ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ଆଦ୍ୟ ସନ୍ତକ ଥିଲେ ବଂଶୀଧର ପଣ୍ଡା। ଜଣେ ଅଗ୍ରଣୀ ଶିଳ୍ପପତି ଭାବରେ ସେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି।
ଖୋଦ ‘ଓଡ଼ିଶା ମାଟି’ର ଶିଳ୍ପପତି ଭାବରେ ସ୍ଵର୍ଗତ ବଂଶୀଧର ପଣ୍ଡାଙ୍କ ପରିଚୟ ରହିଛି। ତାଙ୍କ ପ୍ରତିଷ୍ଠିତ ଇଣ୍ଡିଆନ ମେଟାଲସ ଆଣ୍ଡ ଫେରୋ ଆଲଏଜ ବା ଇମ୍ଫା ଓଡ଼ିଶାର ଶିଳ୍ପ ଜଗତରେ ଏକ ବଡ଼ ନାଁ। ସେ ଥିଲେ ଜଣେ ବୈଜ୍ଞାନିକ ଓ ଗବେଷକ।
ଆମେରିକାରୁ ଫେରିବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଥେରୁବାଲିରେ ନିଜ ଶିଳ୍ପ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ୧୯୬୧ରେ ଇମ୍ଫା ପ୍ରତିଷ୍ଠା ହୁଏ। ବଂଶୀଧର ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ଇଲା ପଣ୍ଡାଙ୍କ ନୂଆ ନୂଆ ଚିନ୍ତାଧାରାକୁ ଭିତ୍ତି କରି କାର୍ଯ୍ୟ କରି ଆସିଥିବା ଏହି କମ୍ପାନି ବିଶ୍ୱସ୍ତରରେ ନାମ କମାଇଛି।
ଫେରୋ ଆଲଏଜ ଉତ୍ପାଦନ କ୍ଷେତ୍ରରେ ଇମ୍ଫାର ପ୍ରତିଷ୍ଠା ରହିଛି। ମାଇନିଂଠାରୁ ଆରମ୍ଭକରି ସ୍ମେଲଟିଂ ପର୍ଯ୍ୟନ୍ତ ଇମ୍ଫା ଏକକ ଭାବରେ ସବୁ କିଛି କରିଆସିଛି। ବଂଶୀଧର ଓ ଇଲା ପଣ୍ଡା ପରବର୍ତ୍ତୀ ସମୟରେ ଚିନ୍ତା କରନ୍ତି ଯେ ଲାଭ ବ୍ୟତୀତ କମ୍ପାନୀର ସାମାଜିକ ଦାୟିତ୍ୱ ବି ରହିଛି। ଏଇଥିପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଯୁବକଙ୍କୁ ତାଲିମ, ପରିମଳ ଓ ପାନୀୟ ଜଳ ତଥା ଭିତ୍ତିଭୂମିର ବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ଇମ୍ଫା କାର୍ଯ୍ୟ ଆରମ୍ଭ କରେ।
ସାହିତ୍ୟ, କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ବେଶ୍ କିଛି ଅବଦାନ ରହିଛି। ସାହିତ୍ୟ ପାଇଁ ଶାରଳା ପୁରସ୍କାର ଓ ଖେଳ ପାଇଁ ଏକଲବ୍ୟ ପୁରସ୍କାର ସେଥି ଭିତରୁ ଦୁଇଟି। ସାହିତ୍ୟ କ୍ଷେତ୍ରରେ ଶାରଳା ପୁରସ୍କାରକୁ ଏକ ସର୍ବମାନ୍ୟ ସ୍ୱୀକୃତି ବୋଲି ଧରାଯାଏ।
ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ଆଦ୍ୟ ସନ୍ତକ ଥିଲେ ବଂଶୀଧର ପଣ୍ଡା। ଜଣେ ଅଗ୍ରଣୀ ଶିଳ୍ପପତି ଭାବରେ ସେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି।
୧୯୩୧ରେ ଜନ୍ମିତ ବଂଶୀଧର ପଣ୍ଡାଙ୍କ ଦୁଇ ପୁଅଙ୍କ ଭିତରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବଡ଼ ଓ ଶୁଭ୍ରକାନ୍ତ ସାନ। ବୈଜୟନ୍ତ ରାଜନୀତିରେ ବେଶ୍ ସକ୍ରିୟ ଥିବା ବେଳେ ଶୁଭ୍ରକାନ୍ତ ଶିଳ୍ପ ପ୍ରତିଷ୍ଠାନର କାର୍ଯ୍ୟ ଦେଖାଶୁଣା କରିଥାନ୍ତି। ବଂଶୀଧର ପଣ୍ଡାଙ୍କ ଦୁଇ ଝିଅ ପାରମିତା ମହାପାତ୍ର ଓ ନିନା ଗଣପତି। ଓଡ଼ିଶାର ଶିଳ୍ପ ଜଗତରେ ସେ ଥିଲେ ଭୀଷ୍ମ ପିତାମହ। ସେତେବେଳେ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟ ଓ ମିସିଗାନ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ।
୨୦୧୫ରେ ରାଉରକେଲା ଏନଆଇଟି ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା। ତାଙ୍କ ସମୟରେ ଯେତେବେଳେ ଇଂଜିନିୟରମାନେ ପାଠ ପଢି ଚାକିରି ପଛରେ ଗୋଡ଼ାଉ ଥିଲେ, ବଂଶୀଧର ପଣ୍ଡା କିନ୍ତୁ ଶିଳ୍ପ ପ୍ରତିଷ୍ଠା କରି ଓଡ଼ିଶାର ସେବା କରିବା ପାଇଁ ନିଷ୍ପତ୍ତି ନେଲେ। ଓଡ଼ିଶାରେ ଶିଳ୍ପ ସ୍ଥାପନା ପାଇଁ ଯେଉଁ ମାନସିକ ପ୍ରତିବନ୍ଧକ ଥିଲା ତାହାକୁ ସେ ଭାଙ୍ଗିଥିଲେ।
ବଂଶୀଧର ଓ ତାଙ୍କ ପତ୍ନୀ ଇଲା ପଣ୍ଡା ଓଡ଼ିଶାର ଶିଳ୍ପ, ସଂସ୍କୃତି, ସାହିତ୍ୟ ଓ ସମାଜ ସେବା କ୍ଷେତ୍ରରେ ଯେଉଁ ଚିହ୍ନ ଛାଡ଼ି ଯାଇଛନ୍ତି ତାହା ଲିଭିବାର ନୁହେଁ। ଇଲା ପଣ୍ଡାଙ୍କର ୨୦୦୫ ମସିହାରେ ୭୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିଲା।