ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଫଟୋ ସୌଜନ୍ୟ: ଗୁଗୁଲ୍‍)

ଲଗାତାର ୯ଟି ଫୁଟବଲ୍‌ ବିଶ୍ୱକପ୍‌ ବେଳେ ଦର୍ଶକ ଗ୍ୟାଲେରିରେ ବସି ଖାସ୍‍ ଅନୁଭୂତି ହାସଲ କରିଥିବା ବଙ୍ଗୀୟ ଦମ୍ପତି ଏବେ ୯୦ ବର୍ଷ ବୟସରେ ଖେଳ ଦେଖିବାକୁ ବାହାରିଛନ୍ତି ରୁଷ୍‌।

ପାନ୍ନାଲାଲ ଚାଟ୍ଟାର୍ଜୀ। ବୟସ ୮୫। ଚୈତାଳି ଚାଟ୍ଟାର୍ଜୀ। ବୟସ ୭୬। ଏହି ବଙ୍ଗୀୟ ଦମ୍ପତିଙ୍କୁ ଘାରିଛି ଫୁଟବଲ ନିଶା। ଟେଲିଭିଜନ ପରଦାରେ ଫିଫା ବିଶ୍ୱକପ୍‌ ଫୁଟବଲ ମ୍ୟାଚ ଦେଖି ମନ ବୁଝେନି ସେମାନଙ୍କର। ଗ୍ୟାଲେରିରେ ବସି ପଡ଼ିଆରେ ଲାଇଭ୍‌ ଫୁଟବଲ ମ୍ୟାଚ ଦେଖିବାର ଇଚ୍ଛା ଏହି ଦମ୍ପତିଙ୍କୁ ଦେଇଛି ଏକ ନୂଆ ପରିଚୟ। ପାନ୍ନାଲାଲ ଓ ଚୈତାଳି ଏହି ପରିଣତ ବୟସ ସତ୍ତ୍ୱେ ଟିକେଟ କାଟିଛନ୍ତି ଚଳିତ ମାସ ୧୪ ତାରିଖରୁ ରୁଷ୍‌ରେ ହେଉଥିବା ୨୧ତମ ୱାର୍ଲଡ୍‌ କପ୍‌ ଫୁଟବଲର ଲାଇଭ୍‌ ଅଡିଆନ୍ସ ହେବା ପାଇଁ।

୧୯୮୨ ମସିହାରେ ଟେଲିଭିଜନ ପରଦାରେ ସ୍ପେନରେ ଅନୁଷ୍ଠିତ ୱାର୍ଲଡ୍‍ କପ୍‌ ଫୁଟବଲ ଦେଖି ଏମାନଙ୍କ ମନରେ ଆସିଥିଲା ଏହି ନିଶା। କଲିକତାରେ ରହୁଥିବା ଏହି ଦମ୍ପତି ଆଉ ଟେଲିଭିଜନ ପରଦାରେ ଫୁଟବଲର ମଜା ନେବା ଅପେକ୍ଷା ପଡ଼ିଆର ବାସ୍ନା ପାଇଁ ମନ ବଳାଇଥିଲେ। ଗତ ୱାର୍ଲଡ୍‌ କପ୍‌କୁ ମିଶାଇ ଲଗାତାର ୯ଟି ବିଶ୍ୱ ୱାର୍ଲଡ୍‌ କପ୍‌ ଫୁଟବଲ ଖେଳକୁ ସେମାନେ ଦର୍ଶକ ଗ୍ୟାଲେରିରେ ବସି ଉପଭୋଗ କରିବାର ସୁଯୋଗ ଅର୍ଜନ କରିଛନ୍ତି। ଚଳିତ ୱାର୍ଲଡ୍‌ କପ୍‌ ହେବ ସେମାନଙ୍କର ୧୦ମ ଅନ୍ତରଙ୍ଗ ଅନୁଭୂତି।

(ଫଟୋ ସୌଜନ୍ୟ: ଗୁଗୁଲ୍‍)

