ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ଗର୍ଭବତୀ ନାରୀର ଶରୀରରେ କେଉଁ ସମୟରେ କ’ଣ ପରିବର୍ତ୍ତନ ହୋଇଥାଏ ଏବଂ ସେହି ସମୟରେ ମାଆର କି ଯତ୍ନ ଦରକାର ତାହା ଜାଣିବା ଆସନ୍ତୁ।

ପ୍ରଥମ ମାସ

ମାସିକ ଋତୁସ୍ରାବ ବନ୍ଦ ହୋଇଯିବା ପରେ ବାନ୍ତି ଲାଗିଥାଏ ଓ ପ୍ରତ୍ୟୁଷ କ୍ଲାନ୍ତି ପାଇଁ ହାଲିଆ ଲାଗିଥାଏ। ବେଳେ ବେଳେ ତଳିପେଟରେ ବ୍ୟଥା ହୋଇ ମାସିକ ଋତୁସ୍ରାବ ଆସିଯିବାର ଭୟ ଥାଏ। ଏହି ସମୟରେ କ୍ଳାନ୍ତି ଲାଗେ ଏବଂ ଅଳ୍ପ କିଛି କାମ କଲେ ମଧ୍ୟ ବ୍ୟସ୍ତ ଲାଗିଥାଏ।

ଏଇ ସମୟରେ ଗର୍ଭଫୁଲ ତିଆରି ହେଉଥିବାରୁ ଏଥିରୁ ଅନ୍ତଃସ୍ରାବୀ ରସ ଝରିଥାଏ ଏବଂ ୯ ମାସ ଗର୍ଭଧାରଣ ପାଇଁ ମା’ର ଜରାୟକୁ ପ୍ରସ୍ତୁତ କରିଥାଏ।

  • ଦୁଇଟି ଯାକ ସ୍ତନ ଦରଜ ହୋଇଥାଏ।
  • ଗର୍ଭବଢ଼ିବା ସଙ୍ଗେ ସଙ୍ଗେ ଜରାୟୁର ଆକାର ମଧ୍ୟ ବଢ଼ିବାରେ ଲାଗେ, କିନ୍ତୁ ମା’ କିଛି ଅନୁଭବ କରିପାରେ ନାହିଁ।
  • ଏଇ ସମୟରେ ଓଜନ ବଢ଼େନାହିଁ କି ଶରୀରର ଆକାର ମଧ୍ୟ ବଢ଼େ ନାହିଁ।

ଗର୍ଭର ଏକ ମାସ ସମୟରେ ମା’ର ଯତ୍ନ

  • ଗର୍ଭର ଏକମାସ ମଧ୍ୟରେ ଏକ୍ସରେ କରିବେ ନାହିଁ। ଏଥିରେ ଶିଶୁ ବିକଳାଙ୍ଗ ହେବାର ଭୟଥାଏ।
  • ସିଗ୍ରେଟ୍, କଫି, ଧୂମପାନ, ତମାଖୁସେବନ ଓ ମଦ୍ୟପାନ ଇତ୍ୟାଦି କରନ୍ତୁ ନାହିଁ।
  • ଚା’ କଫି ଓ ମୃଦୁପାନୀୟ ବର୍ଜନ କରନ୍ତୁ।
  • ନିଜ ସ୍ୱାମୀଙ୍କ ସହ ଗର୍ଭାବସ୍ଥା କିପରି ଓ କେଉଁଠି କଟାଇବେ ସ୍ଥିର କରନ୍ତୁ।
  • ଫଲିକ୍‌ ଏସିଡ୍ ଖାଆନ୍ତୁ।

