ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଭେନ୍ସାରେ ବିଭିନ୍ନ ଦାବି ନେଇ ଛାତ୍ର ଅଶାନ୍ତି ଦେଖାଦେବା ପରେ ବିଶ୍ୱବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ମଙ୍ଗଳବାର ରାତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ଏହାସହ ବୁଧବାର ଦିନ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହଷ୍ଟେଲ ଖାଲି ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତବାନୀ ଦେଇଛନ୍ତି କର୍ତ୍ତୃପକ୍ଷ।

ବିଭିନ୍ନ ଦାବି ନେଇ ମଙ୍ଗଳବାର ରେଭେନ୍ସାରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ଫି’ ବୃଦ୍ଧି ପ୍ରତ୍ୟାହାର ଏବଂ ହଷ୍ଟେଲ ଛାଡ଼ିବା ନିର୍ଦ୍ଦେଶର ପ୍ରତିବାଦ କରୁଥିଲେ ଛାତ୍ରଛାତ୍ରୀ। ହାତରେ ପ୍ଲାକାର୍ଡ ଧରି ଭିସି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ। ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ। ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ  ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା।

ହଷ୍ଟେଲଗୁଡ଼ିକର ନବୀକରଣ କରିବା ପାଇଁ ମେ ୨୮ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ହେଲେ ଛାତ୍ରଛାତ୍ରୀମାନେ କେଉଁଠି ରହିବେ ପ୍ରଶ୍ନ କରିଥିଲା କ୍ରିୟାନୁଷ୍ଠାନ କମିଟି। ପିଲାମାନଙ୍କ ଉପରେ ଅଯଥା ଆର୍ଥିକ ବୋଝ ଲଦି ଦିଆ ନଯାଉ ବୋଲି କମିଟି ଦାବି କରିଥିଲା। ହେଲେ ଏହି ଦାବିକୁ ଗ୍ରହଣ କରି ନଥିଲେ ରେଭେନ୍ସା କର୍ତ୍ତୃପକ୍ଷ। ଫଳରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା।

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୁଝାଇଥିଲେ ମଧ୍ୟ ଆନ୍ଦୋଳନ ଥମି ନଥିଲା। ଶେଷରେ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ।

Comment