ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ଅଳ୍ପ ବୟସରେ ଗର୍ଭଧାରଣ ଜଣେ ନାରୀ ପାଇଁ ନାହିଁ ନଥିବା ଶାରୀରିକ, ସାମାଜିକ ତଥା ମାନସିକ ସମସ୍ୟା ସୃଷ୍ଟି କରିଥାଏ

ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ ବର୍ଷକୁ ହାରାହାରି ୧.୫ ନିୟୁତ ଗର୍ଭପାତ ହୋଇଥାଏ। ତେଣୁ ଅଳ୍ପ ବୟସରେ ଗର୍ଭଧାରଣର ସାମାଜିକ ଓ ଶାରୀରିକ ସମସ୍ୟା ବିଷୟରେ ଜନସାଧାରଣ ଅବଗତ ହେବା ଜରୁରୀ ଏବଂ ଏହାକୁ କିପରି କମାଯାଇ ପାରିବ ସେଥିପାଇଁ ବ୍ୟବସ୍ଥାମାନ ଗ୍ରହଣ କରିବା ଉଚିତ। ବ୍ୟବସ୍ଥାଗୁଡ଼ିକ ହେଉଛି:

୧. ପରିବାର ନିୟନ୍ତ୍ରଣ, ପ୍ରଜନନ, ସ୍ଵାସ୍ଥ୍ୟ ଏବଂ ଅବାଞ୍ଛିତ ଗର୍ଭଧାରଣ ବିଷୟରେ ସମସ୍ତଙ୍କର କିଛି ନା କିଛି ଜ୍ଞାନ ରହିବା ଜରୁରୀ।

୨. ପରିବାର ନିୟନ୍ତ୍ରଣର ପଦ୍ଧତିକୁ ସର୍ବସାଧାରଣ ସ୍ତରରେ ପହଞ୍ଚାଇବା ଉଚିତ୍।

ବିକାଶୋନ୍ମୁଖୀ ଦେଶର ବିଭିନ୍ନ ସ୍ଥାନମାନଙ୍କରେ ବିଶେଷକରି ଗାଁଗହଳିରେ ଝିଅମାନଙ୍କୁ ଖୁବ୍ ଶୀଘ୍ର ଯୌବନପ୍ରାପ୍ତି ପୂର୍ବରୁ ବିବାହ କରିଦିଆଯାଏ। ବିବାହ ପରେ ପରେ ଭଲରୂପେ ଶାଢ଼ି ପିନ୍ଧି ନ ଜାଣିଥିବା ଝିଅଟିକୁ ଖୁବ୍‌ଶୀଘ୍ର ଗର୍ଭଧାରଣ କରିବାକୁ ବାଧ୍ୟ କରାଯାଏ।

ଆଇନ ଅନୁସାରେ ଝିଅମାନଙ୍କର ବିବାହ ବୟସକୁ ବଢ଼ାଇଦେବା ନିଶ୍ଚିତ ଭାବରେ ଏକ ଖୁସିର ବିଷୟ ଏବଂ ଏହା ଦ୍ଵାରା ନିଶ୍ଚିତଭାବେ ଅଳ୍ପ ବୟସରେ ଗର୍ଭଧାରଣକୁ ରୋକାଯାଇପାରିବ। କିନ୍ତୁ ସାମାଜିକ ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ବିଚାର କରିବାକୁ ଗଲେ, ଏହାର କିଛି ମୂଲ୍ୟ ନାହିଁ କହିଲେ ଚଳେ, କାହିଁକି ନା ଅଧିକାଂଶ ଗୃହକର୍ତ୍ତା ନିଜ ଝିଅକୁ ଅଳ୍ପ ବୟସରେ ବାହାଘର କରି କନ୍ୟାଦାୟରୁ ମୁଗ୍ଧ ହେବାକୁ ଚାହୁଁଛନ୍ତି।