ଏକ ମଧ୍ୟବିତ୍ତ ପରିବାର ହୋ‍ଇଥିବାରୁ ପାନ୍ନାଲାଲ ଓ ଚୈତାଳିଙ୍କୁ ବିଭିନ୍ନ ଦେଶରେ ହେଉଥିବା ବିଶ୍ୱକପ୍‌ ଫୁଟବଲ ଦେଖିବାକୁ ଯିବା ଆର୍ଥିକ ଦୃଷ୍ଟିରୁ ଏତେ ସହଜ ନୁହେଁ। ତେବେ ଏହି ଦମ୍ପତି ନିଜର ଫୁଟବଲ ନିଶାକୁ ବାସ୍ତବ ରୂପ ଦେବା ପାଇଁ ଚାରି ବର୍ଷ ଧରି ପେଟରୁ କାଟି ପ‌ଇସା ସଞ୍ଚୟ କରିଥା’ନ୍ତି। ପୃଥିବୀର ଯେ କୌଣସି କୋଣରେ ହେଉ ନା କାହିଁକି ପ୍ରତି ଚାରି ବର୍ଷରେ ଥରେ ବିଶ୍ୱକପ୍‌ ବୁଲି ଆସିଲେ ସେମାନଙ୍କ ମନ ଭରେ। ଚଳିତ ବର୍ଷ ୱାର୍ଲଡ୍‌ କପ୍‌ ଦେଖିବା ପାଇଁ ସେମାନଙ୍କ ଯିବାଆସିବା, ରହଣି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଲାଗି ସେମାନେ ୫ ଲକ୍ଷ ଟଙ୍କାର ବଜେଟ୍‌ କରିଛନ୍ତି।

ପରବର୍ତ୍ତୀ ଫୁଟବଲ ବିଶ୍ୱକପ୍‌ ୨୦୨୨ ମସିହାରେ କତାରରେ ହେବାକୁ ଯାଉଛି। ତେବେ ସେତେବେଳକୁ ପାନ୍ନାଲାଲଙ୍କ ବୟସ ୯୦ ହୋ‍ଇଯାଇଥିବ ଏବଂ ଚୈତାଳିଙ୍କୁ ୮୦ ଉପରେ। ତେଣୁ ସ୍ୱାସ୍ଥ୍ୟ ଅବସ୍ଥା ଦୃଷ୍ଟିରୁ ସେମାନେ ହୁଏତ ଏହି ବିଶ୍ୱକପ୍‍ ଫୁଟବଲର ପ୍ରତ୍ୟକ୍ଷ ଅନୁଭବ ପଡ଼ିଆର ଅତି ନିକଟରେ ବସି ନେଇପାରିବେ ନାହିଁ। ଏହି କଥା ଭାବି ମନ ଦୁଃଖ କରୁଛନ୍ତି ବଙ୍ଗୀୟ ଦମ୍ପତି।

ଚଳିତ ଫୁଟବଲ ବିଶ୍ୱକପ୍‍ ମ୍ୟାଚଗୁଡ଼ିକ ରୁଷ୍‌ର ବିଭିନ୍ନ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ତେଣୁ ଏହି ଦମ୍ପତି ରୁଷ୍‌ର ଦୂତାବାସ ଏବଂ ଫିଫା ବିଶ୍ୱକପ୍‌ ପରିଚାଳନା କମିଟିକୁ ସେମାନଙ୍କୁ ଯଥେଷ୍ଟ ସଂଖ୍ୟାରେ ଟିକେଟ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ କେବଳ ତିନୋଟି ଟିକେଟ କିଣିବାକୁ ସକ୍ଷମ ହୋ‍ଇଛନ୍ତି। ସେମାନଙ୍କ ଆଶା ଫିଫା ପକ୍ଷରୁ ସେମାନଙ୍କୁ ଟିକେଟ ମିଳିବ।

ଫିଫା ପକ୍ଷରୁ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋ‌ଇଥିଲା ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ। ସେତେବେଳେ କଲିକତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାନ୍ନାଲାଲ ଓ ଚୈତାଳିଙ୍କୁ ମିଳିଥିଲା ଭବ୍ୟ ସ୍ୱାଗତ। ଫିଫା ଆୟୋଜକ କମିଟି ସେମାନଙ୍କୁ ଗାଡ଼ି ପଠାଇ ନେବା ସହ ସେମାନଙ୍କ ପାଇଁ ପ୍ରମୁଖ ଗ୍ୟାଲେରିରେ ସିଟ୍‌ ଆୟୋଜନ, ରାତ୍ରିଭୋଜନ ଓ ମିଡିଆ କଭରେଜର ବ୍ୟବସ୍ଥା କରିଥିଲେ। ଫୁଟବଲ ପ୍ରତି ସେମାନଙ୍କ ଭଲ ପାଇବା ବିରଳ ବୋଲି ଫିଫା ପକ୍ଷରୁ ଏହି ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

(ଫଟୋ ସୌଜନ୍ୟ: ଗୁଗୁଲ୍‍)

