ରୁଦ୍ର ପ୍ରସନ୍ନ ରଥ

ବିଜ୍ଞାପନରେ ଭାଷାଗତ ଅଶୁଦ୍ଧିକୁ ରୋକିବା ପାଇଁ ସେମିତି କିଛି କଡା ଆଇନ୍ ନାହିଁ କିମ୍ବା ସରକାର କେବେ ବି କୌଣସି କଠୋର ପଦକ୍ଷେପ ନେଇ ନାହାନ୍ତି। ତେଣୁ ଓଡ଼ିଆ ଭାଷାକୁ ନେଇ ବଢିଚାଲିଥିବା ଏହି ଅଶୁଦ୍ଧିର କାୟାକୁ ରୋକିବାକୁ କେହି ନାହିଁ!

ଅନ୍ୟଦିନେ ଅଳ୍ପବହୁତେ ବ୍ୟବସାୟ କରୁଥିବା ଓଡ଼ିଶାର ବ୍ୟବସାୟୀମାନେ ସାଧାରଣତଃ ପର୍ବପର୍ବାଣୀକୁ ଅପେକ୍ଷା କରିଥାନ୍ତି। ସାଧାରଣତଃ ତିନୋଟି ବଡ ପର୍ବ ସମୟରେ ଦୋକାନ ମାନଙ୍କରେ ବିକ୍ରିବଟା ଭଲ ଭାବେ ହୋଇଥାଏ। ରଜ, ଦୁର୍ଗାପୂଜା ଏବଂ ଦୀପାବଳୀ ପରି ପୂଜାକୁ ଦୋକାନୀମାନେ ଚାତକ ପରି ଚାହିଁ ବସିଥାନ୍ତି। ନିଜର ବ୍ୟବସାୟକୁ ବଢାଇବା ପାଇଁ ଏହି ପାର୍ବଣ ସମୟରେ ଦୋକାନୀମାନେ ବିଜ୍ଞାପନ ଏଜେନ୍ସୀମାନଙ୍କର ସହାୟତା ନେଇ ବିଜ୍ଞାପନ ପ୍ରସ୍ତୁତ କରି ଗରାଖମାନଙ୍କୁ ଆକର୍ଷିତ କରିବାରେ ଲାଗିଥାନ୍ତି।

ରଂଗ ବେରଂଗର ସୁଦୃଶ୍ୟ ବିଜ୍ଞାପନ ସବୁ ଲୋକଙ୍କର ମନ ମୋହିଥାଏ। କେଉଁଠାରେ ଗୋଟିଏ କିଣିଲେ ଆଉ ଗୋଟିଏ ମାଗଣା ପାଇବାର ଲୋଭନୀୟ ପ୍ରତିଶ୍ରୁତି ତ ଆଉ କେଉଁଥିରେ ଆକର୍ଷକ ରିହାତି। ଏ ସବୁ ବିଜ୍ଞାପନକୁ ଦେଖି ଗରାଖ ବି ବେଳେ ଦ୍ୱନ୍ଦରେ ପଡିଯାଏ। କେଉଁଟା ଭଲ ଆଉ କେଉଁଟା ଅସଲି। କେଉଁଟା ଆବଶ୍ୟକ, ଆଉ କେଉଁଟା ପକେଟକୁ ସୁହାଇଲା ପରି। ସେହି ପାର୍ବଣ ସମୟରେ ଏ ସବୁ ବିଜ୍ଞାପନ ଖବରକାଗଜ, ରେଡିଓ, ଟିଭିରେ ଅନବରତ ବାଜିଥାଏ।

ଏସବୁ ବିଜ୍ଞାପନର ଭିଡରେ ଲୋକଟିଏ ଆକ୍ତାମାକ୍ତା ହେଉଥିଲା ବେଳେ ଅନେକ ସମୟରେ ବିଜ୍ଞାପନରେ ସ୍ଥାନ ପାଉଥିବା ଭାଷାଗତ ଅଶୁଦ୍ଧି ସାଧୁଜନ ଏବଂ ବିଜ୍ଞଜନମାନଙ୍କୁ ଏବେ ହରଡ ଘଣାରେ ପକାଇଲା ପରି ହେଉଛି। କେତେବେଳେ ପୂଜାର ବନାନ ଅଶୁଦ୍ଧି ହୋଇ ଇଂରାଜୀରେ ପୂଜୋ ପରି ଲେଖାଯାଉଛି ତ ଆଉ କେତେବେଳେ ରଜକୁ (Raja) ଅପଭ୍ରଂଶ କରି ରାଜୋ (Rajo) ଲେଖାଯାଉଛି। କେତେବେଳେ କେମିତି ପୁଣି ହଲନ୍ତ, ବିସର୍ଗ କିମ୍ବା ଚନ୍ଦ୍ରବିନ୍ଦୁର ଭୁଲ ପ୍ରୟୋଗ ଦେଖିବାକୁ ମିଳୁଛି। ଏହାକୁ ନେଇ ଅନେକ ସମୟରେ ଓଡ଼ିଶାରେ ପ୍ରତିବାଦର ସ୍ୱର ମଧ୍ୟ ଉଠୁଛି।

