ଓଡ଼ିଶାଲାଇଭ୍ ବ୍ୟୁରୋ

୯ ହଜାର କୋଟି ଟଙ୍କା ଋଣ ନେଇ ବ୍ରିଟେନ୍ ପଳେଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସେଠାରେ ବି ତ୍ରାହି ମିଳିନାହିଁ। ବ୍ରିଟେନର ଉଚ୍ଚ ନ୍ୟାୟାଳୟ ମାଲ୍ୟାଙ୍କୁ ‘ନ୍ୟାୟିକ ପଳାତକ’ ବିବେଚନା କରିଛନ୍ତି।
ବ୍ରିଟେନ୍ ହାଇକୋର୍ଟରେ ବିଜୟ ମାଲ୍ୟାଙ୍କୁ ଝଟକା। ଠକେଇ ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଫସିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନର ଉଚ୍ଚ ନ୍ୟାୟାଳୟ ‘ନ୍ୟାୟିକ ପଳାତକ’ ବିବେଚନା କରିଛନ୍ତି।
ମାଲ୍ୟା ଆଇନକୁ ଭୁଆଁ ବୁଲାଇ ଭାରତରୁ ଇଂଲଣ୍ଡ ପଳାଇ ଆସିଛନ୍ତି। ଋଣ ପ୍ରରିଶୋଧ ନକରି ମାଲ୍ୟା ନିଜକୁ ବଞ୍ଚାଇବା ପାଇଁ ଏଠାକୁ ଆସିଛନ୍ତି। ତେଣୁ ତାଙ୍କୁ ‘ନାୟିକ ପଳାତକ’ ଘୋଷଣା କରାଯିବା ଉଚିତ ହେବ।
ମାଲ୍ୟାଙ୍କର ପ୍ରତ୍ୟାର୍ପଣ ପାଇଁ ଭାରତ ସରକାର କରିଥିବା ଆବେଦନ ଉପରେ ଶୁଣାଣି କାଳରେ ଉଚ୍ଚ ନ୍ୟାୟାଳୟ ଏପରି ମତବ୍ୟକ୍ତ କରିଛନ୍ତି।
ମାଲ୍ୟା ଯୁକ୍ତି ଉପସ୍ଥାପନ କରିଥିଲେ ଯେ ୧୯୮୮ ପରଠାରୁ ସେ ପ୍ରବାସୀ ଭାରତୀୟ ହୋଇଯାଇଛନ୍ତି ଏବଂ ୧୯୯୨ଠାରୁ ବ୍ରିଟେନ୍ରେ ବାସ କରୁଛନ୍ତି। ତାଙ୍କ ଯୁକ୍ତିକୁ କିନ୍ତୁ ବିଚାରପତି ଗ୍ରହଣ କରିନଥିଲେ।
କୋର୍ଟ କହିଥିଲେ, ୨୦୧୬ ମାର୍ଚ୍ଚ ପୂର୍ବରୁ ମାଲ୍ୟା ନିୟମିତ ଭାବେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଯାତାୟତ କରୁଥିଲେ। ବ୍ୟବସାୟ ଓ ରାଜନୈତିକ କାରଣ ପାଇଁ ସେ ଯିବାଆସିବା କରୁଥିଲେ। ତାଙ୍କର ଅଧିକାଂଶ ବ୍ୟବସାୟ ଭାରତ ସହିତ ଜଡ଼ିତ ରହିଛି।
୨୦୦୩ ମସିହାରେ ମାଲ୍ୟା ଏକ ନିଲାମରେ ହାସଲ କରିଥିବା ଟିପୁ ସୁଲତାନଙ୍କ ଖଣ୍ଡାକୁ ଅନ୍ୟ କାହାକୁ ଦେଇଦେବା କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ଖୋଲାଖୋଲି ଉଲ୍ଲଘଂନ ବୋଲି ବ୍ରିଟେନ ହାଇକୋର୍ଟ କହିଛନ୍ତି। ଟିପୁ ସୁଲ୍ତାନଙ୍କ ଖଣ୍ଡା ହେଉଛି ଇତିହାସ ସହିତ ଜଡ଼ିତ ଥିବା ଏକ ସାମଗ୍ରୀ। ତାହାକୁ ଅନ୍ୟ କାହାକୁ ଦେବା ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି।
ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦କୋଟି ଟଙ୍କା ଋଣ ଠକି ଲଣ୍ଡନ ପଳାଇ ଆସିଥିବା ମାଲ୍ୟାଙ୍କୁ ଏବେ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ମଙ୍ଗଳବାର ଲଣ୍ଡନର ଅଦାଲତ ମାଲ୍ୟାଙ୍କଠାରୁ ଋଣ ଅର୍ଥ ଆଦାୟ ପାଇଁ ବିଶ୍ୱବ୍ୟାପୀ ଥିବା ତାଙ୍କ ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ।
ଲଣ୍ଡନ ଅଦାଲତର ବିଚାରପତି ଆଣ୍ଡ୍ରୁ୍ୟ ହେନସ କହିଛନ୍ତି, “ମାଲ୍ୟାଙ୍କଠାରୁ ଋଣ ଅର୍ଥ ଆଦାୟ ପାଇଁ ଭାରତୀୟ ଅଦାଲତଙ୍କ ରାୟକୁ ବ୍ୟାଙ୍କଗୁଡିକ କାର୍ଯ୍ୟକାରୀ କରିପାରିବେ”।
ମାଲ୍ୟାଙ୍କଠାରୁ ୧୦ହଜାର କୋଟି ଟଙ୍କା ଋଣ ଆଦାୟ ପାଇଁ ଭାରତର ବିଭିନ୍ନ ବ୍ୟାଙ୍କ ମାମଲା ରୁଜୁ କରିଥିଲେ। ଆଇଡିବିଆଇ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କମାନେ ଏହି ମାମଲା ରୁଜୁ କରିଥିଲେ। ମାଲ୍ୟା ତାଙ୍କର କିଙ୍ଗଫିସର ଏୟାର ଲାଇନ୍ସ ପାଇଁ ନେଇଥିବା ୧୪୦କୋଟି ଡଲାର ଋଣକୁ ଉଦ୍ଦେଶ୍ୟମୂଳକ ଭାବେ ପରିଶୋଧ ନ କରି ବୁଡାଇ ଦେଇଥିଲେ।