୧୯୮୬ ବିଶ୍ୱକପ୍‌ ଫୁଟବଲ୍‌ ବେଳେ ଦର୍ଶକ ଗ୍ୟାଲେରିରେ ବସି ଫୁଟବଲର ମହାରାଜା ଡିଏଗୋ ମାରାଡୋନାଙ୍କ ଚାଲ୍‌ ଦେଖିବା ଚୈତାଳିଙ୍କ ପାଇଁ ଥିଲା ଏକ ବିରଳ ଅନୁଭବ। ମାରାଡୋନାଙ୍କ ଗୋଡ଼ରେ ଥରେ ବଲ୍‌ ଲାଗିଲେ ସେ କିଭଳି ତାଙ୍କର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ହତବାକ କରିଦେଉଥିଲେ ସେକଥା ଚୈତାଳିଙ୍କର ଏବେବି ବେଶ୍‌ ସ୍ପଷ୍ଟ ମନେଅଛି। ଗତ ୩୬ ବର୍ଷ ମଧ୍ୟରେ ୯ଟି ବିଶ୍ୱକପ୍‌ ଫୁଟବଲ୍‍ ମ୍ୟାଚ ଏହି ଦମ୍ପତିଙ୍କୁ ଯେଉଁ ଅନୁଭୂତି ଦେଇଛି ତାହା ସେମାନେ ବର୍ଣ୍ଣନା କରିବା ଆରମ୍ଭ କଲେ କଥା ସରେନାହିଁ। ପାନ୍ନାଲାଲ ଓ ଚୈତାଳି ବ୍ରାଜିଲ ଦଳର ଡାଏହାଡ୍‌ ଫ୍ୟାନ୍‌।

ଲଗାତାର ଭାବେ ୯ଟି ବିଶ୍ୱକପ୍‍ ଫୁଟବଲ ବେଳେ ଦର୍ଶକ ଗ୍ୟାଲେରିରେ ବସିବା ବାସ୍ତବରେ ସହଜ କଥା ନୁହେଁ। ତେଣୁ ଏହାକୁ ଭଗବାନଙ୍କର ଏକ ଆଶୀର୍ବାଦ ବୋଲି ବିଶ୍ୱାସ କରନ୍ତି ଏହି ଦମ୍ପତି। ୨୦୧୪ରେ ବ୍ରାଜିଲରେ ହୋ‌ଇଥିବା ବିଶ୍ୱକପ୍‌ ତାଙ୍କ ଜୀବନର ଶେଷ ଅନୁଭୂତି ହେବ ବୋଲି ସେମାନେ ଭାବୁଥିଲେ। ତେବେ ୨୦୧୮ ରୁଷ୍‌ ବିଶ୍ୱକପ୍‌ ସେମାନଙ୍କ ପାଇଁ ଏବେ ଆଣିଦେଇଛି ନୂଆ ଆଶା।

୨୦୧୪ରେ ସେମାନଙ୍କ ଏହି ଫୁଟବଲ ନିଶା ଫିଫା କମିଟିକୁ ଚକିତ କରିଦେଇଥିଲା। ତେଣୁ କମିଟି ଏହି ଦମ୍ପତିଙ୍କୁ ବ୍ରାଜିଲରେ ମାଗଣାରେ ରହିବାକୁ ସୁବିଧା କରିଥିଲେ। ତା’ ସହିତ ବ୍ରାଜିଲର ଏକ ଟେଲିଭିଜନ ସଂସ୍ଥା ସେମାନଙ୍କ ପାଇଁ ଟିକେଟ ଯୋଗାଇ ଦେଇଥିଲେ। ସେତେବେଳେ ପାନ୍ନାଲାଲ ଓ ଚୈତାଳିଙ୍କ ଏହି ୱାର୍ଲଡ୍‌ କପ୍‌ ଲଭ୍‌ ଷ୍ଟୋରି କେବଳ ବ୍ରାଜିଲରେ ନୁହେଁ, ଦେଶବିଦେଶର ମିଡିଆରେ ଛାଇ ଯାଇଥିଲା। ତା’ ସାଙ୍ଗକୁ ଫିଫା ୱେବସାଇଟ୍‌ରେ ମଧ୍ୟ ସେମାନଙ୍କ କାହାଣୀ ସ୍ଥାନ ପାଇ ବିଶ୍ୱ କ୍ରୀଡ଼ାପ୍ରେମୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଚଳିତ ବର୍ଷ ଜୁନ୍‌ ୧୪ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ରୁଷ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱକପ୍‌ ଫୁଟବଲ୍‌। ଏଥିରେ ୩୨ଟି ଦେଶର ଟିମ୍‌ ଭାଗ ନେବେ। ରୁଷ୍‌ର ୧୧ଟି ସହରର ୧୨ଟି ଭେନ୍ୟୁରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଐତିହାସିକ ବିଶ୍ୱ କ୍ରୀଡ଼ା ମହୋତ୍ସବ।

Comment