ଅନେକଙ୍କ ମତରେ ଭାଷାଗତ ଅଶୁଦ୍ଧି ଥାଇ ଆସୁଥିବା ବିଜ୍ଞାପନ ପଛରେ ଅନେକ କାରଣ ରହିଛି। ଅନେକ ବିଜ୍ଞାପନ ଓଡ଼ିଶା ବାହାରେ ଅଣଓଡ଼ିଆ ସଂସ୍ଥା ଦ୍ୱାରା ତିଆରି ହେଉଥିବାରୁ ଏପରି ବନାନଗତ ଅଶୁଦ୍ଧି ରହେ। ଆହୁରି ଅନେକଙ୍କ ମତରେ ଜାତୀୟ ସ୍ତରର ବିଜ୍ଞାପନ ପ୍ରସ୍ତୁତକାରୀମାନେ ଓଡ଼ିଆ ଏବଂ ପ୍ରାୟ ଏକାପରି ଉଚ୍ଚାରଣ ହେଉଥିବା ବେଙ୍ଗଲୀ ଶବ୍ଦ ମଧ୍ୟରେ ପାର୍ଥକ୍ୟ ସହଜରେ ବାରିପାରନ୍ତି ନାହିଁ। ଏଣୁ ଓଡ଼ିଆ ବିଜ୍ଞାପନରେ ଏପରି ତ୍ରୁଟି ରହିବା ବେଶ୍ ସାଧାରଣ କଥା। ମାତ୍ର ଏସବୁ କାରଣ କିମ୍ବା ଯୁକ୍ତି ତଥାପି ଓଡ଼ିଆ ବିଜ୍ଞାପନରେ ଭାଷା, ଉଚ୍ଚାରଣ କିମ୍ବା ବନାନ୍ ଗତ ଅଶୁଦ୍ଧିକୁ ଧରିବା ସଠିକ୍ କିମ୍ବା ଉଚ୍ଚାରଣଗତ ତ୍ରୁଟିକୁ ଧରି ଉପଯୁକ୍ତ ବୋଲି ବିବେଚିତ କରାଇବାକୁ ଯଥେଷ୍ଟ ନୁହେଁ।

ବୈଷୟିକ ଜ୍ଞାନକୌଶଳ ଯଥେଷ୍ଟ ବିକଶିତ ହୋଇଥିବା ବେଳେ ଆଜିକାଲି ବିଜ୍ଞାପନ ପ୍ରସ୍ତୁତ କରିବା କିମ୍ବା ଛାପିବାକୁ ବେଶୀ ସମୟ ଲାଗୁନାହିଁ। ଜଣେ ଚାହିଁଲେ ସହଜରେ ଏହାକୁ ରୋକି ପାରିବ। କେବଳ ମାନସିକତା ଲୋଡା।  ମାତ୍ର କେବଳ ହେୟଜ୍ଞାନ କରି ଓଡ଼ିଆଭାଷାକୁ ଅବମାନନା କରାଯିବା ସହ ନିୟମିତଭାବେ ଭାବାବେଗକୁ ଆଘାତ କରାଯାଉଛି। ଏହାକୁ ରୋକିବାକୁ କିମ୍ବା ଦେଖିବାକୁ କେହି ନାହିଁ। ବ୍ୟବସାୟୀମାନେ ଓଡ଼ିଶାରେ ବ୍ୟବସାୟ କରି ମୋଟା ଅଙ୍କର ମୁନାଫା କମାଉଥିବା ବେଳେ ଓଡ଼ିଆଭାଷାର ବିଜ୍ଞାପନରେ ହିଁ ଅପମୃତ୍ୟୁ ଘଟୁଛି।

