ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଏବେ କେନ୍ଦ୍ରାପଡ଼ା ଜିଲ୍ଲାକୁ କାବୁ କରିବାକୁ ବସିଲାଣି। ଜିଲ୍ଲାରେ ସଙ୍ଗରୋଧକେନ୍ଦ୍ର ବ୍ୟତୀତ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ଵଢୁଥିବାରୁ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିଛି। ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ ଆଜି ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୪ ଜଣ ପଜିଟିଭଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ।

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଜିଲ୍ଲାର କୋଭିଡ ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୩୮୯ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୩ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୭୩ଟି ଆକ୍ଟିଭ କେସ୍‌ ରହିଛି। ଏପର୍ଯ୍ୟନ୍ତ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

CGU newଆଜି ଜିଲ୍ଲାରେ ୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗରଦପୁର ବ୍ଲକରେ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକରେ ଜଣେ ସଙ୍ଗରୋଧକେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ। ସେହିପରି ଡେରାବିଶ ବ୍ଲକରେ ଜଣେ ସଙ୍ଗରୋଧରୁ ମିଳିଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଳି ବ୍ଲକରେ ୪ ଜଣ ସଙ୍ଗରୋଧକେନ୍ଦ୍ରରୁ ମିଳିଥିବା ବେଳେ କେନ୍ଦ୍ରାପଡ଼ା ବ୍ଲକରୁ ଜଣେ ସଙ୍ଗରୋଧରୁ ମିଳିଛନ୍ତି। କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ୭ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ରିପୋର୍ଟରେ କୁହାଯାଇଛି।

ଏଥିପାଇଁ ଜିଲ୍ଲା ପ୍ରଶାସନ ଡେରାବିଶ ବ୍ଲକର ବାଲିଆ ଗାଁରେ ୪୦ଟି ପରିବାର ଓ ଗୋଲରହାଟ ପଞ୍ଚାୟତର ଦୁମୁକା ଗାଁରେ ୨୫୦ ପରିବାର ଥିବା ଅଞ୍ଚଳକୁ ୭ ଦିନିଆ ସଟଡାଉନ୍ ଘୋଷଣା କରିଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତର ନାରାୟଣପୁର ଗାଁରେ ୩୦ ଟି ପରିବାରଥିବା ଅଞ୍ଚଳକୁ ୭ ଦିନିଆ ସଟଡାଉନ୍ କରାଯାଇଛି। କେନ୍ଦ୍ରାପଡା ପୌରାଞ୍ଚଳର ୧୪ ଓ ୧୬ ନମ୍ବର ୱାର୍ଡର ୪୨ଟି ପରିବାର ଥିବା ଅଞ୍ଚଳକୁ ୭ ଦିନିଆ ସଟଡାଉନ୍ କରାଯାଇଛି। ଆଳି ବ୍ଲକର ଅରେହିକଣା ପଞ୍ଚାୟତର କୁମ୍ଭାରଟୁଙ୍ଗା ଗାଁରେ ୨୫୧ ପରିବାରଥିବା ଅଞ୍ଚଳକୁ  କଣ୍ଟେନମେଣ୍ଟ ଜୋନ ଘୋଷଣା କରି ୭ ଦିନିଆ ସଟଡାଉନ୍ କରାଯାଇଛି। ଏହି ସବୁ ଅଞ୍ଚଳରେ ଘରକୁ ଘର ବୁଲି କଣ୍ଟାକ୍ଟ ଟ୍ରେସିଂ ଓ ସାନିଟାଇଜ କରାଯାଉଛି।

କେନ୍ଦ୍ରାପଡା ସହରର ଇଛାପୁର ବେଙ୍ଗପାଟିଆଠାରେ ନିର୍ମାଣାଧୀନ ନୂତନ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପଶ୍ଚିମବଙ୍ଗର ଜଣେ ଶ୍ରମିକ କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ଛତା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ନିୟୋଜିତ ଥିବା ଅନ୍ୟ ଶ୍ରମିକମାନେ ଛତ୍ରଭଙ୍ଗ ଦେଇ ପଳାଇଛନ୍ତି। ତେବେ ସେହି ପଜିଟିଭ ଶ୍ରମିକଙ୍କ ସହିତ କଣ୍ଟାକ୍ଟରେ ଆସିଥିବା ଅନ୍ୟ ଶ୍ରମିକମାନଙ୍କୁ ଖୋଜୁଛି ପ୍ରଶାସନ।

କୋଭିଡ କଟକଣାକୁ ନମାନିବାରୁ ସ୍ଥାନୀୟ ସଂକ୍ରମଣ ବଢୁଥିବା କୁହାଯାଉଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ସାବୁନରେ ହାତଧୋଇବା ଆଦି ପ୍ରାଥମିକ କୋଭିଡ ନିୟମକୁ ପାଳନ ନକଲେ କରୋନା ଘରେ ଘରେ ପ୍ରବେଶ କରିବାକୁ ବେଶିଦିନ ଲାଗିବନି। ଲକଡାଉନ କଟକଣା କୋହଳ ହୋଇଥିବାରୁ ଏବେ ଲୋକେ କୋଭିଡ କଟକଣାକୁ ପାଳନ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଏହାଛଡା ଗୃହ ସଙ୍ଗରୋଧରେ ରହୁଥିବା ପ୍ରବାସୀମାନେ କୋଭିଡ ନିୟମକୁ ଠିକ୍ ଭାବେ ପାଳନ କରିନଥିବାରୁ କେତେକ ସ୍ଥାନରେ ଏହା ସ୍ଥାନୀୟ ସଂକ୍ରମଣ ରୂପ ନେଇଥିବା କୁହାଯାଉଛି।

Comment