ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ଜାତୀୟ କାର୍ଯ୍ୟକର୍ତ୍ତାରେ ସ୍ଥାନ ପାଇଲେ ୪ ଓଡ଼ିଆ।

ନଡ୍ଡାଙ୍କ ନୂଆ ଟିମରେ ସ୍ଥାନ ପାଇଲେ ୪ ଓଡ଼ିଆ। ପୂର୍ବରୁ ରାଷ୍ଟ୍ରୀୟ ଉପ-ସଭାପତି ଥିବା ବୈଜୟନ୍ତ ପଣ୍ଡାଙ୍କ ସହିତ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସାଂସଦ ବିଶ୍ୱେଶ୍ୱର ଟୁଡୁ ବିଜେପିର ନୂଆ କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତା ଭାବେ ମନୋନୀତ ହୋଇଛନ୍ତି।

ଅମିତ ଶାହ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଗତ ଜାନୁଆରୀ ୨୦ ତାରିଖରେ ଜେପି ନଡ୍ଡା ଦଳର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ସେ ନିଜର ନୂଆ ଟିମ୍ ଘୋଷଣା କରିନଥିଲେ। ଅଧ୍ୟକ୍ଷ ହେବାର ନଅ ମାସ ପରେ ସେ ଆଜି ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି।

ନଡ୍ଡାଙ୍କ ଟିମରେ ୪ ଓଡ଼ିଆ

ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ିବାର ୯ ମାସ ପରେ ମାର୍ଚ୍ଚ ୪ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବାର ମାତ୍ର ୪ ଦିନ ଭିତରେ ତାଙ୍କ ଦଳର ରାଷ୍ଟ୍ରୀୟ ଉପ-ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ସେ ଦଳରେ ମିଶିବା ପରେ ଦଳ ଅଧିକ ସୁଦୃଢ଼ ହେବ ବୋଲି ସେତେବେଳେ ଦଳର ଅଧ୍ୟକ୍ଷ ଥିବା ଅମିତ ଶାହ କହିଥିଲେ। ଏହାପରେ ୨୦୧୯ ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ାରୁ ହାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଳର ରାଷ୍ଟ୍ରୀୟ ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ନଡ୍ଡାଙ୍କ ନୂଆ ଟିମରେ ମଧ୍ୟ ଉପସଭାପତି ଭାବେ ସାମିଲ୍ କରାଯାଇଛି।

ଡାକ୍ତର ସମ୍ବିତ ପାତ୍ର

ଜାତୀୟ ସ୍ତରର ବିଭିନ୍ନ ଟେଲିଭିଜନ ବିତର୍କରେ ବିଜେପିର ପକ୍ଷ ରଖୁଥିବା ସମ୍ବିତ ପାତ୍ର ମଧ୍ୟ ବିଜେପିର ନୂଆ ଟିମରେ ପୁଣି ନିଜର ସ୍ଥାନ ବଜାୟ ରଖିଛନ୍ତି। ଦଳ ପୂର୍ବଭଳି ତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛି। ଜାତୀୟ ଟେଲିଭିଜନରେ ନିଜର ବିତର୍କ ମାଧ୍ୟମରେ ବିରୋଧୀଙ୍କ ପାଟି ଚୁପ୍ କରିପାରୁଥିବାରୁ ଦଳ ତାଙ୍କୁ ପୁଣି ଏହି ପଦର ଦାୟିତ୍ୱ ଦେଇଛି।

ସାଂସଦ ଅପରାଜିତା ଷଡ଼ଙ୍ଗୀ

ଆଇଏଏସ୍ ଅଫିସରରୁ ଆସି ଏମପି ହୋଇଥିବା ଓଡ଼ିଆ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛି। ଆଜି ଘୋଷଣା ହୋଇଥିବା ୨୩ ଜାତୀୟ ମୁଖପାତ୍ରଙ୍କ ମଧ୍ୟରେ ସମ୍ବିତ ପାତ୍ରଙ୍କ ସହ ଦ୍ୱିତୀୟ ଓଡ଼ିଆ ଭାବେ ଅପରାଜିତା ସ୍ଥାନ ପାଇଛନ୍ତି।

ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅପରାଜିତା ଶାସକ ଦଳକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ ଦଳ ଜାତୀୟ ମୁଖାପାତ୍ର ଦାୟିତ୍ୱ ଦେଇଥିବା କୁହାଯାଉଛି।

ସାଂସଦ ବିଶ୍ୱେଶ୍ୱର ଟୁଡୁ

ଗତ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ମୋଟ ୮ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ। ସେମାନଙ୍କ ଭିତରେ ରହିଥିଲେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ। ଦଳ ଆଜି ତାଙ୍କୁ କେନ୍ଦ୍ରୀୟ ସ୍ତରରେ ରାଷ୍ଟ୍ରୀୟ ମନ୍ତ୍ରୀ ଭାବେ ନିଯୁକ୍ତ କରିଛି। ତାଙ୍କୁ ମିଶାଇ ବିଜେପି ଆଜି ମୋଟ ୪ ଜଣ ଓଡ଼ିଆଙ୍କୁ ନିଜର କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତାରେ ସାମିଲ୍ କରିଛନ୍ତି।

ଏହାପୂର୍ବରୁ ମଧ୍ୟ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ନିଯୁକ୍ତ ହୋଇ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି।

Comment