ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସରକାର ଗଠନକୁ ନେଇ ବେଙ୍ଗାଳୁରୁରେ ଅସ୍ଥିରତା ଲାଗିଥାଇପାରେ। କିନ୍ତୁ ଗତକାଲିର ଫଳାଫଳକୁ ନେଇ ଓଡ଼ିଶାରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

କର୍ଣ୍ଣାଟକ ନିର୍ବାଚନ ଫଳ ଆସିବା ପରେ ରାଜ୍ୟ ବିଜେପି ନେତା ଓ କର୍ମୀମାନେ ବେଶ୍ ଖୁସିରେ ଅଛନ୍ତି। ଦଳର ଜନପଥରେ ଥିବା କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତି ଯାଏଁ ଗହଳ ଚହଳ ଲାଗି ରହିଥିଲା। ସନ୍ଧ୍ୟାରେ କର୍ମୀମାନେ ସ୍ଲୋଗାନ ଦେବା ସହ ଗୀତ ଗାଇ ନାଚୁଥିବା ଦେଖାଯାଇଥିଲା। ଦଳର ପତାକାକୁ ଉଡ଼ାଇ କର୍ମୀ ଓ ନେତାମାନେ ମିଠା ବାଣ୍ଟୁଥିବା ଲକ୍ଷ୍ୟ କରାଯାଇଥିଲା। ଉତ୍ସାହିତ ହୋଇପଡ଼ିଥିବା ଦଳର ନେତାମାନେ କହୁଥିଲେ କର୍ଣ୍ଣାଟକ ନିର୍ବାଚନ ଫଳର ପ୍ରଭାବ ୨୦୧୯ରେ ଓଡ଼ିଶା ଉପରେ ମଧ୍ୟ ପଡ଼ିବ।

ବିଧାୟକ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,”ଆଗରୁ ମଣିପୁର,ଗୋଆ ଓ ତ୍ରିପୁରାରେ ବିଜେପିର ସଫଳତାକୁ ଲୋକେ ଦେଖିଛନ୍ତି। ଓଡ଼ିଶାର ଲୋକେ ମଧ୍ୟ ନିଶ୍ଚିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଏଜେଣ୍ଡାକୁ ଦୃଷ୍ଟିରେ ରଖି ଆମ ଦଳକୁ ଭୋଟ ଦେବେ”।

କିନ୍ତୁ ଶାସକ ବିଜେଡି ଓ କଂଗ୍ରେସର ମତ ଅଲଗା। ଏହି ଦୁଇଟି ଦଳର ମତ ହେଉଛି ଓଡ଼ିଶା ଉପରେ କର୍ଣ୍ଣାଟକ ଫଳର କୌଣସି ପ୍ରଭାବ ପଡ଼ିବ ନାହିଁ।

ବିଜେଡି ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,”ଏଠି କର୍ଣ୍ଣାଟକର କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ। ଲୋକେ ଚାରିଚାରି ଥର ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଛନ୍ତି ଏବଂ ଏଥର ମଧ୍ୟ ସେମାନେ ବିଜେଡିକୁ ଭୋଟ ଦେଇ ସରକାର ଗଠନର ସୁଯୋଗ ପୁଣି ଦେବେ”।

ସେହିଭଳି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି,”ଆଣ୍ଟି-ଇଂକମ୍ବନସି ଯୋଗୁଁ କର୍ଣ୍ଣାଟକରେ କଂଗ୍ରେସ କମ ଆସନ ପାଇଛି। ସେଠାକାର ନିର୍ବାଚନର ପ୍ରଭାବ ଏଠି ପଡ଼ିବ ନାହିଁ”।

Comment