ଏଥିପାଇଁ ଗାଁ ଗହଳରେ ତଥା ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଖବରକାଗଜ, ବେତାର କେନ୍ଦ୍ର ଓ ଦୂରଦର୍ଶନ ମାଧ୍ୟମରେ କିଶୋର, କିଶୋରୀମାନଙ୍କ ଯୌନଶିକ୍ଷା ଦେବା ଜରୁରୀ। ଅଳ୍ପ ବୟସରେ ଗର୍ଭଧାରଣ ହେଲେ ମଧ୍ୟ ଗର୍ଭଧାରଣ ସମୟରେ ସେମାନଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରିଲେ ଅନେକ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମାଇ ଯାଇପାରିବ।

ଗର୍ଭାବସ୍ଥା ସମୟରେ ସତର୍କତା

ଗର୍ଭାବସ୍ଥାରେ ନିୟମିତ ଭାବରେ ପ୍ରସୂତି ବିଶେଷଙ୍କ ପାଖରେ ଅଳ୍ପ ବୟସ୍କା ଗର୍ଭବତୀ ମହିଳାଙ୍କୁ ଚିକିତ୍ସା କରାଇବା ଆବଶ୍ୟକ।

ପ୍ରସବ ପରବର୍ତ୍ତୀ ସତର୍କତା

ଶିଶୁକୁ ସ୍ତନ୍ୟପାନ ପାଇଁ ମା’କୁ ଉପଦେଶ ଦେବା। ଯଦି ଅଳ୍ପ ବୟସର ଝିଅଟି ପାଠ ପଢ଼ିବାକୁ ଚାହେଁ, ତେବେ ତା’କୁ ଶିଶୁର ଲାଳନପାଳନ ସହ, ସାମାଜିକ ତଥା ଆର୍ଥିକ ସହଯୋଗ ଦେବା ଜରୁରୀ।

ପ୍ରସବ ପରେ ପରିବାର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରବର୍ତ୍ତାଇବା। ଏହାଛଡ଼ା ଅଳ୍ପ ବୟସର ମା’ର ଆର୍ଥିକ ଓ ସାମାଜିକ ନିରାପତ୍ତା ନ ଥିବାରୁ ଏବଂ ଶିଶୁର ଲାଳନପାଳନ ବିଷୟ ଅଜ୍ଞ ଥିବାରୁ ଶିଶୁମାନଙ୍କର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ସେମାନେ ଅବହେଳିତ ହୁଅନ୍ତି। ତେଣୁ ବିଭିନ୍ନ ସ୍ଥାନରେ ପରାମର୍ଶ କେନ୍ଦ୍ରମାନ ଖୋଲି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରିଲେ ମା’ ଓ ଶିଶୁ ଉପକୃତ ହୁଅନ୍ତି।

ଅଳ୍ପ ବୟସର ମା’ଟି ତା’ର ନୂଆ ବାତାବରଣ ତଥା ଶିଶୁଟିର ଲାଳନପାଳନ ପାଇଁ ମାନସିକ ସ୍ତରରେ ଏତେ ବେଶୀ ବିବ୍ରତ ହୋଇପଡ଼େ ଯେ ଖୁବ୍‌ଶୀଘ୍ର ବିବାହ ବିଚ୍ଛେଦ ତା’ ପାଇଁ ଆବଶ୍ୟମ୍ଭାବୀ ହୋଇପଡ଼େ। ଅଳ୍ପ ବୟସରେ ଗର୍ଭଧାରଣର ଅପମାନ, ଦୁଃଖ, ସାମାଜିକ ନିନ୍ଦା ଓ କଳଙ୍କ ତଥା ଆର୍ଥିକ ସଙ୍କଟ ତାକୁ ଏହିଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଥାଥଏ।

କିଶୋର କନ୍ୟମାନଙ୍କର ପ୍ରଜନନକ୍ଷମ ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ପିତା, ମାତା, ପରିବାରବର୍ଗ, ଆତ୍ମୀୟ ସ୍ଵଜନ ତଥା ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞମାନେ ଏକ ସ୍ଵରରେ ସେମାନଙ୍କୁ ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଆବଶ୍ୟକ।

(ସୌଜନ୍ୟ – ଗର୍ଭବତୀ ନାରୀର ଯତ୍ନ)

Comment