ଏସବୁ ଭାଷା ପ୍ରଦୂଷଣ ଖବରକାଗଜ କିମ୍ବା ଟେଲିଭିଜନରେ ନିୟମିତ ହେଉଥିବା ବେଳେ ଟିଭି କିମ୍ବା ଖବରକାଗଜର ମାଲିକମାନେ ଏ ନେଇ ପାଟି ଫିଟାଇବାକୁ ପ୍ରାୟ ରାଜି ନୁହନ୍ତି। ଏହାର ମୁଖ୍ୟ କାରଣ ହେଉଛି ଯେ ଆମ ଓଡ଼ିଶା ଗଣମାଧ୍ୟମ ସିଧାସଳଖ ଏହି ସବୁ ବଡ ବଡ କର୍ପୋରେଟ ସଂସ୍ଥାରୁ ମିଳୁଥିବା ବିଜ୍ଞାପନ ଉପରେ ସିଧା ସଳଖ ନିର୍ଭରଶୀଳ ଏବଂ କର୍ପୋରେଟ ସଂସ୍ଥା ସହ ବିଜ୍ଞାପନକୁ ନେଇ ବିବାଦ କଲେ ଦାନାପାଣି ହରାଇବା ସହ ତଳିତଳାନ୍ତ ହୋଇଯିବାର ଆଶଙ୍କା ଅଛି।

ଏପରି ଉଦାହରଣ ମଧ୍ୟ ପୂର୍ବରୁ ଅନେକ ଅଛି ଯେଉଁଠି କର୍ପୋରେଟ ସଂସ୍ଥାମାନେ ବିଜ୍ଞାପନକୁ ମାଧ୍ୟମ କରି ଗଣମାଧ୍ୟମକୁ ଉଠବସ୍ କରିବାର ଦୁଃସାହାସ ଦେଖାଇପାରିଛନ୍ତି। ଆଉ ଯେହେତୁ ବିଜ୍ଞାପନରେ ଭାଷାଗତ ଅଶୁଦ୍ଧିକୁ ରୋକିବା ପାଇଁ ସରକାରୀ ସ୍ତରରେ ସେମିତି କିଛି କଡା ଆଇନ୍ ନାହିଁ କିମ୍ବା ସରକାର କେବେ ବି କୌଣସି କଠୋର ପଦକ୍ଷେପ ଅତୀତରେ ନେଇ ନାହାନ୍ତି ତେଣୁ ଏହି ଅଶୁଦ୍ଧିର ବଢିଚାଲିଥିବା କାୟାକୁ ରୋକିବାକୁ କେହି ନାହିଁ।

ଭାଷା ପ୍ରଦୂଷଣର ଏ ଯେଉଁ ଧାରା ବେଶ୍ କିଛି ବର୍ଷ ହେଲା ଆରମ୍ଭ ହୋଇଛି ତାହାର ସ୍ୱରୂପ ଏବଂ ଆକାର ବଢି ଚାଲିଛି ସିନା କମିବାର ନାମ ଧରୁନାହିଁ। ସତେ ଯେମିତି ଓଡ଼ିଆମାନଙ୍କର ଏବଂ ଓଡ଼ିଶାର ପ୍ରତିବାଦର ସ୍ୱର ଏ ନେଇ ଯଥେଷ୍ଟ କିମ୍ବା ତୀବ୍ର ନୁହେଁ। ହୁଏତ “ମୋର କ’ଣ ଗଲା’’ରୋଗ ଦ୍ୱାରା ଆମେ ସମସ୍ତେ ଅଳ୍ପବହୁତେ ପୀଡିତ। ପ୍ରତିବାଦ କରିବାର ମାନସିକତା କେବେଠୁ କେବଳ ନିଜେ ବଂଚିବା ଏବଂ ନିଜେ ବଢିବାର ଆସ୍ପର୍ଦ୍ଧା ଆଗରେ ହାର ମାନି ସାରିଛି।  ତେବେ ଯେଉଁଠି ସମ୍ବାଦପତ୍ର କିମ୍ବା ସରକାର ଏ ସମସ୍ୟାକୁ ଗୁରୁତର ଭାବେ ବିଚାର କରୁନାହାନ୍ତି କିମ୍ବା ପ୍ରତିକାର କରିବାକୁ ସାହାସ ଦେଖାଇପାରୁ ନାହାନ୍ତି ସେଠି ଏ ସମସ୍ୟାର ସମାଧାନ ପାଇଁ କେବଳ ପାଠକ କିମ୍ବା ଗରାଖଙ୍କୁ କିଛି ନା କିଛି କରିବାକୁ ପଡିବ।

