ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସ ଚାରି ଦଶନ୍ଧିରୁ ଅଧିକ ସମୟ ହେବ ସିନେଜଗତରେ ସକ୍ରିୟ ଥିଲେ। ତାଙ୍କର ଅବର୍ତ୍ତମାନରେ କିଛି ଅକୁହା କଥା…

ଅଳ୍ପଦିନର ନାୟିକା

‘ଯାଯାବର’ ସିନେମା ଜରିଆରେ ଓଲିଉଡରେ ପାଦ ଥାପି ଥିଲେ ଅନୀତା ଦାସ। ପ୍ରଥମ ସିନେମାରେ କିନ୍ତୁ ତାଙ୍କୁ ମିଳିନଥିଲା ନାୟିକା ଭୂମିକା। ସେ ଅଳ୍ପ କେତୋଟି ଓଡ଼ିଆ ଛବିରେ ନାୟିକା ଭୂମିକା ନିଭାଇଥିଲେ। ତେବେ ସେଥିମଧ୍ୟରୁ ନାୟିକା ଭାବେ ଅନୀତା ଦାସଙ୍କର ସବୁଠାରୁ ସ୍ମରଣୀୟ ସିନେମା ହେଲା ‘ତପସ୍ୟା’।

ବିଶ୍ୱନାଥ ମିଶ୍ରଙ୍କ ପ୍ରଯୋଜିତ ତଥା ନଗେନ୍ ରାୟଙ୍କ ନିର୍ଦ୍ଦେଶିତ ‘ତପସ୍ୟା’ ଥିଲା ଏକ ଯୁଗାନ୍ତକାରୀ ସିନେମା। ଏଥିରେ ଅନୀତା ଦାସ ଜଣେ ମତ୍ସ୍ୟଜୀବୀ ପରିବାରର ମାମୁଲି ଝିଅ ଭୂମିକାରେ ପ୍ରଥମେ ଦେଖା ଦେଇଥିଲେ। ପରେ ଜଣେ ଡାକ୍ତର (ଶରତ ପୂଜାରୀ) ତାଙ୍କ ପ୍ରେମରେ ପଡ଼ି ଗର୍ଭବତୀ କରାଇଥିଲେ।

ସମୟ ଚକ୍ରରେ ଡାକ୍ତର ଜଣକ ଫେରିବା ବେଳକୁ ପ୍ରେମିକାକୁ ପାଇନଥିଲେ। ଅନୀତା ଜଣେ ଝିଅକୁ ଜନ୍ମ ଦେଲେ, ଯିଏ ବଡ଼ ହୋଇ ମେଡ଼ିକାଲ୍ କଲେଜରେ ପାଠ ପଢ଼େ। ସେହି କଲେଜରେ ପ୍ରିନସିପାଲ୍ ହେଲେ ଶରତ ପୂଜାରୀ। ଶେଷରେ ବାପ-ଝିଅ-ମାଆଙ୍କର ମିଳନ ହୁଏ।

୧୯୮୦ରେ ରିଲିଜ୍ ହୋଇଥିବା ‘ତପସ୍ୟା’ ଭଳି ଚରିତ୍ର କ୍ୱଚିତ୍ ନାୟିକାଙ୍କର ଭାଗ୍ୟରେ ଜୁଟେ।

ସେହିବର୍ଷ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ମା ଓ ମମତା’ ବି ମୁକ୍ତିଲାଭ କରିଥିଲା। ଯେଉଁଥିରେ ଅନୀତା ଦାସଙ୍କ ଭୂମିକାଟି ଥିଲା ନେଗେଟିଭ୍। ଉଭୟ ପଜିଟିଭ୍ ଓ ନେଗେଟିଭ୍ ଚରିତ୍ରକୁ ବେଶ୍ ନିଖୁଣ ଭାବେ ନିଭାଇ ନିଜ ଅଭିନୟ ଦକ୍ଷତାର ପରିଚୟ ଦେଇଥିଲେ ଅନୀତା ଦାସ।