ଦ୍ୱିତୀୟ ମାସ

  • ଏହି ସମୟରେ ପ୍ରତ୍ୟୁଷ କ୍ଲାନ୍ତି ଓ ମୁଣ୍ଡ ବୁଲାଇବା ଅତିରିକ୍ତ ବଢ଼ିଯାଏ।
  • ଅତିରିକ୍ତ ବାନ୍ତି ହୋଇଥାଏ ଏବଂ ବାନ୍ତି ଲାଗିଥାଏ।
  • କେତେକ ଖାଦ୍ୟପଦାର୍ଥର ଆଘ୍ରାଣ ଶକ୍ତି ବଢ଼ାଇ ଦେଇଥାଏ।
  • ସ୍ତନ ଅତିରିକ୍ତ ଦରଜ ହୋଇଥାଏ ଓ ଚିନ୍ ଚିନ୍ ଲାଗେ।
  • ଏହି ସମୟରେ ବେଳେବେଳେ ଭୋକ ଲାଗିଥାଏ। ଧଳା ସ୍ରାବ ହେବା ସହ ଜଣଜଣଙ୍କର ରକ୍ତସ୍ରାବ ମଧ୍ୟ ହୋଇଥାଏ।

ଗର୍ଭର ଦ୍ୱିତୀୟ ମାସରେ ମା’ର ଯତ୍ନ

  • ସୁଷମ ଖାଦ୍ୟ ଯଥା ତଟକା ଫଳମୂଳ, ପନିପରିବା ଖାଇବା ଉଚିତ।
  • କ୍ଲାନ୍ତି ଲାଗିଲେ ବେଶୀ ସମୟ ବିଶ୍ରାମ ନେବା ଭଲ।
  • ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଉଚିତ। ତେବେ ଫଲିକ୍‌ ଏସିଡ୍‌ ଖାଇବା ଅତି ଜରୁରୀ।
  • ଅନ୍ୟ କିଛି ବିପଦପୂର୍ଣ୍ଣ ବା ହାଇରିସ୍କ ପ୍ରେଗ୍‌ନାନ୍ସି ହେଲେ, ହାଲୁକା ବ୍ୟାୟାମ କରିବା ଉଚିତ୍।

ତୃତୀୟ ମାସ

  • ଗର୍ଭର ତୃତୀୟ ମାସରୁ ମା’ର ଓଜନ ବଢ଼ିଯାଏ।
  • ଅନ୍ତଃସ୍ରାବୀ ରସର ପ୍ରଭାବରୁ ଅଜୀର୍ଣ୍ଣ, ପେଟ ଫମ୍ପାଇବା ତଥା ଅମ୍ଳ ଓ ଛାତି ଜଳିବା ଆଦି ଲକ୍ଷଣମାନ ଦେଖାଦେଇଥାଏ।
  • ଏଇ ସମୟରେ ମୁଣ୍ଡ ବୁଲାଇବା କମିଯାଇଥିଲେ ମଧ୍ୟ ପ୍ରତ୍ୟୁଷ କ୍ଲାନ୍ତି ଓ ହାଲିଆ ଲାଗିବା କମିନଥାଏ।
  • ତେଣୁ ଅଳ୍ପ କାମ କରି ବେଶୀ ବିଶ୍ରାମ ନେବା ଉଚିତ୍।

ଗର୍ଭର ତୃତୀୟ ମାସରେ ମା’ର ଯତ୍ନ

  • ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପାଖକୁ ଯାଇ ଚେକ୍‌ଅପ୍‌ କରାଇ ନେବା ଉଚିତ୍।
  • ସୁଷମ ଖାଦ୍ୟ ଖାଇବା ଉଚିତ୍।
  • ଦିନକୁ ଅତି କମ୍‌ରେ ୮ ଗ୍ଲାସ ପାଣି ପିଇବେ।
  • ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ୍‌ ଅନୁଯାୟୀ ଔଷଧ ଖାଇବା ଉଚିତ୍।
  • ଗର୍ଭଧାରଣର ୩ ମାସ ସମୟରେ ଘର ରଙ୍ଗ ଲଗାଇବା କିମ୍ବା କୀଟନାଶକ ଔଷଧ ପାଖରେ ରଖିବା ଠିକ୍ ନୁହେଁ।
  • ୧୫-୩୦ ମିନିଟ୍ ଯାଏ ହାଲୁକା ବ୍ୟାୟାମ କରିବା ଉଚିତ।

(ସୌଜନ୍ୟ – ଗର୍ଭବତୀ ନାରୀର ଯତ୍ନ)

Comment