ଓଡ଼ିଶାଲାଇଭ୍ ବ୍ୟୁରୋ

କୁଲି କାମ କରି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି କେରଳର ଶ୍ରୀନାଥ।
ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିହୁଏ। ଏକଥାକୁ ବାସ୍ତବରେ ପରିଣତ କରିଛନ୍ତି କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଜଣେ କୁଲି।
ରେଳ ଷ୍ଟେସନ୍ରେ କୁଲି ଭାବେ କାମ କରୁଥିବା ଶ୍ରୀନାଥ ମାଗଣା ୱାଇ-ଫାଇ ବ୍ୟବହାର କରି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି।
ଦିନସାରା କାମ କରିବା ସହ ପାଠ ମଧ୍ୟ ପଢ଼ୁଥିଲେ ଶ୍ରୀନାଥ। ଷ୍ଟେସନରେ ମାଗଣା ୱାଇ-ଫାଇ ଥିବାରୁ କାମରୁ ଟିକେ ଫୁରସତ୍ ମିଳିଲେ ନିଜ ସ୍ମାର୍ଟଫୋନ୍ରେ ବିଭିନ୍ନ ବିଷୟ ସର୍ଚ୍ଚ କରି ପଢ଼ୁଥିଲେ। କାମ ସହ ବହି ଧରି ପଢ଼ିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। କାମ କରୁଥିଲାବେଳେ କାନରେ ଇୟର୍ଫୋନ୍ ଲଗାଇ ପାଠ ଶୁଣୁଥିଲେ।
ଗତ ପାଞ୍ଚବର୍ଷ ହେବ ସେ ସିଭିଲ ସର୍ଭିସ ପାଇଁ ଏମିତି ପ୍ରସ୍ତୁତ ହେଉଥିଲେ। ପରିବାରର ଆର୍ଥିକ ଅନାଟନ ଭିତରେ ବଢ଼ିଥିବା ଶ୍ରୀନାଥ ଛୋଟ ବେଳୁ ଜଣେ ଉତ୍ତମ ଛାତ୍ର ଥିଲେ। କିନ୍ତୁ ଅର୍ଥ ଅଭାବରୁ ସେ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିଲେ ନାହିଁ। ଗ୍ରାଜୁଏସନ୍ ଶେଷ କରିବା ପରେ ସେ କୁଲି କାମ କଲେ। ତା’ସାଙ୍ଗକୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଲେ। ତୃତୀୟ ପ୍ରୟାସରେ ଶ୍ରୀନାଥ ସିଭିଲ ସର୍ଭିସ ଉତ୍ତୀର୍ଣ୍ଣ ହୋଇଛନ୍ତି।











