ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ଗର୍ଭାବସ୍ଥାରେ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାନ୍ତୁ ଜଟିଳତାର ଚିକିତ୍ସା କରାନ୍ତୁ ଏବଂ ଏକ ସୁସ୍ଥ ଶିଶୁର ଜନନୀ ହେବାର ସୌଭାଗ୍ୟ ଲାଭ କରନ୍ତୁ

ମାତୃତ୍ଵ ପ୍ରଭୁଙ୍କର ଶ୍ରେଷ୍ଠତମ ଓ ସୁନ୍ଦରତମ ସୃଷ୍ଟି, ଯେଉଁଠାରେ ସବୁ ସ୍ନେହର ଆରମ୍ଭ ଓ ଶେଷ ହୋଇଥାଏ, ଯେଉଁଠି ସେବା ଓ ସୃଜନୀର ଯୁଗଳବନ୍ଦୀ ସ୍ଵରଟିଏ ଅହରହ ଝଙ୍କାର ତୋଳୁଥାଏ, ଯେଉଁଠି ତ୍ୟାଗ ଓ ତିତୀକ୍ଷାର ମନ୍ତ୍ରରେ ନାରିଟିଏ ଅଭିମନ୍ତ୍ରିତା ହୋଇ ମାତୃତ୍ଵର ସୋପାନ ଆରୋହଣ କରିଥାଏ। ଜନ୍ମ ପରେ ଶିଶୁର ସ୍ପର୍ଶ ମା’ ଦେହରେ ଏକ ଅଦ୍ଭୁତ ଆଲୋଡ଼ନ ଭରିଦେଇଥାଏ। ନିଜ ରକ୍ତ ମାଂସର ଅବିକଳ ପ୍ରତିଲିପି ଦେହରେ ମୁହୂର୍ତ୍ତ ମୁହୂର୍ତ୍ତ କରି ଜୀବନୀ ଶକ୍ତି ଭରିଦେବାକୁ ମା’ର ପ୍ରସ୍ତୁତି, ଗର୍ଭଧାରଣ କରିବା ଆଗରୁ ଆରମ୍ଭ ହୋଇଯାଏ।

ନାରୀ ଜୀବନରେ ମାତୃତ୍ଵର ଯାତ୍ରା ହେଉଛି ସବୁଠାରୁ ଆନନ୍ଦଦାୟକ ଯାତ୍ରା, ଏକ ଅଖଣ୍ଡ ଯାତ୍ରା ଏବଂ ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା। ପ୍ରକୃତିର ଏ ସୁନ୍ଦର ଯାତ୍ରା କେତେବେଳେ ମନୋରମ ତ’ କେତେବେଳେ ବିପଦସଙ୍କୁଳ ପୁଣି କେତେବେଳେ ସମତଳ ତ’ କେତେବେଳେ ବନ୍ଧୁର ହୋଇଥାଏ। ଗର୍ଭସଞ୍ଚାର ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ସ୍ଵତନ୍ତ୍ର ସମୟ। ଏହି ସମୟରେ ରାଗନ୍ତୁ ନାହିଁ, ଦୁଃଖ କରନ୍ତୁ ନାହିଁ, କି କାନ୍ଦନ୍ତୁ ନାହିଁ। ହସି ହସି ଏହାର ପ୍ରତ୍ୟେକ ମୁହୂର୍ତ୍ତକୁ ଆନନ୍ଦରେ ଉପଭୋଗ କରନ୍ତୁ। ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାନ୍ତୁ, ଜଟିଳତାର ଚିକିତ୍ସା କରାନ୍ତୁ ଏବଂ ଏକ ସୁସ୍ଥ ଶିଶୁର ଜନନୀ ହେବାର ସୌଭାଗ୍ୟ ଲାଭ କରନ୍ତୁ।

ଯେତେବେଳେ ଆପଣ ଗର୍ଭଧାରଣ ପାଇଁ ସିଦ୍ଧାନ୍ତ ନେଉଛନ୍ତି ସେତେବେଳେ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ହେଉଛି ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବା। ଆପଣଙ୍କ ସ୍ଵାସ୍ଥ୍ୟ ଯେତେ ଭଲ ରହିବ ସେହିଭଳି ସୁସ୍ଥପିଲା ଜନ୍ମ ହେବ। ଶିଶୁ ଜନ୍ମ ହେବା ପରେ ଆପଣ ଯେତେବେଳେ ଶିଶୁକୁ ଆଦରରେ ତୋଳିଧରି ତା’ର ଦୁଇ ଆଖିରେ ଦୃଷ୍ଟି ମିଳାଇବେ, ସେତେବେଳେ ଆପଣ ହୃଦୟ ଆନନ୍ଦ ଓ ଭୟ ଉଭୟ ଅନୁଭବରେ ପୁରିଯିବ। ଶିଶୁକୁ ଏକ ସୁସ୍ଥ ମଣିଷ ରୂପରେ ଗଢ଼ିବା ପାଇଁ ଏବଂ ତା’କୁ ଅନବରତ ରକ୍ଷା କରିବା ପାଇଁ ଆପଣ ଯତ୍ନବାନ ହେବେ।

