ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରି ବର୍ଷ ପରେ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚୂଡ଼ାନ୍ତ ଚାର୍ଜସିଟ କୋର୍ଟରେ ଦାଖଲ କରିଛି ଦିଲ୍ଲୀ ପୋଲିସ।

ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚୂଡ଼ାନ୍ତ ଚାର୍ଜସିଟ୍ ସୋମବାର ଦିନ ଦାଖଲ କରିଛି ଦିଲ୍ଲୀ ପୋଲିସ। ପ୍ରାୟ ୩ ହଜାର ପୃଷ୍ଠାର ଚାର୍ଜସିଟ୍‌କୁ ପୋଲିସ ପଟିଆଲା ହାଉସ କୋର୍ଟରେ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ସୁନନ୍ଦାଙ୍କ ସ୍ୱାମୀ ଶଶି ଥରୁରଙ୍କୁ ସନ୍ଦିଗ୍ଧ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ସୁନନ୍ଦାଙ୍କ ମୃତ୍ୟୁର ୪ ବର୍ଷ ପରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି।

୨୦୧୭ ଜାନୁଆରୀ ୧୪ରେ ସୁନନ୍ଦାଙ୍କ ମୃତଦେହ ସାଉଥ ଦିଲ୍ଲୀସ୍ଥିତ ଲୀଲା ହୋଟେଲର ୩୪୫ ନମ୍ବର ରୁମରୁ ଉଦ୍ଧାର କରାଯାଇଥିଲା। ସୁନନ୍ଦାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସେତେବେଳେ ଚର୍ଚ୍ଚା ଲାଗି ରହିଥିଲା। ହେଲେ ପୋଲିସ ପକ୍ଷରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଯାଇଛି। ସୁନନ୍ଦା ଆତ୍ମହତ୍ୟା କରିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଏହି ଆତ୍ମହତ୍ୟା ପଛରେ ସୁନନ୍ଦାଙ୍କ ସ୍ୱାମୀ ଶଶି ଥରୁରଙ୍କୁ ଦାୟୀ କରାଯାଇଛି।

ଆଇପିସି ଧାରା ୩୦୬ ଏବଂ ୪୯୮(ଏ) ଅନୁସାରେ ଚାର୍ଜସିଟ ଦାଖଲ କରିଛି ପୋଲିସ। ମେ ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୁନନ୍ଦାଙ୍କ ମୃତ୍ୟୁ ବିଷପ୍ରିୟା ଯୋଗୁଁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା। ଏହାସହ ହୋଟେଲ ରୁମରୁ କିଛି ନିଶା ବଟିକା ମଧ୍ୟ ପୋଲିସ ଜବତ କରିଥିଲା।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କିମ୍ବା ଏସ୍‌ଆଇଟି ଦ୍ବାରା କରିବା ପାଇଁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହା ପୂବର୍ରୁ ଗୃହ ମନ୍ତ୍ରାଳୟ ମଧ୍ୟ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ। ତେବେ ଦିଲ୍ଲୀ ପୋଲିସ ତଦନ୍ତକୁ ଜୋରଦାର କରି ସାରିଥିବାରୁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇ ନଥିଲା। ପରେ ଦିଲ୍ଲୀ ହାଇକୋର୍ଟ ସୁବ୍ରମଣ୍ୟମ ସ୍ୱାମୀଙ୍କ ପିଟିସନ ଖାରଜ କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here