ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଆଇପିଏଲ୍‌ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ୍‌ ତାଲିକାର ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥିବା କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି ଏଲିମିନେଟର ମ୍ୟାଚ୍‌ ଖେଳାଯିବ।

ବହୁ କଷ୍ଟରେ ରାଜସ୍ଥାନ ରୟାଲ୍‍ସ ଆଇପିଏଲ୍‍-୧୧ର ପ୍ଲେଅଫ୍‍ରେ ସ୍ଥାନ ସୁରକ୍ଷିତ କରିପାରିଛି। ଏବେ ଏହାର ମୁକାବିଲା ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଫେଭରିଟ୍‍ ଦଳ କଲକାତା ନାଇଟ ରାଇଡର୍ସ (କେକେଆର୍‍) ବିରୋଧରେ। ଆଜି ଏଲିମିନେଟରରେ ଇଡେନ୍‍ ଗାର୍ଡେନ୍‍ସରେ ଘରୋଇ କଲକାତା ସହ ମୁକାବିଲା କରିବ ରାଜସ୍ଥାନ।

ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ପାଇଁ ଚଳିତ ବର୍ଷର ସବୁଠାରୁ ବଡ଼ ପରୀକ୍ଷା ହେବ। କାରଣ ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପର ବିପକ୍ଷରେ ଖେଳିଥିବା ଦୁଇଟି ଯାକ ମୁକାବିଲାରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିଜୟୀ ହୋଇଛି।

କଲକାତା ନାଇଟ ରାଇଡର୍ସ ଦଳ ଆଶା ରଖିଛି ଯେ ରାଜସ୍ଥାନର ରାସ୍ତା ରୋକି ଏହି ଗ୍ରାଉଣ୍ଡରେ ହିଁ କ୍ୱାଲିଫାୟର-୨ ଖେଳିବ। ଆଜିର ମ୍ୟାଚ୍‍ରେ କଲକାତା ହିଁ ଫେଭରିଟ୍‍। କାରଣ ଉଭୟ ଲିଗ୍‍ ମ୍ୟାଚ୍‍ରେ ରାଜସ୍ଥାନକୁ କଲକାତା ସହଜରେ ପରାସ୍ତ କରିଥିଲା। ଉଭୟ ମ୍ୟାଚ୍‍ରେ କଲକାତା ହିଁ ରନ୍‍ର ପିଛା କରିଥିଲା ଏବଂ ଉଭୟ ମ୍ୟାଚ୍‍ରେ ଅଧିନାୟକ ଦିନେଶ କାର୍ତ୍ତିକ ଭଲ ଇନିଂସ ଖେଳିବା ସହ କେକେଆର୍‍ ସ୍ପିନର ଭଲ ବୋଲିଂ କରିଥିଲେ।

ଚମତ୍କାର ପ୍ରଦର୍ଶନ ଜରିଆରେ ୧୪ରୁ ୮ଟି ମ୍ୟାଚ୍‍ ଜିତି କେକେଆର୍‍ ପ୍ଲେଅଫ୍‍ରେ ପହଞ୍ଚିଥିବା ବେଳେ ଲିଗ୍‍ ପର୍ଯ୍ୟାୟର ଅନ୍ତିମ ଦିନ ମୁମ୍ବଇ ଇଣ୍ଡିଆନ୍‍ସ ଓ କିଙ୍ଗ୍‍ସ ଏକାଦଶ ପଞ୍ଜାବର ପରାଜୟ ଯୋଗୁଁ ହିଁ ରାଜସ୍ଥାନ ପ୍ଲେଅଫ୍‍ରେ ସ୍ଥାନ ପାଇ ପାରିଥିଲା। ରାଜସ୍ଥାନ ତା’ର ସର୍ବାଧିକ ରନ୍‍ ସ୍କୋରର ଜୋସ୍‍ ବଟ୍‍ଲର ଓ ଆଇପିଏଲ୍‍-୧୧ର ସବୁଠାରୁ ଦାମୀ ଖେଳାଳି ବେନ୍‍ ଷ୍ଟୋକ୍‍ସଙ୍କ ଅନୁପସ୍ଥିତି ସତ୍ତ୍ବେ ଶକ୍ତିଶାଳୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତକରି ଏହାକୁ ବିଦାୟଦେବା ସହ ପ୍ଲେଅଫ୍‍ରେ ପହଞ୍ଚିଛି ରାଜସ୍ଥାନ।

Comment