ସରକାରୀ ସ୍ତରରେ ଓଡ଼ିଆଭାଷାର ବ୍ୟବହାର ଧାର୍ଯ୍ୟ କରିବା ପାଇଁ ଭାଷା ଆଇନ୍ ଆସିଛି ଏବଂ ଏଥିରେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯାଇଛି। ଏହା ଭଲ କଥା ହୋଇଥିଲେ ବି ମାତୃଭାଷାରେ ଭୁଲ୍ ଲେଖିବାକୁ ରୋକିବା ଦିଗରେ ବିଶେଷ ଭାବେ ସଫଳ ହେବ ବୋଲି ଜଣା ପଡୁନାହିଁ। ଆମ ଭିତରୁ ଅନେକ ଦେଖି ଦେଖି ଶିଖୁଥିବା ବେଳେ ଆମ ଆଖିରେ ପଡୁଥିବା ବିଜ୍ଞାପନ ଏବଂ ଏଥିରେ ଦେଖାଯାଉଥିବା ବନାନ୍ ଗତ ଅଶୁଦ୍ଧି ଆମ ଅଲକ୍ଷ୍ୟରେ ଆମ ଉତ୍ତରପିଢିର ଭାଷାଜ୍ଞାନର ମୂଳଦୁଆ ପକାଇ ଚାଲିଛି। ଆମ ଅଜାଣତରେ ଆମ ପିଲାମାନେ ‘ପୂଜା’ କୁ ‘ପୂଜୋ’, ‘ରଜ’କୁ ‘ରଜୋ’ ଆଦି ପଢି ଚାଲିଛନ୍ତି।

ଏମିତି କିଛି ବର୍ଷ ଚାଲିଲେ ଆମ ପରବର୍ତ୍ତି ପୀଢିକୁ ରଜ କିମ୍ବା ପୂଜା ଶବ୍ଦ ଭୁଲ୍ ବୋଲି ପ୍ରତୀୟମାନ ହେବା ସ୍ୱଭାବିକ୍। ସେମାନେ ‘ରଜୋ’କୁ ‘ରଜ’ ବୋଲି ଭାବିବେ ସତ ମାତ୍ର ‘ରଜ’ ଶବ୍ଦ ପାଇଁ ଶବ୍ଦକୋଷ କିମ୍ବା ଅଭିଧାନ ଖୋଜିବାକୁ ବାଧ୍ୟ ହେବେ। ହୁଏତ ଆମ ଅପାରଗପଣିଆ ଜାଣିପାରିବେ ନାହିଁ ମାତ୍ର ଆମେ ସେତେବେଳେ ପରିଣତ ବୟସରେ ସତରେ କ’ଣ ‘ରଜ’କୁ ‘ରଜୋ’ ବୋଲି ଗ୍ରହଣ କରିପାରିବା। ଆମ ଅନ୍ତରାତ୍ମା କ’ଣ ଆମକୁ ଦୋଷୀ ବୋଲି ବିଚାର ନକରି ଛାଡିଦେବ। ସରକାର, ଖବରକାଗଜ ମାଲିକ କିମ୍ବା ବିଜ୍ଞାପନ ଏଜେନ୍ସି ଉପରେ ଦୋଷ ଦେଇ ଆମେ କ’ଣ ଖସିଯାଇପାରିଛେ ବୋଲି ସେତେବେଳେ ବି ନିଜକୁ ଆଶ୍ୱସ୍ତ କରିପାରିବା?

ଭାଷାଗତ ଅଶୁଦ୍ଧି ଥାଇ ବିଜ୍ଞାପନ ସମୁହକୁ ସ୍ଥାୟୀ କିମ୍ବା ଅସ୍ଥାୟୀ ରୁପେ ବର୍ଜନ କରିବା, ଏପରି ତ୍ରୁଟିପୂର୍ଣ୍ଣ ବିଜ୍ଞାପନକୁ ବନ୍ଦ କରିବା ପାଇଁ ବିଜ୍ଞାପନ ଏଜେନ୍ସି ଏବଂ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ବୁଝାଇବା ସହ ଏ ଦିଗରେ ଆମେ ନିରନ୍ତର କାର୍ଯ୍ୟକ୍ରମ ଜାରୀ ରଖିଲେ ବିଳମ୍ବରେ କିମ୍ବା ଧିରେ ହେଲେ ବି ଏ ନେଇ ପରିବର୍ତ୍ତନ ଆସିବ। ଆବଶ୍ୟକ ପଡିଲେ ଏ ନେଇ ସରକାର ନିୟମ ମଧ୍ୟ ପ୍ରଣୟନ କରିବା ଦରକାର।

1 COMMENT

  1. Well said Mr. Rudra Rath. This is the high time that we tell those people either to learn Odia or at least learn to respect Odia language in all spheres including their businesses.

Comment