ଓଡ଼ିଶାଲାଇଭ୍‌  ବ୍ୟୁରୋ

ରଜ ଡ୍ରେସ୍ କିଣିବାକୁ ବାପା ଟଙ୍କା ନଦେବାରୁ ବେକରେ ରଶି ଲଗାଇ ଝୁଲିଗଲା ଝିଅ।

ଆଉ ଦୁଇଦିନ ପରେ ପହିଲି ରଜ। ରଜରେ ସଜବାଜ ହୋଇ ଗାଁ ବୁଲିବାକୁ ମନ କରିଥିଲା ଝିଅ। କିନ୍ତୁ ବାପା ନୂଆ ଡ୍ରେସ୍ କିଣିବା ପାଇଁ ଟଙ୍କା ଦେବାକୁ ମନା କରିଦେବାରୁ ୧୨ ବର୍ଷର ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର ପଞ୍ଚାୟତର ବୀରସ୍ୱତୀ ଗାଁରେ।

ବୀରସ୍ୱତୀ ଗାଁର ପ୍ରଫୁଲ୍ଲ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳିଯାଏ। ଦୁଇ ଦିନ ତଳେ ଝିଅ ବାପାଙ୍କୁ ଡ୍ରେସ୍ କିଣିବା ପାଇଁ ଟଙ୍କା ମାଗିଥିଲା। ହେଲେ ବାପା ଟଙ୍କା ଦେବାକୁ ମନା କରିଦେଇଥିଲେ। ଶେଷରେ ଆଜି ଘରେ କେହି ନଥିବା ବେଳେ ଝିଅ ବେକରେ ରଶି ଲଗାଇ ଝୁଲି ଯାଇଥିଲା।

ଝିଅ ମରିବା ପରେ ବି ଦୁଃଖ ପିଛା ଛାଡ଼ି ନଥିଲା। ଝୁଲନ୍ତା ଅବସ୍ଥାରେ ଝିଅକୁ ଉଦ୍ଧାର କରି ପରିବାର ଲୋକ ମେଡିକାଲ ଯାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ କରିବା ପାଇଁ ୭୦୦ ଟଙ୍କା ଦାବି କରିଥିଲେ।

ସରକାରୀ ମେଡିକାଲରେ ପୋଷ୍ଟମର୍ଟମ ମାଗଣା କରାଯାଉଥିବା ବେଳେ ଝିଅର ବାପା କିନ୍ତୁ ୭୦୦ ଟଙ୍କା ଗଣିଥିଲେ। ଝିଅର ଡ୍ରେସ୍ ପାଇଁ ଟଙ୍କା ଦେବା ପାଇଁ ମନା କରିଥିବା ବାପା ଶେଷରେ ପୋଷ୍ଟମର୍ଟମ ପାଇଁ ଟଙ୍କା ଗଣି ଦୁଃଖରେ ଭାଙ୍ଗି ପଡ଼ିଛି।

“ସରକାରୀ ହସ୍ପିଟାଲରେ ପୋଷ୍ଟମର୍ଟମ ବିନା ମୂଲ୍ୟରେ କରାଯାଉଛି। ଯେଉଁ ଅଭିଯୋଗ ଆସିଛି ତାର ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ସିଡିଏମ୍‌ଓ ବୈଷ୍ଣବ ଚରଣ ସାହୁ।

LEAVE A REPLY

Please enter your comment!
Please enter your name here