ତେବେ ନିଜ ଶିଶୁର ଯତ୍ନ କ’ଣ ଆପଣ କେବଳ ଜନ୍ମ ପରେ ହିଁ ନେବେ? ନିଜ ଶିଶୁର ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଗର୍ଭାବସ୍ଥାର ପ୍ରଥମ ଦିନରୁ କାହିଁକି, ଗର୍ଭାବସ୍ଥାର ପୂର୍ବରୁ ହିଁ ଯତ୍ନ ନିଅନ୍ତୁ। ତାହାହେଲେ ଆପଣ ଗର୍ଭାବସ୍ଥାରେ ନିରାପଦ ରହି ଏକ ସୁସ୍ଥ ଶିଶୁର ଜନନୀ ହେବେ।

ଗର୍ଭାବସ୍ଥାରେ ସ୍ଵାସ୍ଥ୍ୟ ପରୀକ୍ଷା

ମା’ ଓ ଶିଶୁଙ୍କର ଶାରୀରିକ ସୁସ୍ଥତାର ଯତ୍ନ ଗର୍ଭଧାରଣ ପୂର୍ବରୁ ଆରମ୍ଭ ହୋଇ, ପ୍ରସବ ପରବର୍ତ୍ତୀ ସମୟ ଯାଏ ନିଆଯାଇଥାଏ।

  • ଉପଯୁକ୍ତ ସମୟ ବ୍ୟବଧାନରେ ପ୍ରସୂତି ବିଶେଷଜ୍ଞଙ୍କ ନିକଟରେ ଗର୍ଭ ପରୀକ୍ଷା କରାଇବା ଉଚିତ।
  • ଗର୍ଭ ପରୀକ୍ଷା ସମୟରେ ଜଟିଳତାର ଚିହ୍ନଟ ଓ ଚିକିତ୍ସା କରିବା ଜରୁରୀ।

ମୁଖ୍ୟ ଉଦ୍ଦେଶ୍ୟ

  • ଗର୍ଭବତୀ ନାରୀର ଉତ୍ତମ ସ୍ଵାସ୍ଥ୍ୟ ସହ, ଖାଦ୍ୟ, ପେୟ ଓ ଔଷଧର ପରାମର୍ଶ।
  • ଗର୍ଭାବସ୍ଥାରେ କେତେକ ଜଟିଳତା ଯଥା ରକ୍ତହୀନତା, ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ହୃଦ୍‌ ରୋଗ, ଯକ୍ଷ୍ମାରୋଗ ଓ ନେଫ୍ରାଇଟିସ୍ ଏବଂ ଗର୍ଭାବସ୍ଥାରେ ପ୍ରିଏକ୍ଲାମ୍ପସିଆ, ନିତମ୍ବ ବା’ ସ୍କନ୍ଧ ଉପସ୍ଥାନ, ଯାଆଁଳା ଗର୍ଭ, ଗର୍ଭଫୁଲର ଅସ୍ଥାନିକ ଅବସ୍ଥାନ ତଥା ପ୍ରସବ ପୂର୍ବରୁ ରକ୍ତସ୍ରାବର ତୁରନ୍ତ ଚିହ୍ନଟ ଓ ଚିକିତ୍ସା। ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରୁ ‘ବିପଦ ସଙ୍କୁଳ ଗର୍ଭାବସ୍ଥା’ ବା ‘ହାଇରିସ୍କ’ର ଚିହ୍ନଟ ଏବଂ ହସ୍ପିଟାଲ୍‌ରେ ଆଡମିଶନ୍‌ ପାଇଁ ପରାମର୍ଶ ଦେବା।
  • ପ୍ରସୂତି ପରିଚର୍ଯ୍ୟା କ୍ଲିନିକ୍‌ରେ ଅଲ୍‌ଟ୍ରାସାଉଣ୍ଡ୍ କରିବା ସମୟରେ ବିକଳାଙ୍ଗ ଶିଶୁ ଚିହ୍ନଟ କରିବା। ପ୍ରସୂତି ପରିଚର୍ଯ୍ୟାଗାରରେ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ଦ୍ଵାରା ମାତୃ ଓ ଶିଶୁ ମୃତ୍ୟୁହାର ଅନେକାଂଶରେ କମିଯାଏ।

(ସୌଜନ୍ୟ – ଗର୍ଭବତୀ ନାରୀର ଯତ୍ନ)

Comment