ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜଗନ୍ନାଥ ମନ୍ଦିରରେ ଭକ୍ତ ଏବଂ ସେବାୟତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ୨ଟି ସିସିଟିଭି ଲାଗିଛି। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହେବ।

ଶ୍ରୀମନ୍ଦିର ଜଗମୋହନରେ ଲାଗିଲା ୨ଟି ସିସିଟିଭି। ଜୟ ବିଜୟ ଦ୍ୱାରକୁ ମୁହଁ କରି ଗୋଟିଏ ସିସିଟିଭି ଲାଗିଥିବା ବେଳେ ଆଉ ଗୋଟିଏ ବେହରଣ ଦ୍ୱାରକୁ ମୁହଁ କରି ଲଗାଯାଇଛି। ଏହି ଦୁଇଟି ସିସିଟିଭି ଭକ୍ତ ଏବଂ ସେବାୟତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବ। ଶୁକ୍ରବାରଠାରୁ ସିସିଟିଭି କାର୍ଯ୍ୟକ୍ଷମ ହେବ।

ଭକ୍ତମାନେ ଯେଉଁ ସମୟରେ ଜଗମୋହନରେ ପ୍ରବେଶ କରିବେ ସେହି ସମୟରେ ହିଁ ସିସିଟିଭି କାମ କରିବ। ପୂଜାନୀତି ସମୟରେ ସିସିଟିଭିକୁ ବନ୍ଦ ରଖାଯିବ। ସେହିପରି ଅଣସର ଏବଂ ଅନ୍ୟ ଗୁପ୍ତ ନୀତି ସମୟରେ ସିସିଟିଭି ବନ୍ଦ ରହିବ।

ଶ୍ରୀମନ୍ଦିରରେ ସେବାୟତମାନେ ଭକ୍ତମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ବିଭିନ୍ନ ସମୟରେ ହେଉଥିଲା। ହେଲେ ଏନେଇ କୌଣସି ସତ୍ୟାସତ୍ୟ ଜଣାପଡ଼ୁ ନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା। ଭକ୍ତ କି ସେବାୟତ କାହାର ଭୁଲ୍ ତାହା ଜଣାପଡ଼ୁ ନଥିଲା। ହେଲେ ଏଭଳି ଅଭିଯୋଗ ବାରମ୍ବାର ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ନିକଟରେ ମହାରାଷ୍ଟ୍ରରୁ ଆସିଥିବା ଜଣେ ମହିଳା ଭକ୍ତଙ୍କୁ ସେବାୟତ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଦର୍ଶନ ପରେ ଦକ୍ଷିଣାକୁ କେନ୍ଦ୍ର କରି ସେବାୟତ ଦୁର୍ବ୍ୟବହାର କରିଥିବା ଭକ୍ତ ଅଭିଯୋଗ କରିଥିଲେ। ଏପରିକି ତାଙ୍କ ସୁନା ଚେନ ଛିଣ୍ଡାଇବା ପାଇଁ ସେବାୟତ ଉଦ୍ୟମ କରିଥିଲେ ବୋଲି ଭକ୍ତ ଅଭିଯୋଗରେ ଦର୍ଶାଇଥିଲେ।

Comment