ପ୍ରଯୋଜିକା ବନିପାରିନଥିଲେ

ଅନୀତା ଦାସ ନିଜ ମନପସନ୍ଦର ଚଳଚ୍ଚିତ୍ରଟିଏ ନିର୍ମାଣ କରିବା ପାଇଁ ଚିନ୍ତା କରିଥିଲେ। ସେ ଏଥିପାଇଁ ନିଜେ କାହାଣୀ ବି ରଚନା କରିଥିଲେ। ଫିଲ୍ମର ଟାଇଟଲ୍ ରଖାଯାଇଥିଲା ‘ମୋ ପତି ମୋ ଦେବତା’। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ସିଦ୍ଧାର୍ଥ। ‘ଉଲ୍‌କା’, ‘ବାଜେ ବଇଁଶି ନାଚେ ଘୁଂଘୁର’, ‘ଜାଇଫୁଲ’, ‘ପାପ ପୁଣ୍ୟ’ ଓ ‘କାଳିଆ ଭରସା’ ଆଦି ଛବି ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ।

ଅନୀତା ଦାସ ‘ମୋ ପତି ମୋ ଦେବତା’ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ଦେଇଥିଲେ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତିଙ୍କୁ। ଫିଲ୍ମର ଗୀତ ରେକର୍ଡିଂ ବି ସରିଗଲା।

ଏହାପରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ଥିଲା। ମାତ୍ର ତାହା ଫ୍ଲୋରକୁ ଯାଇପାରିନଥିଲା। କୁହାଗଲା ଅନୀତାଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା ସେତେବେଳେ। ଏହି କାରଣରୁ ପ୍ରଯୋଜିକା ବନିପାରିନଥିଲେ ଅନୀତା ଦାସ।

ଜୟଦେବ ପୁରସ୍କାର ପାଇଲେନି

ଗତ ତିନିବର୍ଷ ହେବ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ’ ପୁରସ୍କାର ଲାଗି ବରିଷ୍ଠ ଅଭିନେତ୍ରୀ ଅନୀତା ଦାସଙ୍କ ନାଁ ଶୁଣିବାକୁ ମିଳୁଥିଲା। ଓଡ଼ିଆ ସିନେମା ପାଇଁ ତାଙ୍କର ଅବଦାନ ବି ଉଲ୍ଲେଖନୀୟ ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ଜୀବଦ୍ଦଶାରେ ଅନୀତା ଦାସ ଜୟଦେବ ପୁରସ୍କାର ଲାଭ କରିପାରିଲେ ନାହିଁ।

ଅନୀତା ଥିଲେ ଅବିବାହିତା

ଅଭିନେତ୍ରୀ ଅନୀତା ଦାସ ଆଜୀବନ ଅବିବାହିତା ରହିଯାଇଥିଲେ। ସେ ଥିଲେ ପ୍ରଚଣ୍ଡ ଈଶ୍ୱର ବିଶ୍ୱାସୀ ଓ ସରଳ। ସେ କେବେ ବି ମିଥ୍ୟା ପ୍ରଚାରରେ ବିଶ୍ୱାସ କରୁନଥିଲେ।

ଅନୀତାଙ୍କ ପରେ ଆକାଶ

ଅନୀତା ଦାସ ତାଙ୍କର ଅଭିନୟ କଳାକୁ ଆତ୍ମଜମାନଙ୍କ ମଧ୍ୟରୁ କାହାକୁ ଦେବାକୁ ଇଚ୍ଛା କରୁଥିଲେ। ଯା’ ହେଉ ଅନୀତାଙ୍କ ଭଉଣୀଙ୍କ ପୁଅ (ପୁତୁରା) ଆକାଶ ଦାସ ନାୟକ ସେହି କଳାଟିକୁ ହାସଲ କରିଛନ୍ତି। ଆଜି ଆକାଶ ଓଲିଉଡର ଜଣେ ଜଣାଶୁଣା ଅଭିନେତା।

ରାଜନୀତିରେ ଅସଫଳ

ଅଭିନେତ୍ରୀ ଅନୀତା ଦାସ ଅଭିନୟ କ୍ଷେତ୍ରରେ ଯେତିକି ସଫଳତା ହାସଲ କରିଛନ୍ତି, ତାହା ଅନୁକରଣୀୟ । ମାତ୍ର ସେ ରାଜନୀତିରେ ସଫଳ ହୋଇପାରିନଥିଲେ। ଅନୀତା ଦାସ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ରାଜନୀତିରେ କିଛି ବର୍ଷ ସକ୍ରିୟ ହୋଇଥିଲେ, ମାତ୍ର ସେଥିରେ ବିଶେଷ ସଫଳତା ହାସଲ କରିପାରିନଥିଲେ।

Comment