ୍ଜୟ ସିଂହଙ୍କ ତତ୍ତ୍ବାବାଧାନରେ ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣା ତଦନ୍ତ ଆରମ୍ଭ ହୋଇଛି।

ଜଟଣୀରେ ନିର୍ମାଣାଧୀନ ଓଭରବ୍ରିଜ ନିର୍ମାଣରେ ପଣ୍ଡା ଇନଫ୍ରା କମ୍ପାନି ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି। ଜଟଣୀ ବ୍ୟବସାୟୀ ମହାସଂଘ ଏନେଇ ପ୍ରତିବାଦ କରିଛି। ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଅଧିକାରୀ ତତ୍ପର ହୋଇ ଉଠିଛନ୍ତି।

ଭିଜିଲାନ୍ସ ଅଧିକାରୀ ଆଜି ବ୍ୟବସାୟୀ ମହାସଂଘକୁ ଡାକି ଆଲୋଚନା କରିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପର ସିସିଟିଭି ଫୁଟେଜ ନେଇଛନ୍ତି ଭିଜିଲାନ୍ସ ଅଧିକାରୀ। ସିସିଟିଭି ହାର୍ଡଡିସ୍କ ଯାଞ୍ଚ ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି।

ମେ ୩ ତାରିଖରେ ବମିଖାଲ ଓଭରବ୍ରିଜ ରେଲିଂ ଭାଙ୍ଗିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୧୭ ସେପ୍ଟେମ୍ବର ୧୦ରେ ଓଭରବ୍ରିଜ ଭୁଶୁଡ଼ି ପଡ଼ିବାରୁ ଜଣେ ବାଇକ୍ ଆରୋହୀଙ୍କର ପ୍ରାଣ ଯାଇଥିଲା। ବମିଖାଲ ଓଭରବ୍ରିଜ ଦୁଇ ଦୁଇଟି ଜୀବନ ନେଇଥିବାରୁ ଏହାର ଲାଇସେନ୍ସ ବାତିଲ କରିବାକୁ ଦାବି କରାଯାଉଛି।

Comment