ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାଦିନେ ବଢ଼ୁଥିବା ତାପମାତ୍ରା ଯୋଗୁଁ ତ୍ୱଚା ଉପରେ କୁପ୍ରଭାବ ପଡ଼ିଥାଏ। ବିଶେଷକରି ତେଲିଆ ତ୍ୱଚା ଥିବା  ମହିଳାଙ୍କ ପାଇଁ ଏହା ସବୁଠୁ ବଡ଼ ସମସ୍ୟା। କିନ୍ତୁ ଏମିତି କିଛି  ଉପାୟ ରହିଛି, ଯାହାର ଉପଯୋଗରେ  ଖରାଦିନରେ ଆପଣ  ତ୍ୱଚାର ଚମକ୍ ପୂର୍ବବତ୍ ବଜାୟ ରଖିପାରିବେ।

କ୍ଲିନ୍ଜିଙ୍ଗ୍ ଏବଂ ଟୋନିଙ୍ଗ୍

ତ୍ୱଚାର ଚମକ୍ ପାଇଁ ନିୟମିତ ଭାବେ କ୍ଲିନ୍ଜିଙ୍ଗ୍ ଏବଂ ଟୋନିଙ୍ଗ୍ ଆବଶ୍ୟକତା ରହିଛି। ଖରାଦିନେ ତ୍ୱଚାରୁ ଅତ୍ୟଧିକ ଝାଳ ବୋହୁଥିବାରୁ ଧୂଳିମଳି ଲାଗି ଲୋମ ଛିଦ୍ରସବୁ ବନ୍ଦ ହୋଇଯାଏ। ଏହାକୁ ପରିଷ୍କାର କରିବାକୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମୁହଁକୁ ଫେଶୱାସରେ ଧୁଅନ୍ତୁ।

ଗୋଲାପ ଜଳ, କ୍ଷୀର ଏବଂ ବେସନ

ବାହାରୁ ଫେରିବାପରେ ହେଉ ଅବା ଘରେ ଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ଗୋଲାପ ଜଳ, କ୍ଷୀର ଏବଂ ବେସନରେ ପ୍ରସ୍ତୁତ କ୍ଲିନ୍ଜର୍ ବ୍ୟବହାର କରନ୍ତୁ। ଟୋନର୍ ଭାବେ ମଧ୍ୟ ଗୋଲାପଜଳକୁ ବ୍ୟବହାର କରିପାରିବେ। ଏହା ତ୍ୱଚାର ପିଏଚ୍ ସ୍ତରକୁ ଠିକ୍ ରଖିବା ସହ ଫ୍ରେଶ୍ ଲୁକ୍ ଦେଇଥାଏ।

ମୁହଁକୁ ଥଣ୍ଡା ପାଣିରେ ଧୁଅନ୍ତୁ

ତେଲିଆ ତ୍ୱଚା ଖରାଦିନ ପାଇଁ ବିପଦ। ଏହା ମଇଳା ଓ ମୃତ କୋଷିକାକୁ ଏକାଠି କରି ତ୍ୱଚାର ସୌନ୍ଦର୍ଯ୍ୟକୁ ଫିକା ପକାଇଦିଏ। ତେଣୁ ମୁହଁକୁ ବାରମ୍ବାର ଥଣ୍ଡା ପାଣିରେ ସଫା କରନ୍ତୁ।

ଚାଉଳଗୁଣ୍ଡ ଦ୍ୱାରା ତ୍ୱଚାର ସ୍କ୍ରବିଂ

ଏହାଛଡ଼ା ପ୍ରାକୃତିକ ଉପାୟରେ ଚାଉଳଗୁଣ୍ଡ ଦ୍ୱାରା ତ୍ୱଚାର ସ୍କ୍ରବିଂ ମଧ୍ୟ କଲେ ଭଲ। କୌଣସି କାମରେ ଖରାରେ ବାହାରକୁ ଯାଉଥିଲେ ସନସ୍କ୍ରିନ୍ ଲୋଶନ୍ ଲଗାଇବାକୁ ଯେମିତି ନ ଭୁଲନ୍ତି। ଏହାଦ୍ୱାରା ତ୍ୱଚା ଖରା ଦାଉରୁ ରକ୍ଷା ପାଇଥାଏ।

ଘିକୁଆଁରୀ ରସ

ପ୍ରତିଦିନ ସକାଳେ ଅବା ସନ୍ଧ୍ୟାରେ ଥରଟିଏ ତ୍ୱଚାରେ କ୍ଷୀର ଓ ଘିକୁଆଁରୀ ରସ ମିଶାଇ ମସାଜ୍ କଲେ ଆକର୍ଷଣୀୟ ଲୁକ୍ ପାଇପାରିବେ।

ପାଣି ପ୍ରଚୁର ପିଅନ୍ତୁ

ଖରାଦିନେ ତ୍ୱଚା ଝାଉଁଳିବାର ସବୁଠୁ ବଡ଼ କାରଣ ହେଉଛି ଶରୀରରେ ଜଳୀୟ ଅଂଶର ଅଭାବ। ତେଣୁ ବିୟୁଟି ଟ୍ରିଟ୍ମେଣ୍ଟ୍ ବ୍ୟତୀତ ପ୍ରତିଦିନ ୮-୧୦ ଗ୍ଲାସ୍ ପାଣି ପିଇବା ଉଚିତ୍। ସବୁଜ ପନିପରିବା ଓ ଫଳ ପ୍ରଚୁର ମାତ୍ରାରେ ସେବନ କଲେ ତ୍ୱଚା ପାଇଁ ଆହୁରି ଭଲ।

Comment