ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ପୂର୍ବରୁ ହିଁ ପ୍ରସ୍ତୁତ ହେବାକୁ ପଡ଼ିଥାଏ।

ଗୋଟିଏ ସୁନ୍ଦର ଘର ତିଆରି କରିବାକୁ ହେଲେ ତା’ର ସୁଚିନ୍ତିତ ନକ୍ସାଟିଏ ଆଗରୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। କିନ୍ତୁ ଯେଉଁ ଘରଟି ତରବରିଆ ଭାବରେ ହୋଇଥାଏ ତାହାର ସୌନ୍ଦର୍ଯ୍ୟ ମନକୁ ଛୁଇଁ ପାରେନି। ଠିକ୍ ସେହିଭଳି ସୁସ୍ଥ ଶିଶୁଟିଏ ପାଇଁ ଆଗରୁ ବାପା, ମା’ଙ୍କୁ ଶାରୀରିକ ଓ ମାନସିକ ଭାବରେ ପ୍ରସ୍ତୁତ ହେବାକୁ ପଡ଼ିଥାଏ।

ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟରୁ ପ୍ରସୂତି ବିଶେଷଜ୍ଞଙ୍କ ଦ୍ଵାରା ପରାମର୍ଶ ନେଲେ ଓ ନିୟମିତ ଭାବରେ ଚେକ୍ଅପ୍ କଲେ ଗର୍ଭଜନିତ ଗୁରୁତର ଜଟିଳତାକୁ ନିଶ୍ଚିତ ଭାବରେ ଏଡ଼ାଇ ଦିଆଯାଇପାରିବ ଏବଂ ପ୍ରସବ ସରଳ ଓ  ସହଜ ହୋଇପାରିବ। ଏହାକୁ ଗର୍ଭଧାରଣ ପୂର୍ବବର୍ତ୍ତୀ ପରାମର୍ଶ କୁହାଯାଏ (ପ୍ରିକନ୍‌ସେପ୍ସନାଲ୍ କାଉନସେଲିଂ)। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଣେ ମହିଳା ନିଜର ସମସ୍ତ ମାନସିକ ଓ ଶାରୀରିକ ସୁସ୍ଥତା ସହ ଗର୍ଭଧାରଣ କରିବା ଏବଂ ଏହାଦ୍ଵାରା ଗର୍ଭାବସ୍ଥାର ସମସ୍ତ ପଥ ତା’ ପାଇଁ ଓ ଗର୍ଭସ୍ଥ ଶିଶୁ ପାଇଁ ନିରାପଦ ହେବା।

ସାଧାରଣତଃ ଜଣେ ଗର୍ଭବତୀ ମହିଳା ପ୍ରସୂତି ବିଶେଷଜ୍ଞଙ୍କ ପାଖରେ ଚେକ୍‌ଅପ୍ ପାଇଁ ଆସିବା ବେଳେ ୩ ମାସ ଅତିକ୍ରମ କରିଯାଇଥାଏ। ଏହି ୩ ମାସ ଭିତରେ ଶିଶୁଟିର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ତିଆରି ହୋଇଯାଇଥାଏ ଏବଂ ଯଦି ମହିଳାଟିର ବଂଶଗତ ଅସୁବିଧା ବା ଅନ୍ୟରୋଗ ଯୋଗୁଁ ଆଗରୁ ଜଟିଳତା ଥାଏ, ତେବେ ଗର୍ଭାବସ୍ଥାର ପ୍ରଥମ ୩ ମାସ ମଧ୍ୟରେ ଏହା ଗର୍ଭ ଉପରେ ପ୍ରଭାବ ପକାଇସାରିଥାଏ। ତେଣୁ ଗର୍ଭଧାରଣ ପୂର୍ବରୁ ପରାମର୍ଶ କରିବା ନିହାତି ଜରୁରୀ।

ଏହି ପରାମର୍ଶର ସୁବିଧା:

୧) ପ୍ରଥମେ ମା’ର ବଂଶଗତ, ଶାରୀରିକ, ପ୍ରସୂତିଗତ ବା ନିଜର କିଛି ଅସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଇତିହାସ ନେବା ଦ୍ଵାରା ‘ରିସ୍କ ଫେକ୍ଟର’ ଅଛି କି ନାହିଁ ଜଣାପଡ଼େ।

୨) ଯଦି ମହିଳା ଜଣଙ୍କ ଉଚ୍ଚ ରକ୍ତଚାପ, ମଧୁମେହରୋଗ ଭୋଗୁଥା’ନ୍ତି ତେବେ ତା’ର ଚିକିତ୍ସା କରାଯାଏ।

୩) ଯେଉଁମାନେ ଅତ୍ୟଧିକ ମୋଟା ବା ଅତ୍ୟଧିକ ପତଳା ହୋଇଥାନ୍ତି, ତାଙ୍କୁ ଓଜନ କମ୍ କରିବା ବା ବଢ଼ାଇବା ପାଇଁ ପରାମର୍ଶ ଦିଆଯାଏ।

୪) ଯେଉଁମାନଙ୍କର ବାରମ୍ବାର ଗର୍ଭ ନଷ୍ଟ ହେଉଥାଏ ଏବଂ ବଂଶଗତ ବିକଳାଙ୍ଗତା ଥାଏ, ତେବେ ତା’ର ଚିକିତ୍ସା କରାଯାଏ। ଯେଉଁଠି ଏହି ବଂଶଗତ ବିକଳାଙ୍ଗତାର ଚିକିତ୍ସା କରି ହୁଏ ନାହିଁ, ସେମାନଙ୍କୁ ଗର୍ଭଧାରଣ କରିବାରୁ ନିବର୍ତ୍ତାଇବା ଉଚିତ୍।

୫) ସବୁ ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ‘ହେପାଟାଇଟିସ୍-ବି’ ଓ ‘ରୁବେଲା’ର ଟୀକା ନେବା ଉଚିତ୍।

୬) ଗର୍ଭଧାରଣ ପୂର୍ବରୁ ମହିଳାଙ୍କର ରକ୍ତଚାପ ସହ ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ ପରୀକ୍ଷା ହେବା ଜରୁରୀ।

୭) ଗର୍ଭଧାରଣର ଏକ ମାସ ପୂର୍ବରୁ ଏବଂ ଗର୍ଭଧାରଣ ପରେ ୩ ମାସ ପର୍ଯ୍ୟନ୍ତ ଫଲିକ୍‌ ଏସିଡ୍ ଖାଇବା ଜରୁରୀ। ଏହାଦ୍ଵାରା ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହୁଏନାହିଁ।

୮) ପ୍ରସୂତି ବିଶେଷଜ୍ଞଙ୍କ ସହ ସୁପରାମର୍ଶ, ଗର୍ଭଧାରଣ ତଥା ପ୍ରସବର ଅନେକ ଭୟ ମନରୁ ଦୂରେଇ ଦିଏ।

ଏହିଭଳି ଭାବରେ ଦମ୍ପତ୍ତିମାନଙ୍କର ପ୍ରସୂତି ବିଶେଷଜ୍ଞଙ୍କ ସାଙ୍ଗରେ ଗର୍ଭଧାରଣ ପୂର୍ବରୁ ସୁଚିନ୍ତିତ ପରାମର୍ଶ ଗର୍ଭଧାରଣର ଅନେକ ଜଟିଳତାକୁ ସହଜରେ ଏଡ଼ାଇ ଦିଏ।

(ସୌଜନ୍ୟ – ଗର୍ଭବତୀ ନାରୀର ଯତ୍ନ)

Comment